ପୂର୍ବତନ ମାଳଦ୍ବୀପ ଉପରାଷ୍ଟ୍ରପତି ଭାରତରେ ଅଟକ
ତୁତୁକୁଡ଼ି: ମାଳଦ୍ବୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଦିବଙ୍କୁ ଦେଶରେ ବେଆଇନ ପ୍ରବେଶ ଅଭିଯୋଗରେ ଭାରତ ଅଟକ ରଖିଛି। ତାମିଲନାଡୁର ଦକ୍ଷିଣରେ ଅବସ୍ଥିତ ତୁତୁକୁଡ଼ି ବନ୍ଦରରେ ତଟରକ୍ଷୀବାହିନୀ ଏକ ନୌକାରେ ଆସୁଥିବା ଆଦିବଙ୍କୁ ଗୁରୁବାର ଅଟକ ରଖିଛି। ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ଆଦିବ ନିଜ ଦେଶରେ ଦୋଷୀ ସାବ୍ୟସ୍ତ ହୋଇ ପରେ ମୁକ୍ତି ପାଇଛନ୍ତି। ସେ ଗତ ୨୯ରୁ ଏକ ମଙ୍ଗୋଲୀୟ ନୌକାରେ ମାଳଦ୍ବୀପରୁ ବାହାରିଥିଲେ ଏବଂ ଗୁରୁବାର ମଧ୍ୟାହ୍ନରେ ଏହା ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ ପୂର୍ବକ ତୁତୁକୁଡ଼ି ଉପକୂଳରେ ପହଞ୍ଚିବା ପରେ ଭାରତୀୟ ତଟରକ୍ଷୀବାହିନୀ ତାଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି। ମାଳଦ୍ବୀପ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଏ ସମ୍ପର୍କରେ ଯୋଗାଯୋଗ କରାଯାଇଛି। ଆଦିବ ୨୦୧୫ରେ ଅଳ୍ପ କେଇମାସ ପାଇଁ ମାଲଦ୍ବୀପର ଉପରାଷ୍ଟ୍ରପତି ଥିଲେ। ଆତଙ୍କବାଦ ଓ ଦୁର୍ନୀତି ଅଭିଯୋଗକ୍ରମେ ସେ ପଦତ୍ୟୁତ ହୋଇଥିଲେ। ୟାମିନଙ୍କୁ ହତ୍ୟା ଷଡ଼ଯନ୍ତ୍ର ନେଇ ତାଙ୍କୁ ୩୩ବର୍ଷ କାରାଦଣ୍ଡାଦେଶ ହୋଇଥିଲା। ତିନି ବର୍ଷ ସେ ଜେଲ୍ରେ କଟାଇଥିଲେ। ଗତବର୍ଷ ଅନୁଷ୍ଠିତ ନିର୍ବାଚନରେ ୟାମିନଙ୍କ ପରାଜୟ ପରେ ସେ ଦୋଷମୁକ୍ତ ହୋଇଥିଲେ। ଗତ ନଭେମ୍ବରରୁ ସେ ଗୃହବନ୍ଦୀ ଭାବେ ରହିଥିଲେ। ଦେଶର ସୁପ୍ରିମକୋର୍ଟ ତାଙ୍କ ଉପରେ ଭ୍ରମଣ କଟକଣା ଜାରି କରିଥିଲେ। ଜୁଲାଇ ମାସରେ ସେ ଚିକିତ୍ସା ପାଇଁ ୧୫ଦିନ ଭାରତ ଆସିଥିଲେ। ଏ ନେଇ ତାଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ହୋଇଥିଲା; ତେବେ ସମ୍ପ୍ରତି ସେ ଗୃହବନ୍ଦୀରୁ ମୁକ୍ତ ଅଛନ୍ତି।
Comments are closed.