www.samajalive.in
Monday, December 8, 2025
16.1 C
Bhubaneswar

ସମୃଦ୍ଧିର ଶିଖର ଛୁଇଁବ ଓଡ଼ିଶା

ଭୁବନେଶ୍ବର : ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’-୨୦୨୫ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଉଦ୍‌ଘାଟନ କରିଛନ୍ତି। ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇବା ସହ ନିବେଶକଙ୍କ ପାଖରେ ନିଜେ ମୋଦୀ ଗ୍ୟାରେଣ୍ଟର ସାଜିଛନ୍ତି। ଶିଳ୍ପ ବିକାଶ କ୍ଷେତ୍ରରେ ଓଡ଼ିଶା ଏଭଳି ଏକ ଉଦାହରଣ ହେବ, ଯାହା କେହି କେବେ କଳ୍ପନା ବି କରିନଥିବେ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଓଡ଼ିଶା ନୂଆ ଆକାଂକ୍ଷା, ସୁଯୋଗ ଓ ଆଶାବାଦର ଭୂମି ବୋଲି ନିବେଶକଙ୍କୁ ଆଶ୍ବସ୍ତ କରାଇଛନ୍ତି। ଯେଉଁଠି ସମସ୍ତ ନିବେଶକ ଓ ଉଦ୍ୟୋଗପତି ସଫଳତାର ଶିଖର ପର୍ଯ୍ୟନ୍ତ ପହଞ୍ଚିବେ ବୋଲି ବିଶ୍ବାସ ଓ ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହିତ ଓଡ଼ିଶା ପ୍ରତି ନିଜର ଭଲପାଇବାକୁ ବ୍ୟକ୍ତ କରିବା ସହ ଇଣ୍ଡୋନେସିଆ ରାଷ୍ଟ୍ରପତି ମଧ୍ୟ ତାଙ୍କ ଡିଏନଏରେ ଓଡ଼ିଶା ଥାଇପାରେ ବୋଲି କହିଥିବା ପ୍ରଧାନମନ୍ତ୍ରୀ ଅଭିଭାଷଣ କାଳରେ ସୂଚନା ଦେଇଛନ୍ତି।
‘ଉତ୍କର୍ଷ ଓଡ଼ିଶା’ ଏକ ସର୍ବବୃହତ୍ ବ୍ୟବସାୟ ସମ୍ମିଳନୀ ଏବଂ ଏଥିରେ ଅନ୍ୟବର୍ଷ ତୁଳନାରେ ୫ରୁ ୬ ଗୁଣ ଅଧ‌ିକ ନିବେଶକ ଅଂଶଗ୍ରହଣ କରିଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ସେ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୂର୍ବ ଭାରତ ଦେଶର ପ୍ରଗତିର ଏକ ଅଭିବୃଦ୍ଧି ଇଞ୍ଜିନ୍ ଓ ଏଥ‌ିରେ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସେ କହିଥିଲେ ଯେ, ପୂର୍ବ ଭାରତରେ ବୃହତ ଶିଳ୍ପ କେନ୍ଦ୍ର, ବନ୍ଦର ଏବଂ ବାଣିଜ୍ୟ କେନ୍ଦ୍ର ରହିଛି, ଯେଉଁଥିରେ ଓଡ଼ିଶାର ଅବଦାନ ଉଲ୍ଲେଖନୀୟ। ଦକ୍ଷିଣ-ପୂର୍ବ ଏସୀୟ ବାଣିଜ୍ୟ ପାଇଁ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ଥିଲା ଏବଂ ରାଜ୍ୟର ବନ୍ଦର ଗୁଡ଼ିକ ଭାରତର ପ୍ରବେଶ ଦ୍ବାର ଥିଲା। ଓଡ଼ିଶାରେ ଆଜି ବି ବାଲିଯାତ୍ରା ପାଳିତ ହେଉଛି। ନିକଟରେ ଭାରତ ଗସ୍ତରେ ଆସିଥିବା ଇଣ୍ଡୋନେସିଆର ରାଷ୍ଟ୍ରପତି କହିଥିଲେ ଯେ, ତାଙ୍କ ଡିଏନ୍‌ଏରେ ଓଡ଼ିଶାର ଚିହ୍ନ ଥାଇପାରେ। ଦକ୍ଷିଣ-ପୂର୍ବ ଏସିଆ ସହ ଜଡ଼ିତ ଓଡ଼ିଶା ଏହାର ଐତିହ୍ୟକୁ ପାଳନ କରିଥାଏ। ଓଡ଼ିଶା ଏବେ ଏକବିଂଶ ଶତାବ୍ଦୀର ଗୌରବମୟ ପରମ୍ପରାକୁ ପୁନର୍ଜୀବିତ କରିଛି। ନିକଟରେ ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ଓଡ଼ିଶା ସହ ସମ୍ପର୍କକୁ ନେଇ ବେଶ୍ ଉତ୍ସାହିତ ଥ‌ିବା ପ୍ରକାଶ କରିଥିଲେ। ଓଡ଼ିଶା ସହ ବାଣିଜ୍ୟ ଓ ପାରମ୍ପରିକ ସମ୍ପର୍କ ସୁଦୃଢ଼ ପାଇଁ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଆଗ୍ରହୀ। ସ୍ବାଧୀନତା ପରଠାରୁ ଏହି ଅଞ୍ଚଳରେ ପୂର୍ବାପେକ୍ଷା ଅଧ‌ିକ ସୁଯୋଗ ସୃଷ୍ଟି ହେଉଛି। ଓଡ଼ିଶାର ବିକାଶ ଯାତ୍ରାରେ ପୁଞ୍ଜିନିବେଶ ପାଇଁ ଏହା ଉପଯୁକ୍ତ ସମୟ ଏବଂ ସେମାନଙ୍କ ନିବେଶ ସଫଳତାର ନୂତନ ଶିଖରରେ ପହଞ୍ଚାଇବ। ଭାରତ ଅଭିବୃଦ୍ଧି ପଥରେ ଗତି କରୁଛି। ଏଆଇର ଦୁଇଟି ଅର୍ଥ ରହିଛି- ଗୋଟିଏ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅନ୍ୟଟି ହେଉଛି ଆସ୍ପିରେସନ ଅଫ ଇଣ୍ଡିଆ , ଯାହା ଭାରତର ଶକ୍ତି। ଲୋକଙ୍କ ଚାହିଦା ପୂରଣ ହେଲେ ଆକାଂକ୍ଷା ବଢ଼େ। ଗତ ଦଶନ୍ଧି ଦେଶ ପାଇଁ ଲାଭଦାୟକ ହୋଇଛି ଏବଂ କୋଟି କୋଟି ଲୋକଙ୍କୁ ସଶକ୍ତ କରିଛି। ଓଡ଼ିଶା ଏହି ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଓଡ଼ିଶାରେ ଅଗଣିତ ସୁଯୋଗ ରହିଛି ଏବଂ ଏଠାକାର ଲୋକମାନେ ସବୁବେଳେ ଭଲ କାମ କରିବାକୁ ଆଗ୍ରହ ଦେଖାନ୍ତି। ଗୁଜରାଟରେ ଓଡ଼ିଶାବାସୀଙ୍କ ଦକ୍ଷତା, କଠିନ ପରିଶ୍ରମ ଓ ସଚ୍ଚୋଟତା ନେଇ ନିଜ ବ୍ୟକ୍ତିଗତ ଅନୁଭୂତି ବାଣ୍ଟିବା ସହ ଓଡ଼ିଶାରେ ନୂଆ ସୁଯୋଗ ସୃଷ୍ଟି ହେବ, ରାଜ୍ୟ ଖୁବ୍‌ଶୀଘ୍ର ବିକାଶର ଶିଖର ଛୁଇଁବ ବୋଲି ଓଡ଼ିଶାକୁ ନେଇ ପ୍ରଧାନମନ୍ତ୍ରୀ ବିଶ୍ବାସ ପ୍ରକଟ କରିଥିଲେ। ଓଡ଼ିଶାର ବିକାଶକୁ ତ୍ୱରାନ୍ବିତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ତାଙ୍କ ଦଳର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ ବନ୍ଦରଭିଭିକ ବିକାଶ, ମତ୍ସ୍ୟଚାଷ, ସୂଚନା ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ବୟନଶିଳ୍ପ, ପର୍ଯ୍ୟଟନ, ଖଣି, ଅକ୍ଷୟ ଶକ୍ତି ଇତ୍ୟାଦି ବିଭିନ୍ନ ଶିଳ୍ପରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ଦିଗରେ ଗତି କରୁଛି ଏବଂ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି ଆଉ ବେଶୀ ଦୂର ନୁହେଁ। ଭାରତ ଅର୍ଥନୀତିର ସମ୍ପ୍ରସାରଣ ଦୁଇଟି ପ୍ରମୁଖ ସ୍ତମ୍ଭ। ଅଭିନବ ସେବା କ୍ଷେତ୍ର ଏବଂ ଗୁଣାତ୍ମକ ଉତ୍ପାଦ ଉପରେ ନିର୍ଭର କରେ। ଭାରତ ଖଣିଜ ପଦାର୍ଥ ଉତ୍ତୋଳନ, ସେଗୁଡ଼ିକୁ ବିଦେଶକୁ ରପ୍ତାନି ଏବଂ ସେଥିରେ ତିଆରି ସାମଗ୍ରୀକୁ ଆମଦାନି କରିବାର ଧାରା ବଦଳାଇଛି। ପ୍ରକ୍ରିୟାକରଣ ପାଇଁ ସାମୁଦ୍ରିକ ଖାଦ୍ୟ ଅନ୍ୟ ଦେଶକୁ ରପ୍ତାନି ଧାରାରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ଓଡ଼ିଶାରେ ସମ୍ବଳ ସମ୍ବନ୍ଧୀୟ ଶିଳ୍ପ ଗୁଡ଼ିକ ଯେପରି ରାଜ୍ୟ ଭିତରେ ପ୍ରତିଷ୍ଠା ହୋଇପାରିବ ସେଥ‌ିପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଏହି ସ୍ବପ୍ନକୁ ସାକାର କରିବାର ଏକ ମାଧ୍ୟମ। ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଯୁକ୍ତିର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଉଛି। ସୌର, ପବନ, ଜଳବିଦ୍ୟୁତ୍ ଏବଂ ସବୁଜ ହାଇଡ୍ରୋଜେନ୍ ସମେତ ସବୁଜ ପ୍ରଯୁକ୍ତି ବିଦ୍ୟା ଏବଂ ସବୁଜ ଭବିଷ୍ୟତ ଉପରେ ଭାରତ ଗୁରୁତ୍ବ ଦେଉଛି, ଯାହା ବିକଶିତ ଭାରତର ଶକ୍ତି ନିରାପତ୍ତାକୁ ଶକ୍ତି ପ୍ରଦାନ କରିବ। ଓଡ଼ିଶାରେ ପ୍ରଚୁର ସମ୍ଭାବନା ରହିଛି। ଦେଶ ଜାତୀୟସ୍ତରର ସବୁଜ ହାଇଡ୍ରୋଜେନ୍ ଏବଂ ସୌର ଶକ୍ତି ମିଶନ ଆରମ୍ଭ କରିଛି। ଓଡ଼ିଶାରେ ଅକ୍ଷୟ ଶକ୍ତି ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନିଆଯାଉଛି। ସବୁଜ ଶକ୍ତି ସହିତ ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋକେମିକାଲ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ପାରାଦ୍ବୀପ ଓ ଗୋପାଳପୁରରେ ଉତ୍ସର୍ଗୀକୃତ ଶିଳ୍ପ ପାର୍କ ଏବଂ ନିବେଶ ଜୋନ୍ ବିକଶିତ କରାଯାଉଛି, ଯାହା ଏହି ଅଞ୍ଚଳରେ ପୁଞ୍ଜିନିବେଶର ଯଥେଷ୍ଟ ସମ୍ଭାବନାକୁ ଦର୍ଶାଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳର ସମ୍ଭାବନାକୁ ଦୃଷ୍ଟିରେ ରଖି ତ୍ବରିତ ନିଷ୍ପତ୍ତି ନେବା ସହ ଏକ ନୂତନ ଇକୋସିଷ୍ଟମ ବିକଶିତ କରିଥିବାରୁ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ରାଜ୍ୟରେ ରେଳ ଓ ରାଜପଥ ନେଟୱର୍କ ସହ ଜଡ଼ିତ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଚାଲିଛି। ଓଡ଼ିଶାରେ ଶିଳ୍ପଗୁଡ଼ିକର ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ ପାଇଁ ସରକାର ବନ୍ଦରଗୁଡ଼ିକୁ ଶିଳ୍ପ କ୍ଲଷ୍ଟର ସହ ସଂଯୋଗ କରୁଛନ୍ତି। ବନ୍ଦରର ସମ୍ପ୍ରସାରଣ ଏବଂ ନୂତନ ବନ୍ଦର ନିର୍ମାଣ ଭଳି ନୀଳ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଏମ୍‌ଏସ୍‌ଏମ୍‌ଇ ଏବଂ ଯୁବ ଷ୍ଟାର୍ଟଅପ୍‌ଗୁଡ଼ିକୁ ସମର୍ଥନ ପାଇଁ ଶିଳ୍ପଜଗତକୁ ଆହ୍ବାନ ଜଣାଇଥିଲେ। ଓଡ଼ିଶାରେ ଏକ ଆଧୁନିକ ଇକୋସିଷ୍ଟମ ସୃଷ୍ଟି ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଶିଳ୍ପ ସହଯୋଗୀ ଏବଂ ଓଡ଼ିଶା ସରକାର ମିଳିତ ଭାବେ କାର୍ଯ୍ୟ କରିବାକୁ ମୋଦୀ ଆହ୍ବାନ ଦେଇଥିଲେ। ଏହାଦ୍ବାରା ଓଡ଼ିଶାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ସମୃଦ୍ଧି, ଶକ୍ତି ଓ ପ୍ରଗତି ହୋଇପାରିବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମଗ୍ର ବିଶ୍ବର ଲୋକମାନେ ଭାରତକୁ ବୁଝିବା ଏବଂ ଭାରତରୁ ଶିଖିବା ପାଇଁ ଆଗ୍ରହୀ। ଭାରତକୁ ବୁଝିବା ପାଇଁ ହଜାର ହଜାର ବର୍ଷର ଐତିହ୍ୟ ଓ ଇତିହାସ ଥିବା ଓଡ଼ିଶା ଏକ ମହାନ ସ୍ଥାନ। ବିଶ୍ବାସ, ଆଧ୍ୟାତ୍ମିକତା, ଜଙ୍ଗଲ, ପର୍ବତ ଓ ସମୁଦ୍ରର ଅନନ୍ୟ ମିଶ୍ରଣ ରାଜ୍ୟରେ ରହିଛି। ଓଡ଼ିଶାକୁ ବିକାଶ ଓ ଐତିହ୍ୟର ମଡେଲ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ଜି-୨୦ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ରକୁ ଜି-୨୦ର ମୁଖ୍ୟ କାର୍ଯ୍ୟକ୍ରମର ଏକ ଅଂଶ କରାଯାଇଥିଲା। ୫୦୦ କି.ମି ଦୀର୍ଘ ଉପକୂଳ, ୩୩ ପ୍ରତିଶତରୁ ଅଧ‌ିକ ଜଙ୍ଗଲ ଓ ପରିବେଶ ପର୍ଯ୍ୟଟନ ଓ ଦୁଃସାହସିକ ପର୍ଯ୍ୟଟନର ଅସୀମ ସମ୍ଭାବନା ଥିବା ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି। ଭାରତରେ ସଙ୍ଗୀତ, ନୃତ୍ୟ ଏବଂ କାହାଣୀର ସମୃଦ୍ଧ ଐତିହ୍ୟ ରହିଛି ଏବଂ ବହୁସଂଖ୍ୟକ ଯୁବ ସଙ୍ଗୀତ ଦର୍ଶକ ଅଛନ୍ତି। ଭାରତରେ ଲାଇଭ୍ କନସର୍ଟର ସମ୍ଭାବନାର ଉଦାହରଣ ଭାବେ ନିକଟରେ ମୁମ୍ବଇ ଏବଂ ଅହମ୍ମଦାବାଦରେ ଆୟୋଜିତ କୋଲ୍ଡପ୍ଲେ କନସର୍ଟକୁ ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ, ପ୍ରମୁଖ ବିଶ୍ବ କଳାକାରମାନେ ଭାରତ ପ୍ରତି ଆକର୍ଷିତ ହେଉଛନ୍ତି। କନସର୍ଟ ଅର୍ଥନୀତି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରେ ଏବଂ ଅନେକ ନିଯୁକ୍ତି ସୃଷ୍ଟି କରେ। ଆସନ୍ତା ମାସରେ ଭାରତ ପ୍ରଥମ ଥର ପାଇଁ ବିଶ୍ବ ଅଡ଼ିଓଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜନ କରିବ। ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ବିଶ୍ବକୁ ଭାରତର ସୃଜନଶୀଳ ଶକ୍ତି ଦେଖାଇବ। ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାର ପ୍ରଚୁର ସମ୍ଭାବନା ରହିଛି। ବିକଶିତ ଭାରତ ଗଠନରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାବାସୀ ଏକ ସମୃଦ୍ଧ ରାଜ୍ୟ ହେବା ପାଇଁ ସଂକଳ୍ପ ନେଇଛନ୍ତି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି। ଓଡ଼ିଶା ପ୍ରତି ନିଜର ଭଲପାଇବା ବ୍ୟକ୍ତ କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଭାବେ ସେ ଓଡ଼ିଶା ଓ ଏହାର ଅଧିକାଂଶ ଜିଲାକୁ ପ୍ରାୟ ୩୦ ଥର ଗସ୍ତ କରିଛନ୍ତି। ଜାନୁଆରୀ ୨୦୨୫ ପ୍ରାରମ୍ଭରୁ ଏହା ତାଙ୍କର ଦ୍ବିତୀୟ ଓଡ଼ିଶା ଗସ୍ତ। ପ୍ରବାସୀ ଭାରତୀୟ ଦିବସ ୨୦୨୫ର ଉଦ୍‌ଘାଟନ ପାଇଁ ତାଙ୍କର ଗସ୍ତକୁ ମନେପକାଇ ସେ ଏପରି କହିଥିଲେ। ଓଡ଼ିଶା ଓ ଜନସାଧାରଣଙ୍କ ସାମର୍ଥ୍ୟ ଉପରେ ତାଙ୍କର ବିଶ୍ବାସ ରହିଛି। ସମସ୍ତ ଅଂଶୀଦାରଙ୍କ ଦ୍ବାରା କରାଯାଇଥିବା ପୁଞ୍ଜିନିବେଶ ସେମାନଙ୍କ ବ୍ୟବସାୟ ଏବଂ ଓଡ଼ିଶାର ପ୍ରଗତିକୁ ନୂତନ ଉଚ୍ଚତାକୁ ନେଇଯିବ।
ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories