ଜଳଛତ୍ରରେ ମିଶିଥିଲା ବିଷ ! ୩ ଗୁରୁତର
ମାଲକାନଗିରି: ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଳଛତ୍ର ପାଣିରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଜଳଛତ୍ରର ପାଣି ପାଣି ପିଇବା ଯୋଗୁ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଅସୁସ୍ଥ ମାନେ ହେଲେ ଏମପିଭି ୪୯ ଗ୍ରାମର ବିଶାଖା ଗୋଲଦର (୧୩), ଦେବବ୍ରତ କୋଏଲ (୨୪) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ (୨୨) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗ୍ରାମବାସୀ ଓ ପଞ୍ଚାୟତ ଉଦ୍ୟମରେ ଏମପିଭି ୪୯ ଗ୍ରାମ ମୁଖ୍ୟ ଛକ ଠାରେ ଏକ ସପ୍ତାହ ତଳେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା ।
ଏହି ଜଳଛତ୍ର କେନ୍ଦ୍ରର ରକ୍ଷଣାବେକ୍ଷଣ ଓ ପ୍ରତ୍ୟେକ ଦିନ ପାଣି ଭର୍ତ୍ତି କରିବା ପାଇଁ ଗ୍ରାମର ସନ୍ଧ୍ୟା ରାଣୀ ମଣ୍ଡଳ ନାମକ ଜଣେ ମହିଳାଙ୍କୁ ଗ୍ରାମବାସୀ ମାନେ ଚୟନ କରି ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ । ପଞ୍ଚାୟତ ତରଫରୁ ମହିଳା ଜଣଙ୍କୁ ପାରିଶ୍ରମିକ ଦେବା ପାଇଁ ସ୍ଥିର ମଧ୍ୟ କରାଯାଇଥିଲା । ତେବେ ମହିଳା ଜଣଙ୍କ ପ୍ରତ୍ୟେକ ଦିନ ଭଳି ମାଟି ହାଣ୍ଡିରେ ପାଣି ରଖି ସେଠାରେ ରହିଥିବା ବେଳେ ଦିନ ୩ ଟା ସମୟରେ କୌଣସି କାମରେ ନିଜ ଘରକୁ ଚାଲି ଯାଇଥିଲେ ।
ଏହି ସମୟରେ ସେଠାରେ ଲୋକମାନେ ପହଞ୍ଚି ଜଳଛତ୍ର କେନ୍ଦ୍ରରୁ ପାଣି ପିଇ ଥିଲେ । ପାଣି ପିଇବାର କିଛି ସମୟ ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହେବା ପରେ ଗାଁ ଲୋକ ସେଠାରେ ପହଞ୍ଚି ମାଠିଆ ପାଣି ଯାଞ୍ଚ କରିବା ପରେ ସେଥିରେ ବିଷ ମିଶି ଥିବା ଜାଣିବାକୁ ପାଇଥିଲେ । ପିଇବା ପାଣିରେ ଚାଷରେ ବ୍ୟବହୃତ ହେଉଥିବା କୀଟନାଶକ ଔଷଧ ମିଶା ଯାଇଥିବା ଜଣାପଡିଛି । ତେବେ ଏଭଳି ଜଘନ୍ୟ କାମ କିଏ କରିଛି ସେ ନେଇ ଗ୍ରାମବାସୀ ମାନେ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି ।
Comments are closed.