www.samajalive.in
Friday, December 12, 2025
14.1 C
Bhubaneswar

ମାଲେସିଆର ଭାରତକୁ ବିନତି, ଚିନି ଅଧିକ କିଣିବୁ; ଏବେ ଆମ ତେଲ ନିଅ

ନୂଆଦିଲ୍ଲୀ: ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇବା ମାଲେସିଆ ପରି କ୍ଷୁଦ୍ର ଦେଶକୁ ମହଙ୍ଗା ପଡ଼ିଛି। ପାକିସ୍ତାନ ହଁରେ ହଁ ମିଳାଇ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ପୂରାଇଥିବାରୁ ଭାରତ ଏହି ଦେଶରୁ ତାଳ ତେଲ ଆମଦାନୀ ହ୍ରାସ ପାଇଁ ନିଷ୍ପତ୍ତି ନେଇଥିଲା। ମାଲେସିଆର ଅର୍ଥନୀତି ମୁଖ୍ୟତଃ ତାଳ ତେଲ ଉପରେ ନିର୍ଭର କରିଥାଏ। ଭାରତକୁ ଏହା ବିକି ପ୍ରଚୁର ବୈଦେଶିକ ମୁଦ୍ରା ଉପାର୍ଜନ କରିଥାଏ। ତେବେ ଆମଦାନୀ ହ୍ରାସ ନିଷ୍ପତ୍ତି ନେବା ପରେ ମାଲେସିଆର ତାଳ ତେଳ କମ୍ପାନିଗୁଡ଼ିକ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ଭାରତ ପରି ବିଶ୍ବର ବୃହତ୍‌ ବଜାର ହରାଇ ମାଲେସିଆ ନିଜ ଦେଶରେ ନିନ୍ଦିତ ହୋଇଛି। ବ୍ୟବସାୟିକଙ୍କ ଚାପରେ ସେଠାକାର ସରକାର ଏବେ ଭାରତକୁ ମନାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଭାରତରୁ ଅଧିକ ପରିମାଣରେ ଚିନି ଆମଦାନୀ କରିବା ବଦଳରେ ତାଳ ତେଲ କିଣିବାକୁ ମାଲେସିଆ ସରକାର ପ୍ରସ୍ତାବ ଦେଇଛନ୍ତି। ମାଲେସିଆର ଏହି ପ୍ରଲୋଭନ ଉପରେ ଭାରତ ସରକାର ଏଯାଏ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି।

କାଶ୍ମୀର ପ୍ରସଙ୍ଗ ଓ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ପରି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମାଲେସିଆ ମୁଣ୍ଡ ପୂରାଇବାରୁ ଭାରତ ସରକାର ସେ ଦେଶରୁ ତାଳ ତେଲ ଆମଦାନୀ ହ୍ରାସ ପାଇଁ ନିଷ୍ପତ୍ତି ନେଇଛନ୍ତି। କୃଷି ପ୍ରଧାନ ଦେଶ ମାଲେସିଆର ଅର୍ଥନୀତି ତାଳ ତେଲ ରପ୍ତାନୀ ଉପରେ ନିର୍ଭର କରିଥାଏ। ଭାରତକୁ ଏହି ଦେଶ ସର୍ବାଧିକ ପରିମାଣର ତାଳ ତେଲ ବିକ୍ରି କରିଥାଏ। ପାକିସ୍ତାନ ସପକ୍ଷ ଓ ଭାରତ ବିରୋଧୀ ନିତି ଯୋଗୁଁ ମାଲେସିଆର ତାଳ ତେଲ ବ୍ୟବସାୟ ପ୍ରଭାବିତ ହୋଇଛି। ବର୍ଷ ୨୦୧୯ ଶେଷ ପର୍ଯ୍ୟନ୍ତ ମାଲେସିଆରୁ ୪୨.୫ ପ୍ରତିଶତ ତାଳ ତେଲ ଆମଦାନୀ ହ୍ରାସ ପାଇଛି। ବିକଳ୍ପ ଭାବେ ଭାରତ ସରକାର ଇଣ୍ଡୋନେସିଆରୁ ସମ ପରିମାଣର ତାଳ ତେଲ ଆମଦାନୀ କରିଛନ୍ତି।

- Advertisement -

ମାଲେସିଆଠାରୁ ଶସ୍ତା ଦରରେ ଭାରତ ସରକାର ଇଣ୍ଡୋନେସିଆରୁ ତାଳ ତେଲ ଆମଦାନୀ କରିଛନ୍ତି। କାରଣ ମାଲେସିଆଠାରୁ ଇଣ୍ଡୋନେସିଆର ଉତ୍ପାଦନ ଶୁଳ୍କ ଅପେକ୍ଷାକୃତ କମ୍‌। ୨୦୧୪-୧୫ ଆର୍ଥିକ ବର୍ଷରେ ଭାରତ ମାଲେସିଆରୁ ୨.୫୨ ବିଲିଅନ ଆମେରିକୀୟ ଡଲାର ମୂଲ୍ୟର ତାଳ ତେଲ ଆମଦାନୀ କରିଥିଲା। ପରବର୍ତ୍ତୀ ବର୍ଷଗୁଡ଼ିକରେ ଆମଦାନୀ କ୍ରମାଗତ ହ୍ରାସ ପାଇ ଥିଲା। ୨୦୧୫-୧୬ରେ ଭାରତ-ମାଲେସେିଆ ମଧ୍ୟରେ ତାଳ ତେଲ ବ୍ୟବସାୟ ୨.୨୬, ୨୦୧୬-୧୭ରେ ୧.୮୮, ୨୦୧୭-୧୮ରେ ୧.୫୩ ଓ ୨୦୧୮-୧୯ରେ ୧.୪୫ ବିଲିଅନ ଡଲାରକୁ ହ୍ରାସ ପାଇଛି। ଗତବର୍ଷ ସେପ୍ଟେମ୍ବର ମାସରେ ତାଳ ତେଲ ଉପରେ ଭାରତ ସରକାର ଆମଦାନୀ ଶୁଳ୍କ ୫ ପ୍ରତିଶତ ଲାଗୁ କରିଥିଲେ।
ଚଳିତ ଆର୍ଥିକ ବର୍ଷରେ ଭାରତରୁ ୧.୩ ନିୟୁତ ଟନ ଆଖୁ କିଣିବାକୁ ମାଲେସିଆ ପ୍ରସ୍ତାବ ଦେଇଛି। ଏହାର ମୂଲ୍ୟ ପ୍ରାୟ ୫୦ ନିୟୁତ ଡଳାର। ଗତ ବର୍ଷ ଏହି ଦେଶ ୧.୯୫ ନିୟୁତ ଟନ ଆଖୁ ଭାରତରୁ କିଣି ଥିଲା। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ହ୍ରାସ ପାଉଥିବା ମାଲେସିଆକୁ ଚିନ୍ତିତ କରିଛି। ଭାରତ ଉପରେ ଏହାର ପ୍ରଭାବ ବିଶେଷ ପଡ଼ି ନଥିଲା। କାରଣ ମାଲେସିଆ ଏକ କ୍ଷୁଦ୍ର ​‌ଦେଶ ଓ ଏହାର ଅର୍ଥନୀତିର ଆକାର ଭାରତଠାରୁ ଯଥେଷ୍ଟ କମ। ଏଣୁ ସେ ଦେଶର ବିଭିନ୍ନ ସରକାରରୀ କମ୍ପାନୀ ଭାରତ ସରକାରଙ୍କୁ ଖୁସି କରିବା ପାଇଁ ଏକାଧିକ ପ୍ରସ୍ତାବ ଦେବାରେ ଲାଗିଛନ୍ତି। ସେଥି ମଧ୍ୟରୁ ଅଧିକ ପରିମାଣରେ ଚିନି ଆମଦାନୀ ଅନ୍ୟତମ। ମାଲେସିଆ ବ୍ରାଜିଲ ଓ ଥାଇଲ୍ୟାଣ୍ଡରୁ ଚିନି କିଣି ଥାଏ। ଜାନୁଆରୀ ଶେଷ ସୁଦ୍ଧା ୫୦ ହଜାର ଟନ ଚିନି ଭାରତଠାରୁ କିଣିବାକୁ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ଭାରତ ହେଉଛି ବିଶ୍ବର ସର୍ବାଧିକ ଚିନି ଉତ୍ପାଦନକାରୀ ଦେଶ। ଚିନି ବିକ୍ରି ପାଇଁ ଭାରତକୁ ବିଶ୍ବ ବଜାର ଆବଶ୍ୟକ। ପ୍ରତି ବର୍ଷ ଚିନି ଉତ୍ପାଦନ ବୃଦ୍ଧି ପାଉଥିଲେ ହେଁ ରପ୍ତନୀ ସେହି ଅନୁଯାୟୀ ହେଉ ନାହିଁ। ଏଥିପାଇଁ ଭାରତକୁ ବିଭିନ୍ନ ଦେଶ ସହ ପ୍ରତିଯୋଗିତା କରିବାକୁ ପଡ଼ୁଛି।
ଭାରତ ମାଲେସିଆରୁ ତାଳ ତେଲ ଆମଦାନୀ ବନ୍ଦ କରିବା ନିଷ୍ପତ୍ତି ନେବା ପରେ ଭାରତ ପରି ବିଶାଳ ଦେଶକୁ ଜବାବ୍‌ ଦେବା ମାଲେସିଆ ପକ୍ଷେ ଅସମ୍ଭବ ବୋଲି ଦେଶର ପ୍ରଧାନମନ୍ତ୍ରୀ ମହାତିର ମହମଦ କହିଥିଲେ। ଏବେ ଅଧିକ ଚିନି ଆମଦାନୀର ପ୍ରଲୋଭନ ଦେଖାଇ ଭାରତ ସହ ସାଲିସ୍‌ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସେଠାକାର ସରକାର। ଏ ସଂକ୍ରାନ୍ତରେ ଭାରତ ସରକାର କି’ ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories