୭,୭୯୯ ହେକ୍ଟର ଲଣ୍ଡା ପାହାଡରେ ହୋଇଛି ବନୀକରଣ
ଭୁବନେଶ୍ବର : ରାଜ୍ୟରେ ୨୦୨୦-୨୧ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୭,୭୯୯.୨୧ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ କରାଯାଇଛି । ଆଜି ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଏସମ୍ପର୍କିତ ପ୍ରଶ୍ନରେ ଏହି ତଥ୍ୟ ସହ ଜବାବ ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂଖୁଣ୍ଟିଆ ।
ମଙ୍ଗଳବାର ବିଧାନସଭାରେ ବିଜେଡି ବିଧାୟକ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ରାଜ୍ୟରେ ଯେଉଁସବୁ ପାହାଡ଼ରୁ ସବୁଜ ବଳୟ ବନ ନଷ୍ଟ ହୋଇଗଲାଣି ସେସବୁରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ କୌଣସି ପଦକ୍ଷେପ ନିଆଯାଉଛି କି ନାହିଁ ବୋଲି ତଥ୍ୟ ମାଗିଥିଲେ । ଏହାର ଜବାବ ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂଖୁଣ୍ଟିଆ । ରାଜ୍ୟରେ ଅନେକ ପାହାଡ, ଗଛକଟା ଓ ଅନ୍ୟାନ୍ୟ କାରଣରୁ ଲଣ୍ଡା ପାହାଡ ହୋଇଯାଇଥିବା ଆଂଶିକ ସତ୍ୟ ବୋଲି ସେ କହିଛନ୍ତି । ୧୨୪ ଗୋଟି ଲଣ୍ଡା ପାହାଡ ଚିହ୍ନଟ ହୋଇଛି । ବିଗତ ୨୦୨୦-୨୧ ଠାରୁ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୭,୭୯୯.୨୧ ହେକ୍ଟର ଲଣ୍ଡା ପାହାଡରେ ବନୀକରଣ କରାଯାଇଥିବା ସେ ତଥ୍ୟ ପ୍ରଦାନ କରିଛନ୍ତି ।
ଏହା ସହ ଅନ୍ୟାନ୍ୟ ଉପାୟ ଯଥା ବନ୍ଧିତ ସବୁଜ ବଳୟ, ସବୁଜ ମହାନଦୀ ମିଶନ, ଆମ ଜଙ୍ଗଲ ଯୋଜନା, କାମ୍ପା ଏବଂ କେନ୍ଦ୍ର ପ୍ରୟୋଜିତ ଯୋଜନା ଯଥା ସବୁଜ ଭାରତ ମିଶନ, ଜାତୀୟ ବନୀକରଣ ଯୋଜନା, ଜାତୀୟ ବାଉଁଶ ମିଶନ, ମନରେଗା ଯୋଜନାରେ ରାଜ୍ୟର ବିଭିନ୍ନ ବନଖଣ୍ଡରେ ବ୍ୟାପକ ବନୀକରଣ ସୃଷ୍ଟି କରାଯାଉଛି । ସେ ବିଗତ ୫ ବର୍ଷରେ ହୋଇଥିବା ବନୀକରଣର ବିବରଣୀ ପ୍ରଦାନ କରିଛନ୍ତି।
୨୦୨୦-୨୧ ବର୍ଷରେ ୧୨,୪୮୬.୦୭ ହେକ୍ଟରରେ ସଘନ ବନୀକରଣ କରାଯାଇଥିବାବେଳେ ୩୯୨.୪୭ ଲକ୍ଷ ଚାରା ରୋପଣ ହୋଇଥିଲା । ୨୦୨୧-୨୨ରେ ୧୧,୨୨୫.୩୦ ହେକ୍ଟରରେ ସଘନ ବନୀକରଣ ହୋଇଥିବାବେଳେ ୩୮୨.୯୧ ଲକ୍ଷ ଚାରା ରୋପଣ ହୋଇଥିଲା । ୨୩୦.୪୬ ଲକ୍ଷ ଚାରା ବିତରଣ କରାଯାଇଥିଲା । ୨୦୨୨-୨୩ରେ ୧୧,୮୫୬.୩୦ ହେକ୍ଟରରେ ସଘନ ବନୀକରଣ କରାଯାଇଥିବାବେଳେ ୭୬,୩୪୧.୬୭ ଉଜୁଡା ଜଙ୍ଗଲର ପୁନରୁଦ୍ଧାର କରାଯାଇଥିଲା । ୩୫୧.୫୯ ଲକ୍ଷ ଚାରା ରୋପଣ ହୋଇଥିବାବେଳେ ୨୧୧.୭୪ ଲକ୍ଷ ଚାରା ବିତରଣ ହୋଇଥିଲା । ୨୦୨୩-୨୪ରେ ୨୫୪.୪୨ ଲକ୍ଷ ଚାରା ରୋପଣ ହୋଇଥିବାବେଳେ ୨୦୨୪-୨୫ରେ ୧୯୫ ଲକ୍ଷ ଚାରା ରୋପଣ ହୋଇଛି ଏବଂ ୩,୭୨୬.୩୪ ହେକ୍ଟରରେ ସଘନ ବନୀକରଣ କରାଯାଇଛି ।
Comments are closed.