ଚାଷ ବନ୍ଦ କରିବାକୁ ମା’ଙ୍କୁ ଟ୍ରାକ୍ଟର ସମ୍ମୁଖକୁ ଫିଙ୍ଗିଲା ପୁଅ

0

ନୂଆଦିଲ୍ଲୀ : ଜନ୍ମକଲା ମା’ଙ୍କ ପ୍ରତି ସମ୍ମାନ ଅଭାବ ଜନିତ ଆଉ ଏକ ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରରେ। ବିବାଦୀୟ ଜମିରେ ଚାଷ ରୋକିବା ନିମନ୍ତେ ଏଠାକାର ୱାସିମ ଜିଲା ଅନ୍ତର୍ଗତ ମୁଙ୍ଗଲା ଗ୍ରାମନିବାସୀ ଜଣେ ବ୍ୟକ୍ତି ନିଜ ମା’ଙ୍କୁ ଟ୍ରାକ୍ଟର ସମ୍ମୁଖକୁ ଫିଙ୍ଗି ଦେବାକୁ ପଛାଇ ନାହାନ୍ତି। ଗ୍ରାମର ଡାଲଭି ଏବଂ ରାଉତ୍‍ ପରିବାର ମଧ୍ୟରେ ଏକ ଜମିକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। କୋର୍ଟ ରାଉତ ପରିବାର ସପକ୍ଷରେ ରାୟ ଦେଇଥିଲେ। ଫଳରେ ରାଉତ ପରିବାର ଜୁନ୍‍ ୨୧ରେ ଚାଷ କରିବା ଲାଗି ଟ୍ରାକ୍ଟର ନେଇ ଉକ୍ତ ଜମିକୁ ଯାଇଥିଲେ। ଏହି ସମୟରେ ଡାଲଭି ପରିବାର ସେଠାରେ ପହଞ୍ଚି ରାଉତ ପରିବାରକୁ ବାଧା ଦେବାକୁ ଉଦ୍ୟମ କରିଥିଲେ। ସେଠାରେ ବେଶ୍‍ କିଛି ସମୟ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଉତ ପରିବାର ଟ୍ରାକ୍ଟର ଚଳାଇବାକୁ ଉଦ୍ୟମ କରିବାରୁ ଡାଲଭି ପରିବାରର ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ନିର୍ମର୍ମ ଭାବେ ଘୋଷାରି ନେଇ ଉକ୍ତ ଟ୍ରାକ୍ଟର ସମ୍ମୁଖରେ ଫିଙ୍ଗି ଦେଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ବାଧା ଦେଇଥିଲେ ମଧ୍ୟ ସେ ତାହାକୁ ଭ୍ରୂକ୍ଷେପ ନ କରି ଅତି ଅମାନବୀୟ ଢଙ୍ଗରେ ମା’ଙ୍କୁ ଟ୍ରାକ୍ଟର ସମ୍ମୁଖରେ କଚାଡି ଦେଇଥିଲେ। ଏଥିରେ ତାଙ୍କ ମାଆ ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ଏକ ମାମଲା ରୁଜୁ କରାଯିବା ସହିତ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ମାଲେଗାଓଁ ଏସ୍‍ପି ସୁରେଶ ନାଏକାୱାରେ ପ୍ରକାଶ କରିଛନ୍ତି।

Leave A Reply