କଠୁଆ ଗଣବଳାତ୍କାର ମାମଲା : ୨ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ମେହବୁବା

0

ଶ୍ରୀନଗର : କଠୁଆ ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ସମର୍ଥନ ଦେଇଥିବା ଜାମ୍ମୁ-କାଶ୍ମୀର ରାଜ୍ୟ କ୍ୟାବିନେଟର ଦୁଇ ବିଜେପି ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ରବିବାର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଗ୍ରହଣ କରିଛନ୍ତି । ସେମାନେ ଗତ ଶୁକ୍ରବାର ଇସ୍ତଫା ଦେଇଥିଲେ। ଏହି ଦୁଇ ମନ୍ତ୍ରୀ ହେଲେ ଜଙ୍ଗଲ ମନ୍ତ୍ରୀ ଚୌଧୁରୀ ଲାଲ ସିଂହ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଚନ୍ଦ୍ର ପ୍ରକାଶ ଗଙ୍ଗା। ଉଭୟ ସେମାନଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସତ ଶର୍ମାଙ୍କ ନିକଟକୁ ପଠାଇଥିଲେ। ରାଜ୍ୟରେ ପିଡିପି ଓ ବିଜେପି ମେଣ୍ଟ ସରକାର ଚାଲିଥିବାବେଳେ ପିଡିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଦାବି ଆଧାରରେ ଦୁଇମନ୍ତ୍ରୀ ଇସ୍ତଫା ଦେଇଛନ୍ତି। କଠୁଆ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୁକ୍ତି ଦାବିରେ ହିନ୍ଦୁ ମୌଳବାଦୀ ସଂଗଠନ ପକ୍ଷରୁ ରାଜ୍ୟରେ ବିକ୍ଷୋଭ ସମାବେଶ ହୋଇଥିଲା। ଏହି ବିକ୍ଷୋଭ ସମାବେଶରେ ଉକ୍ତ ଦୁଇମନ୍ତ୍ରୀ ସାମିଲ ହୋଇଥିଲା। ବିକ୍ଷୋଭରେ ମନ୍ତ୍ରୀଙ୍କ ସାମିଲକୁ ବିରୋଧ କରି ବିରୋଧୀ ନ୍ୟାସନାଲ କନଫରେନ୍ସ ସେମାନଙ୍କର ଇସ୍ତଫା ଦାବି କରିଥିଲା। ଏହି ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ଜାମ୍ମୁ କାଶ୍ମୀରରେ ମନ୍ତ୍ରୀଙ୍କ ସଂଖ୍ୟା କମି ୨୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ବିଜେପିର ୯ ଜଣ ମନ୍ତ୍ରୀ ଅଛନ୍ତି। ବିଜେପି ମହାସମ୍ପଦକ ରାମମାଧବ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏହି ଦୁଇ ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଇବାକୁ ନିଷ୍ପତ୍ତି ହୋଇଥିଲା ।

Leave A Reply