ନୂଆ ଅବକାରୀ ନୀତି ୨୦୨୫-୨୬ ପାଇଁ ପ୍ରସ୍ତୁତି ବୈଠକ, ବିଷାକ୍ତ ମଦ କାରବାର ରୋକିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ନୂଆ ଅବକାରୀ ନୀତି ୨୦୨୫-୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଜୀବନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ବିଷାକ୍ତ ମଦ୍ୟପାନଜନିତ ମୃତ୍ୟୁ କିମ୍ବା ଅସୁସ୍ଥତାକୁ ସରକାର କୌଣସି ପରିସ୍ଥିତିରେ ଗ୍ରହଣ କରିପାରିବେ ନାହିଁ । ଏହିଭଳି ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିସମୂହଙ୍କୁ କଡ଼ା ଦଣ୍ଡବିଧାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି ।

ଏହି କ୍ରମରେ ସ୍ଥାନୀୟ ଫର୍ଚୁନ ଟାୱାରସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅବକାରୀ ନୀତି ୨୦୨୫-୨୬ ପ୍ରସ୍ତୁତି ବୈଠକରେ ଅନ୍ତର୍ଜାତୀୟ ସ୍ପିରିଟ ଆଣ୍ଡ ୱାଇନ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ପ୍ରତିନିଧି ମଣ୍ଡଳି, ମଦ ପ୍ରସ୍ତୁତି ସଂଘର ସିଇଓ, ବିଦେଶୀ ମଦ ବିକ୍ରୟ ସଂଘର ପ୍ରତିନିଧି, ହୋଟେଲ ଓ ରେଷ୍ଟୁରାଣ୍ଟ ସଂଘର କର୍ମକର୍ତ୍ତା, ଦେଶୀ ମଦ ଦୋକାନୀସମୂହ, ଇଥାନେଲ ଓ ମିଥାନେଲ୍‌ ପ୍ରସ୍ତୁତକାରୀଙ୍କ ସମେତ ପଞ୍ଚାୟତିରାଜ, ଶିଳ୍ପ, ପର୍ଯ୍ୟଟନ, ଉଦ୍ୟାନ କୃଷି ଏବଂ ଅର୍ଥ ବିଭାଗର ନୋଡ଼ାଲ ଅଧିକାରୀମାନଙ୍କୁ ନେଇ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଏକ ସଶକ୍ତ ଇକୋସିଷ୍ଟମ୍‌ ବିକଶିତ କରି ଦାୟିତ୍ୱପୂର୍ଣ୍ଣ ମଦ୍ୟପାନକୁ ଗୁରୁତ୍ୱ ଦିଆଯିବା, ସମସ୍ତଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ, ରାଜସ୍ୱହାନି ହ୍ରାସ ନେଇ ବୈଠକରେ ଅଂଶୀଦାରମାନଙ୍କ ସହ ଆଲୋଚନା ହୋଇଥିଲା । ଏଥି ସହିତ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି, ମୂଲ୍ୟ ନିର୍ଦ୍ଧାରଣ, ଟିକସ ଢାଞ୍ଚାର ନବୀକରଣ, ବିଭିନ୍ନ ବିଭାଗ ସହ ସମନ୍ୱୟ, ସଡ଼କ ସୁରକ୍ଷା, ହୋଟେଲ ଶିଳ୍ପ, ବେଆଇନ ମଦକାରବାରରୁ ଦୂରେଇ ରଖିବା ନିମନ୍ତେ ନୂଆ ଜୀବନଜୀବିକା ସୃଷ୍ଟି ପାଇଁ କ’ଣସବୁ ପଦକ୍ଷେପ ନିଆଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା ।

ବୈଠକରେ ଅବକାରୀ କମିଶନର ନରସିଂହ ଭୋଳ, ଓଏସ୍‌ବିସି ଏମ୍‌ଡ଼ି ଅମ୍ବର କର, ସିଜିଏମ୍‌
ମାନସ ସ୍ୱାଇଁ, ଜିଏମ୍‌ ସଞ୍ଜୟ ରାଉତଙ୍କ ସମେତ ବିଭିନ୍ନ ବିଭାଗର ନୋଡ଼ାଲ ଅଧିକାରୀ ଓ ଅଂଶୀଦାରମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

 

Comments are closed.