ମହାଶିବରାତ୍ରୀ ପର୍ବ ପାଳନର କାହାଣୀ

0

ମହାଶିବରାତ୍ରୀ ଆଉ ଅଳ୍ପ ଦିନ ବାକି ଅଛି। ଏଥିପାଇଁ ଭକ୍ତଙ୍କ ମଧ୍ୟରେ ଭକ୍ତିଭାବ ଓ ଉତ୍ସାହ ଲାଗି ରହିଛି। ଏହିଦିନ ସମସ୍ତେ ଭଗବାନ ଶିବଙ୍କର ପୂଜା କରିଥାଆନ୍ତି। ତାଙ୍କର ଶ୍ରଦ୍ଧାରେ ବ୍ରତ ମଧ୍ୟ ରଖିଥାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ମହାଶିବରାତ୍ରୀ ବ୍ରତ କ’ଣ ପାଇଁ ପାଳନ କରାଯାଇଥାଏ। ଆସନ୍ତୁ ଜାଣିବା ଏହି ବ୍ରତ ପଛରେ ଥିବା କାହାଣୀ ସମ୍ବନ୍ଧରେ ..

ବ୍ରତର ମହତ୍ତ୍ବ :

ମହାଶିବରାତ୍ରୀ ବ୍ରତ ରଖିବା ଦ୍ବାରା ଭକ୍ତଙ୍କର ସମସ୍ତ ପାପ ଦୂର ହୋଇଥାଏ। ଏପରି ମାନ୍ୟତା ରହିଛି ଯେ, ଯେଉଁ ଠାରେ ଶିବ ଲିଙ୍ଗ ସ୍ଥାପିତ ହୋଇଛି ସେଠାରେ ଭଗବାନ ଶିବ ସ୍ବୟଂ ବାସ କରିଥାଆନ୍ତି। ମହାଶିବରାତ୍ରୀ ଦିନ ଖୁବ ଶ୍ରଦ୍ଧାର ସହ ଭଗବାନ ଶିବଙ୍କୁ ପୂଜା କରିବା ଦ୍ବାରା  ତାଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଶିବରାତ୍ରୀର ବ୍ରତ କରିବା ସବୁଠାରୁ ପ୍ରଭାବଶାଳୀ ଓ ଲାଭକାରୀ ହୋଇଥାଏ।

ବ୍ରତ କଥା :

ପ୍ରାଚୀନ କାଳରେ ଜଣେ ଶିକାରୀ ଶିକାର କରି ନିଜ ପରିବାରର ପାଳନପୋଷଣ କରୁଥିଲା। ଥରେ ତାକୁ ଶିକାର କରିବାକୁ କିଛି ମିଳିଲା ନାହିଁ। ଏଥିପାଇଁ ଶିକାରୀ ଅତ୍ୟନ୍ତ ବ୍ୟସ୍ତ ହୋଇଗଲା। ସେ ମଧ୍ୟ ଡରିଗଲା ଯେ, ଶିକାର ନ ମିଳିଲେ ତା ପରିବାର ଉପାସରେ ରହିବେ। ଦିନ ସାରା ଶିକାର ଖୋଜି ଖୋଜି ଶିକାରୀଟି ଥକି ଯାଇଥିଲା। ରାତି ହେବାରୁ ସେ ଜଙ୍ଗଲ ନିକଟ ଏକ ସରୋବରକୁ ଚାଲିଯାଇଥିଲା। ସେଠାରେ ସେ ନିଜର ଶୋଷ ମେଣ୍ଟାଇ ଏକ ବେଲ ଗଛ ଉପରେ ବସିଗଲା। ଶିକାରୀକୁ ପୁରା ବିଶ୍ବାସ ଥିଲା ଯେ, ସରୋବର ନିକଟକୁ ଯେକୌଣସି ଜନ୍ତୁ ଆସିବେ।

କିଛି ସମୟ ପରେ ସେଠାକୁ ଏକ ହରିଣୀ ଆସିଲା। ଶିକାରୀଟି ତୁରନ୍ତ ନିଜର ଧନୁଶର କାଢି ତାକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଗଲା। କିନ୍ତୁ ଏପରି କରିବା ଦ୍ବାରା ବେଲପତ୍ରରୁ କିଛି ପତ୍ର ତଳେ ପଡିଗଲା। ସେଠାରେ ବେଲଗଛ ତଳେ ଏକ ଶିବଲିଙ୍ଗ ସ୍ଥାପିତ ହୋଇଥିବା କଥା ଶିକାରୀ ଜାଣିନଥିଲା। ଏହି ପ୍ରକାରେ ଶିକାରୀର ପ୍ରଥମ ପ୍ରହରର ଉପାସନା ହୋଇଗଲା। ପତ୍ରର ଶବ୍ଦ ଶୁଣି ହରିଣୀଟି ଡରିଗଲା ଏବଂ କହିଲା ମୋତେ ମାର ନାହିଁ। କିନ୍ତୁ ଶିକାରୀଟି ତା କଥା ଶୁଣିଲା ନାହିଁ। କାରଣ ହରିଣୀଟିକୁ ଶିକାର କରିବା ତା ପରିବାରର ଭୋକ ମେଣ୍ଟାଇ ଥାଆନ୍ତା। ଏହା ଜାଣି ହରିଣୀଟି ଶିକାରୀକୁ କହିଲା ଯେ, ସେ ନିଜର ପିଲାଙ୍କୁ ତା ସ୍ବାମୀ ନିକଟରେ ଛାଡି ଆସିବ। ତାପରେ ଶିକାରୀ ତାକୁ ମାରିବ। ଏହା ଶୁଣି ଶିକାରୀର ହୃଦୟ ତରଳି ଗଲା ଓ ସେ ତାକୁ ଯିବାକୁ କହିଲା।

ପୁନଶ୍ବ କିଛି ସମୟ ପରେ ଆଉ ଏକ ହରିଣୀ ସରୋବର ନିକଟକୁ ଆସିଲା। ଶିକାରୀ ପୁଣି ନିଜର ଧନୁତୀର ବାହାର କରିଲା। ସେହି ସମୟରେ ବେଲ ଗଛରେ ଧକ୍କା ହେବାରୁ ଆଉ କିଛି ପତ୍ର ଶିବଲିଙ୍ଗ ଉପରେ ପହିଲା। ଏହି ପ୍ରକାରେ ଶିକାରୀର ଦ୍ବିତୀୟ ପ୍ରହରର ଉପାସନା ହୋଇଗଲା। ଶିକାରୀକୁ ଦେଖି ହରିଣୀଟି ପ୍ରାଣଭିକ୍ଷା ମାଗିଲା। କିନ୍ତୁ ଶିକାରୀ ହରିଣୀ ଉପରେ ଦୟା କଲା ନାହିଁ। ଏହା ଦେଖି ହରିଣୀ କହିଲା, ଯେଉଁମାନେ ନିଜ କଥା ପାଳନ କରିନଥାଆନ୍ତି ସେମାନେ ଜୀବନରେ ଯେତେ ପୁଣ୍ୟ କଲେ ମଧ୍ୟ ତାହା ନଷ୍ଟ ହୋଇଯାଏ। ତେଣୁ ତୁମେ ବିଶ୍ବାସ ରଖ ମୁଁ ନିଶ୍ଚୟ ଫେରିବି। ଏହା ଶୁଣି ଶିକାରୀ ହରିଣୀକୁ ଯିବାକୁ ଅନୁମତି ଦେଲା।

ହରିଣୀ ଦୁଇଟିକୁ ଛାଡିବା ପରେ ଶିକାରୀକୁ ଅନୁଭବ ହେଲା ଯେ, ଆଜି ତାର ପରିବାର ଭୋକରେ ରହିବ। ଏହା ଭାବିବା ଭିତରେ ଆଉ ଏକ ହରିଣ ଆସିଲା। ପୂର୍ବ ପରି ଶିକାରୀ ନିଜର ତୀର ତା ଆଡକୁ ନେଲା। ଏହି  ପ୍ରକ୍ରିୟା ବେଳେ ପୁଣି କିଛି ବେଲ ପତ୍ର ଶିବଲିଙ୍ଗ ଉପରେ ପଡିଲା। ଏବଂ ଶିକାରୀଟିର ତୃତୀୟ ପ୍ରହରର ଉପାସନା ଶେଷ ହୋଇଗଲା। ହରିଣଟି ଶିକାରୀ ନିକଟରେ ପ୍ରାଣଭିକ୍ଷା କଲା ନାହିଁ ବରଂ କହିଲା ଯେ, ମୋର ସୌଭାଗ୍ୟ ଯେ, ମୁଁ କାହାର ପେଟର ଭୋକ ମେଣ୍ଟାଇ ପାରୁବି, କିନ୍ତୁ ମୁଁ ପ୍ରଥମେ ମୋ ଛୁଆଙ୍କୁ ତାଙ୍କର ମା’ ନିକଟରେ ଛାଡି ଆସେ।  ଏହା ଶୁଣି ଶିକାରୀର ବିଶ୍ବାସ ହେଲା ଓ ତାକୁ ଯିବାକୁ ଦେଲା।

କିଛି ସମୟ ପରେ ଶିକାରୀଟି ଦେଖିଲା ଯେ, ସମସ୍ତ ହରିଣ ଏକାସହ ତା ନିକଟକୁ ଆସୁଛନ୍ତି। ସେମାନଙ୍କୁ ଦେଖି ଶିକାରୀଟି ନିଜର ଧନୁତୀର କାଢିଲା। ଏପରି ଦ୍ବାରା ଗଛରୁ ପୁନଶ୍ଚ ବେଲପତ୍ର ଶିବଲିଙ୍ଗ ଉପରେ ପଡିଲା। ଏହାଦ୍ବାରା ତାର ଚତୁର୍ଥ ପ୍ରହରର ଉପାସନା ଶେଷ ହୋଇଗଲା। ଏହାଦ୍ବାରା ଶିକାରୀଟିର ଶିବଙ୍କ ଉପାସନା ସମ୍ପୂର୍ଣ୍ଣ ହୋଇଗଲା। ତାର ହୃଦୟ ମଧ୍ୟ ପରିବର୍ତ୍ତନ ​‌ହୋଇଗଲା। ଶିକାରୀ ଜାଣିପାରିଲା ଯେ, ସେ କଥା କହିପାରୁ ନଥିବା ଜନ୍ତୁମାନଙ୍କୁ ଶିକାର କରି ତାର ପରିବାର ପ୍ରତିପୋଷଣ କରୁଛି। ତେଣୁ ସେ ସମସ୍ତ ହରିଣମାନଙ୍କୁ ଫେରିଯିବାକୁ କହିଲା। ଶିକାରୀର ଏହି କାର୍ଯ୍ୟ ଦେଖି ଭଗବାନ ଶିବ ନିଜ ଦିବ୍ୟ ରୂପରେ ପ୍ରକଟ ହେଲେ। ଭଗବାନ ଶିବ ଶିକାରୀକୁ ବୈଭବ, ଯଶ ଓ ଖ୍ୟାତି ଲାଭ କରିବାର ଆଶୀର୍ବାଦ ଦେଲେ।

ସେହି ଦିନରୁ ଶିବରାତ୍ରୀ ପର୍ବ ଖୁବ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଉଛି।

 

Leave A Reply