ଦୀର୍ଘ ୫ମାସ ଧରି ବାକିରେ ଚାଲିଛି ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ
ଶିକ୍ଷକ କହୁଛନ୍ତି କହି ହଉନି କି ସହି ହଉନି ; ଆଉ ଚଳେଇ ହେବନି
ବଡ଼ମ୍ବା : ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ଟି ସତ୍ୟ। ମାସମାସ ଧରି ବାକିରେ ରାସନ କିଣାହୋଇ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଚାଲିଛି । କିଛି ଯାଗାରେ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ହାତରୁ ଏଥିପାଇଁ ପାଇସା ଗଣିବାକୁ ପଡ଼ୁଛି। ବାରମ୍ବାର ଏହି ସମସ୍ୟା ସମ୍ପର୍କରେ ବିଭାଗୀୟ କତୃପକ୍ଷଙ୍କୁ ଜଣାଯାଇଛି। ଏପରିକି ସମୀକ୍ଷା ବୈଠକରେ ମଧ୍ୟ ବିଧାୟକଙ୍କର ଏ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ଏଯାବତ୍ ସ୍ଥିତି ସୁଧୁରିବା ଫଳ ଶୂନ ଜଣାପଡ଼ିଛି । ଜନୈକ ଶିକ୍ଷକ ନେତା ତଥା କାର୍ଯ୍ୟରତ ପ୍ରଧାନଶିକ୍ଷକ ନିଜର ପରିଚୟ ଗୋପନ ରଖି କହିଛନ୍ତି ଯେ ଗତ ୫ମାସ ଧରି ବ୍ଲକରେ ଏଭଳି ସମସ୍ୟା ଲାଗି ରହିଛି । ହାରି ଗୁହାରୀ ଅନେକ କଲୁଣି, ହେଲେ ଆଉ କହି ହଉନି କି ସହି ହଉନି। କେତକ ସ୍ଥାନରେ ଆଉ ବାକି ଦେବାକୁ ଦୋକାନୀ ମଧ୍ୟ ଅମଙ୍ଗ ହେଉଥିବା କିଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି। ମଣ୍ଡିରେ ଧାନ ସଂଗ୍ରହ ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ସୁଷମ ବଣ୍ଟନ ନେଇ ଗତ କିଛିଦିନ ତଳେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ସ୍ୱତନ୍ତ୍ର ସମୀକ୍ଷା କରୁଥିବା ସମୟରେ ଏହି ଘଟଣାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ। ଏପରକି ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପସ୍ଥିତ ଜିଲା ତଥା ଉପଖଣ୍ଡ ପ୍ରଶାସକଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ। ତେବେ ମାସ ପରେ ମାସ ବିତୁଛି ହେଲେ ଏହି ସ୍ୱତନ୍ତ୍ର ଯୋଜନା ବାବଦକୁ ସଂପୃକ୍ତ ବିଦ୍ୟାଳୟ ସମୁହକୁ ଆବଶ୍ୟକ ଅର୍ଥରାଶି ଆସୁନଥିବା ଜଣାଯାଇଛି।
ସୂଚନାନୁଯାୟୀ ବଡ଼ମ୍ବା ବ୍ଲକରେ ୧୩୩ଟି ସ୍କୁଲରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚାଲିଛି। ପ୍ରାଥମିକ ବିଦ୍ୟାଳୟ ସମୁହରେ ପ୍ରାୟ ୮ହଜାରୁ ଅଧିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ଯୋଜନାରେ ପ୍ରତ୍ୟହ କାର୍ଯ୍ୟକାରୀ ଦିବସରେ ମଧ୍ୟାହ୍ନ ଭୋଜନ କରୁଥିବା ପ୍ରକାଶ। ଏକ ଆନୁମାନିକ ଆକଳନ ଅନୁଯାଇ ପ୍ରତି ୧୦୦ପିଲାଙ୍କ ପିଛା ମାସକୁ ୧୧ହଜାରରୁ ୧୨ହଜାର ଟଙ୍କାର ସଉଦା, ପନିପରିବା ତଥା ଅନ୍ୟାନ୍ୟ ସାମଗ୍ରୀ କିଣାଯାଉଥିବା ଶିକ୍ଷକ ମହଲରୁ ପ୍ରକାଶ। କିଭଳି ଭାବେ ଏତେ ଦିନଧରି ଏଭଳି ଏକ ସମସ୍ୟା ସହ ଜୁଝି ହେଉଥିବେ ସେନେଇ ଶିକ୍ଷକମାନେ ଏକ ପ୍ରକାର ହତୋତ୍ସାହିତ ହେଉଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ଜିଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ସଂପୃକ୍ତ ଶିକ୍ଷକମାନେ ଅନୁରୋଧ କରିଛନ୍ତି । ଉପୁଜିଥିବା ଘଟଣା ସମ୍ପର୍କରେ ସ୍ଥାନୀୟ ଗୋଷ୍ଠି ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କାଙ୍କୁ ପଚାରିବାରେ ସେ ଏନେଇ ଜିଲା କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି ବୋଲି କହିଥିଲେ। ତେବେ ଆବଶ୍ୟକ ଅର୍ଥରାଶି କମ୍ ଥିବାରୁ ସମଗ୍ର ଜିଲାରେ ଏହି ସମସ୍ୟା ଲାଗି ରହିଥିବା ସେ କହିଥିଲେ। ଅର୍ଥ ଆସିଲେ ଖୁବ୍ ଶିଘ୍ର ବିଭିନ୍ନ ବିଦ୍ୟାଳୟକୁ ପଇସା ପଠାଇ ଦିଆଯିବ ବୋଲି ଜିଲା କକର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ଲେଙ୍କାଙ୍କଠାରୁ ପ୍ରକାଶ ।
Comments are closed.