ବିବାହ ଭୋଜିରେ ପଶିଲା କଲରାପତରିଆ, ପେଣ୍ଡାଲ ଛାଡ଼ି କାର୍‌ରେ ଲୁଚିଲେ ନବଦମ୍ପତି

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବୁଧବାର ଆୟୋଜିତ ଏକ ବିବାହ ଭୋଜିରେ ଏକ କଲରାପତରିଆ ବାଘ ପ୍ରବେଶ କରିବା ପରେ ଉତ୍ସବ ସ୍ଥଳରେ ଆତଙ୍କ ଖେଳିଯାଇଥିଲା। ଏଭଳି ଜଣେ ଅନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତି ସେଠାରେ କୋକୁଆ ଭୟ ସୃଷ୍ଟି କରିଥିଲା। ପ୍ରାଣ ବଞ୍ଚାଇବାକୁ ନବ ଦମ୍ପତିଙ୍କ ସମେତ ଅତିଥିମାନେ ପ୍ରାଣ ବିକଳରେ ଧାଁ ଧପଡ କରୁଥିବା ଭିଡିଓ ଚିତ୍ରରୁ ଜଣାପଡିଛି। ଏପରିକି କେତେକ ଅତିଥି ପ୍ରଥମ ମହଲାରୁ ତଳକୁ ଡେଇଁ ଆହତ ମଧ୍ୟ ହୋଇଛନ୍ତି। ବାଘକୁ କାବୁ କରିବାକୁ ଆସିଥିବା ପୁଲିସ ଓ ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ କିଛି ସମୟ ପାଇଁ ନାକେଦମ ହେବାକୁ ପଡିଥିଲା। ଦୀର୍ଘ ପାଞ୍ଚ ଘଣ୍ଟାର ପରିଶ୍ରମ ପରେ ବାଘକୁ କାବୁ କରାଯିବା ପରେ ସମସ୍ତେ ଆଶ୍ବସ୍ତ ହୋଇଥିବା କୁହାଯାଇଛି।

ସୂଚନା ମୁତାବକ ଲକ୍ଷ୍ନୌସ୍ଥିତ ଏକ ବିବାହ ମଣ୍ଡପରେ ଅକ୍ଷୟ ଓ ଜ୍ୟୋତି ଶ୍ରୀବାସ୍ତବଙ୍କର ଭୋଜି ଆୟୋଜିତ ହୋଇଥିଲା। ନିମନ୍ତ୍ରିତ ଅତିଥିମାନେ ସୁସ୍ବାଦୁ ଖାଦ୍ୟପେୟର ମଜା ନେଉଥିବାବେଳେ ବରକନ୍ୟାଙ୍କ ଫଟୋ ସେସନ୍‌ ମଧ୍ୟ ଚାଲିଥିଲା। ରାତି ୯ଟା ସମୟରେ କଲରାପତିରିଆର ଉପସ୍ଥିତି ପ୍ରଥମେ ଜଣେ ଫଟୋଗ୍ରାଫରଙ୍କ ନଜରକୁ ଆସିଥିଲା। ସେ ବାଘ.. ବାଘ ଚିତ୍କାର କରିବା ଫଳରେ ସେଠାରେ ଉପସ୍ଥିତ ଅତିଥିଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅଧା ଖିଆ ପ୍ଲେଟ ଛାଡି ସେମାନେ ପ୍ରାଣ ବଞ୍ଚାଇବାକୁ ଏଣେ ତେଣେ ଦୌଡୁଥିବାବେଳେ ବରକନ୍ୟା ପେଣ୍ଡାଲ ଛାଡି ଗୋଟିଏ କାର୍‌ରେ ଲୁଚି ଯାଇଥିଲେ। ବାଘର ଉପସ୍ଥିତି ସମ୍ପର୍କରେ ପୁଲିସ ଓ ବନ ବିଭାଗକୁ ଖବର ଦିଆଯାଇଥିଲା। କୋଳାହଳରେ ଘାବରେଇ ଯାଇଥିବା ବାଘଟି ପ୍ରସ୍ଥାନ ବାଟ ଖୋଜି ପାଇବାକୁୁ ଉତ୍ସବ ସ୍ଥଳରେ ଘୂରି ବୁଲୁଥିଲା। ବାଘଟି ଛାତ ଉପରେ ଲୁଚିଥିବା ଡ୍ରୋନ୍‌ ଚିତ୍ରରୁ ଜଣାପଡିଥିଲା। ଉଦ୍ଧାରକାରୀ ଦଳ ଉପର ମହଲାକୁ ଚଢୁଥିବାବେଳେ ହଠାତ୍‌ ବାଘ ଆକ୍ରମଣ କରିବାରୁ ସର୍ବାଗ୍ରେ ଥିବା ପୁଲିସ ଅଧିକାରୀ ମୁକଦର ଅଲ୍ଲୀ ଆହତ ହୋଇଥିଲେ। ବାଘ ତାଙ୍କର ଡାହାଣ ହାତକୁ କାମୁଡି ଦେବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ବନ ବିଭାଗ କର୍ମଚାରୀ ବାରମ୍ବାର ବାଘକୁ ଲକ୍ଷ୍ୟ କରି ନିଶ୍ଛେତକ ଗୁଳି ଚଳାଇଥିଲେ ସୁଦ୍ଧା ଏହା ସଫଳ ହୋଇନଥିଲା। ଦୀର୍ଘ କେତେ ଘଣ୍ଟା ଧରି ବାଘ ଓ ବନ କର୍ମଚାରରୀଙ୍କ ମଧ୍ୟରେ ଏଭଳି ଲୁଚକାଳି ଚାଲିଥିଲା। ଶେଷରେ ରାତି ୨ଟା ସମୟରେ ବାଘକୁ ନିଶ୍ଚେତକ ଗୁଳିରେ ବେହୋସ କରାଯିବା ପରେ ସମସ୍ତେ ଆଶ୍ବସ୍ତ ହୋଇଥିଲେ। ଏଭଳି ବିବାହ ଭୋଜି ସବୁ ଦିନ ପାଇଁ ମନେ ରହିବ ବୋଲି ବରକନ୍ୟାଙ୍କ ସମେତ ଅତିଥିମାନେ କହିଛନ୍ତି।

Comments are closed.