ପ୍ରଶ୍ନପତ୍ର ପ୍ରଘଟ ଘଟଣା: ଧାମନଗର ଅଞ୍ଚଳର ଯୁବକକୁ ଗିରଫ କଲା ସାଇବର ପୁଲିସ

ଦୋବଲ : ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଧାମନଗର ଥାନା ଅଞ୍ଚଳ ଗୌଡ଼ବିଶି ନୂଆପଡ଼ାର ଯୁବକ ଜ୍ୟୋତିରଞ୍ଜନ ବାରିକଙ୍କୁ କଟକ ସାଇବର ଥାନା ପୁଲିସ ଗିରଫ କରିଛି। ଏକ ଏଜେନ୍ସି ପକ୍ଷରୁ ଗତବର୍ଷ କରାଯାଇଥିବା ମାମଲାରେ ଜ୍ୟୋତିରଞ୍ଜନ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏହାର ତଦନ୍ତ କରି ସାଇବର ଥାନା ପୁଲିସ ଆଜି ଗଉଡ଼ବିଶି ନୂଆପଡ଼ାରେ ପହଞ୍ଚିଥିଲା ଏବଂ ତାଙ୍କ ଘରୁ ଜ୍ୟୋତିରଞ୍ଜନଙ୍କୁ ଗିରଫ କରିଥିଲା।
ନିୟମ ଅନୁଯାୟୀ ତାଙ୍କୁ ଧାମନଗର ଥାନାକୁ ନେଇଥିଲେ। ଧାମନଗର ଥାନାରେ ଏନେଇ ଲିଖିତ ଭାବେ ଜଣାଇବା ପରେ ଜ୍ୟୋତିରଞ୍ଜନଙ୍କୁ ସାଙ୍ଗରେ ନେଇଥିଲେ। ଧାମନଗର ଥାନା ସବ ଇନସପେକ୍ଟର ରାଜେଶ ସେଠୀ କହିଛନ୍ତି ଯେ, କେଉଁ ନିର୍ଦ୍ଧିଷ୍ଟ ମାମଲାରେ ଜ୍ୟୋତିରଞ୍ଜନଙ୍କୁ ଗିରଫ କରାଯାଇଛି ସେନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ହେଲେ ଏକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜ୍ୟୋତିରଞ୍ଜନ ସମ୍ପୃକ୍ତ ବୋଲି ତାଙ୍କୁ କୁହାଯାଇଥିଲା।
ଅପରପକ୍ଷରେ ଜ୍ୟୋତିରଞ୍ଜନ କହିଛନ୍ତି ଯେ, ସେ ପିଲାଙ୍କୁ କୋଚିଂ ଦିଅନ୍ତି। କଟକରେ ତାଙ୍କର କୋଚିଂ ସେଣ୍ଟର ରହିଛି। ସେଠାରେ ମାଟ୍ରିକ ଓ ଯୁକ୍ତ ୨ ଛାତ୍ରଛାତ୍ରୀ ଟ୍ୟୁସନ ହୁଅନ୍ତି। ଗତବର୍ଷ ପିଲାଙ୍କୁ ପଢ଼ାଇବା ଉଦେଶ୍ୟରେ ଏକ ପ୍ରଶ୍ନପତ୍ର ୟୁଟ୍ୟୁବରେ ଅପଲୋଡ କରିଥିଲେ। ତାଙ୍କୁ ଅନ୍ୟ ଜଣେ ଶିକ୍ଷକ ଏହି ପ୍ରଶ୍ନପତ୍ର ଦେଇଥିଲେ। ହେଲେ ସେ କୌଣସି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ସାମିଲ ନାହାନ୍ତି ବୋଲି ଜ୍ୟୋତିରଞ୍ଜନ ପ୍ରକାଶ କରିଛନ୍ତି।
Comments are closed.