ଭରତପୁର କୋଇଲା ଖଣି ଦୁର୍ଘଟଣା – ମ୍ୟାନେଜର ନିଲମ୍ବିତ

ତାଳଚେର: ଏମ୍‍ସିଏଲ୍‍ ଅଧୀନସ୍ଥ ଭରତପୁର କୋଇଲା ଖଣି ଦୁର୍ଘଟଣା ମାମଲାରେ ୩ ଜଣଙ୍କ ଶବ ଉଦ୍ଧାର ହୋଇଥିଲା ବେଳେ ଅନ୍ୟ ଜଣେ ଠିକା ଶ୍ରମିକର ଶବ ଉଦ୍ଧାର ହୋଇପାରି ନାହିଁ। ତେବେ ଉଦ୍ଧାରକାରୀ ଦଳ ଶନିବାର ଖଣି ଭିତରୁ ଉଦ୍ଧାର କାର୍ଯ୍ୟ ବେଳେ କଟା ହାତ ଓ ଖଣ୍ଡ ବିଖଣ୍ଡ ଶରୀର ଉଦ୍ଧାର କରିଛନ୍ତି। ଏହି ଖଣ୍ଡ ବିଖଣ୍ଡିତ ଶରୀର କାହାର ତାହା ଚିହ୍ନଟ ହୋଇପାରି ନାହିଁ।

ଭରତପୁର କୋଇଲା ଖଣିର ଏହି ବଡ଼ଧରଣର ଦୁର୍ଘଟଣା ନେଇ ଏମ୍‍ସିଏଲ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭରତପୁର ଖଣିର ମ୍ୟାନେଜର ଭି.କେ ସିଂହଙ୍କୁ କାର୍ଯ୍ୟରୁ ନିଲମ୍ବନ କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଛନ୍ତି ବୋଲି ଏମ୍‍ସିଏଲ୍‍ ପକ୍ଷରୁ ଏକ ପ୍ରେସ୍‍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ୫ ଦିନ ତଳେ ଭରତପୁର ପୋଖରିଆ କୋଇଲା ଖାଦାନର କୃତ୍ରିମ ପାହାଡ଼ ତଥା ଓବିଡମ୍ପ ଧସିପଡିଥିଲା ବେଳେ କୋଇଲା ମିଶ୍ରିତ ମାଟିରେ ୪ ଜଣ ଠିକା ଶ୍ରମିକ ପୋତି ହୋଇଯାଇଥିଲେ ବୋଲି ଜଣାପଡ଼ିବା ପରେ ଗତକାଲି ସୁଦ୍ଧା କୁକୁଡ଼ାଙ୍ଗ ଗ୍ରାମର ଠିକା ଶ୍ରମିକ ପପୁନ୍‍ ବିଶ୍ୱାଳ, ଗୋବରା ଗ୍ରାମର ସୁପରଭାଇଜର ରଶ୍ମିରଞ୍ଜନ ବେହେରା ଓ ଶିବରାମପୁର ଗ୍ରାମର ପମ୍ପ ଖଲାସି ରାଜକିଶୋର ମହାପାତ୍ରଙ୍କ ମୃତ ଦେହକୁ ଏନ୍‍ଡିଆରଏଫ୍‍ ଦଳ ଓ ଏମ୍‍ସିଏଲ୍‍ର ଉଦ୍ଧାରକାରୀ ଦଳଙ୍କ ଦ୍ୱାରା ଉଦ୍ଧାର କରାଯାଇଛି।

ଏ ପର୍ୟ୍ୟନ୍ତ ଖଣିରେ ପୋତି ହୋଇ ରହିଥିବା ଅନ୍ୟ ଠିକା ଶ୍ରମିକ ତଥା ସୁରକ୍ଷା କର୍ମୀ ଲକେଇପଶି ଗ୍ରାମର ରମେଶ ଦାସଙ୍କ ମୃତ କିମ୍ବା ଜୀବିତ ଶରୀର ଉଦ୍ଧାର ହୋଇପାରି ନାହିଁ। ଲଘୁଚାପଜନିତ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ୟ୍ୟରେ ବାଧାସୃଷ୍ଟି ହୋଇଛି ଏବଂ ଖଣି ଭିତରେ ବର୍ଷା ଜଳ ଭର୍ତ୍ତି ହୋଇଯାଇଥିବାରୁ ବିଭିନ୍ନ ପମ୍ପ ଦ୍ୱାରା ଜଳ ନିଷ୍କାସନ କାର୍ୟ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଖଣି ଭିତର ଅଞ୍ଚଳ ଅସୁରକ୍ଷିତ ଅବସ୍ଥାରେ ଥିବାରୁ କୌଣସି ବାହାର ଲୋକଙ୍କୁ ପୁଲିସ ଖଣିକୁ ଛାଡ଼ିଦେଉ ନାହିଁ।

ଏହି ଉଦ୍ଧାର କାର୍ଯ୍ୟରେ ବିଧାୟକ ବ୍ରଜ କିଶୋର ପ୍ରଧାନ, ଏମ୍‍ସିଏଲ୍‍ର ବରିଷ୍ଠ ନିର୍ଦେଶକ ଏବଂ ସମସ୍ତ ମହାପ୍ରବନ୍ଧକମାନେ ଘଟଣା ସ୍ଥଳରେ ରହି ଏହାକୁ ତଦାରଖ କରୁଛନ୍ତି। ଶନିବାର ଖଣି ଦୁର୍ଘଟଣାସ୍ଥଳକୁ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଯାଇ ଘଟଣାର ଅନୁସନ୍ଧାନ କରିବା ସହ ବରିଷ୍ଠ ଖଣି ଅଧିକାରୀମାନଙ୍କ ସହିତ ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ସାହୁ ମୃତକଙ୍କ ଘରକୁ ଯାଇ ସମବେଦନା ଜ୍ଞାପନ କରିଛନ୍ତି ଓ ପ୍ରତି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ କୋଇଲା ଖଣିରେ ନିୟୋଜିତ ବହୁ ହାଇୱା ଟ୍ରକ୍‍, ସର୍ଫେସମାଇନର, ପେଲୋଡର ମେସିନ ଆଦି କୋଇଲା ମିଶ୍ରିତ ମାଟିରେ ପୋତିହୋଇ ରହିଛି। ଅନ୍ୟ ପକ୍ଷରେ ବାହାର ରାଜ୍ୟର ମହିଳାମାନେ ଆସି ଆଜି ଭରତପୁର ଖଣିରେ ସେମାନଙ୍କର ସମ୍ପର୍କୀୟମାନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସଠିକ୍‍ ତଥ୍ୟ ପାଉ ନଥିବାରୁ କାନ୍ଦବୋବାଳିି କରୁଥିଲେ ବୋଲି ବିଜେପିର ବରିଷ୍ଠ ନେତା ରାଜେନ୍ଦ୍ର ସିଂହ ଅଭିଯୋଗ କରିଛନ୍ତି। ଏହି ମାଟି ଭିତରେ ଆହୁରି ଅନେକ ଶ୍ରମିକ ପୋତିହୋଇ ରହିଛନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରି ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି କରିଛନ୍ତି।

Comments are closed.