ଅଦାକୁ ଆଦର, ମହିଳାଙ୍କୁ ରୋଜଗାର

ନନ୍ଦପୁର : କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଏବେ ଅଦା ଉତ୍ପାଦନ ଅଧିକ ହେଉଛି। ଅଦାର ଆଦର ବଢ଼ି ଯାଇଛି। ଦର କମ୍ ରହିଛି। ଅଦା କିଣି ପ୍ରକ୍ରିୟାକରଣ କରାଯାଉଛି। ଅଦା ଚାଷୀ ଓ ମହିଳା ଗୋଷ୍ଠୀ ଉପକୃତ ହେଉଛନ୍ତି। ଗାଁର ମହିଳାଙ୍କୁ ରୋଜଗାର ବାଟ ଦେଖାଇଛି। ‘‘ଆମ ଗାଁରେ ୨୭ ପରିବାର ବସବାସ କରୁଛୁ। ସମସ୍ତେ ଆଗରୁ ପରିବାର ଚଳାଇବା ପାଇଁ ନନ୍ଦପୁର, ସେମିଳିଗୁଡ଼ା ଅଞ୍ଚଳକୁ ଯାଇ କୁଲିମଜୁରୀ କରୁଥିଲୁ। ସକାଳେ କାମକୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲୁ। ଏବେ ଆମ ସ୍ଥିତି ବଦଳିଛି। ବାହାରକୁ ନ ଯାଇ ଘରେ ରହି ରୋଜଗାରକ୍ଷମ ହୋଇପାରିଛୁ’’ ବୋଲି ନନ୍ଦପୁର ଲୁହାବା ମାଳିପୁଟ ଗାଁର ମା’ ତାରିଣୀ ମହିଳା ଗୋଷ୍ଠୀର ମହିଳାମାନେ କହିଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ, ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରଦାନ’, ନାରୀଶକ୍ତି ଏଫପିସି ଓ ଏସ୍ ଫର୍ ଏସ ସଂସ୍ଥାର ସହଯୋଗ, ସହାୟତା ଓ ପରାମର୍ଶରେ ୨୭ ଘରେ ୨୭ଟି ଅଦା ପ୍ରକ୍ରିୟାକରଣ ମେସିନ ସ୍ଥାପନ କରି ରୋଜଗାର କରୁଛନ୍ତି। ଦୈନିକ ଗୋଟିଏ ପରିବାର ୩ରୁ ୪ ବସ୍ତା ସଂଗୃହୀତ ଅଦା ଧୋଇବା, କାଟିବା, ଶୁଖାଇବା ଓ ପ୍ୟାକିଂ ଆଦି ପ୍ରକ୍ରିୟାକରଣ କରି ପାରୁଛନ୍ତି। ୫୦ କି.ଗ୍ରାର ବସ୍ତା ପିଛା ୧୨୦ ଟଙ୍କା ମିଳୁଛି। ପ୍ରକ୍ରିୟାକରଣ ପରେ ଏସ ଫର୍ ଏସ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଅଦା ମହାରାଷ୍ଟ୍ରର ଔରଙ୍ଗାବାଦ ପଠାଯାଉଛି ବୋଲି ମା’ ତାରିଣୀ ମହିଳା ଗୋଷ୍ଠୀର ସଭାପତି ଭଗବତୀ ପାତ୍ର, ସମ୍ପାଦକ କମଳା ପାତ୍ର, ଜୈନଦେବ ମହିଳା ଗୋଷ୍ଠୀ ସଭାପତି ଗୋରୀମଣି ନାୟକ ସମ୍ପାଦକ ତୁଳସୀ ପାତ୍ର, ଲୁଖମା ମହିଳା ଗୋଷ୍ଠୀ ସଭାପତି ଗୋରା ନାୟକ, ସମ୍ପାଦକ ସୁଭଦ୍ରା ନାୟକ ଓ ସଦସ୍ୟ କହିଛନ୍ତି।
ରାଜ୍ୟ ସରକାରଙ୍କ ଉଦ୍ୟାନ ଓ ମିଶନ ଶକ୍ତି ବିଭାଗ ସହ ପ୍ରଦାନ ସଂସ୍ଥାର କ୍ଷେତ୍ର ପରିଦର୍ଶକ ଶଙ୍କର ପ୍ରସାଦ ନାୟକ, ନାରୀଶକ୍ତି ଏଫପିସିର ଶରତ ତାଲାବ ଓ ଧନୁ ଖେମୁଣ୍ଡୁଙ୍କ ପରାମର୍ଶ ଓ ସହାୟତାକୁ ଗ୍ରାମର ମହିଳା ଓ ପୁରୁଷ ମିଶି ପ୍ରଶଂସା କରିଛନ୍ତି। ୨୦୧୯ରେ ନନ୍ଦପୁର ବ୍ଲକ ଖୁର୍ଜି ପଞ୍ଚାୟତର ଖୁର୍ଜି, ମୁଲିଆପୁଟ, ସେମିଳିପୁଟ, ଡକରିପୁଟ, ଗାଲପୁଟ, ବଡପଦର, କୀରାଝୋଲା, ସେମେଳା, ସିନ୍ଧିପୁଟ ଗ୍ରାମ ଓ ସୁବାଇ ପଞ୍ଚାୟତର ଲୁହାବା ମାଳିପୁଟ ଗ୍ରାମରେ ପ୍ରଥମେ ୫ଟି ଲେଖାଏଁ ପ୍ରକ୍ରିୟାକରଣ ମେସିନ ସ୍ଥାପନ ହୋଇଥିଲା। ଦୁଇ ପଞ୍ଚାୟତ ଅଞ୍ଚଳରେ ବହୁଳ ଉତ୍ପାଦନ ହେଉଥିବା ଅଦାର ପ୍ରକ୍ରିୟାକରଣ ଆରମ୍ଭ କରାଯାଇଥିଲା। ଏବେ ୫ଶହ ଅଦା ପ୍ରକ୍ରିୟାକରଣ ମେସିନ ଘରେ ଘରେ ସ୍ଥାପନ ହୋଇପାରିଛି। ୫ଶହ ପରିବାରର ମହିଳା ଘରେ ବସି ଦୈନିକ ୪୦୦ ଟଙ୍କା ରୁ ୫୦୦ ଟଙ୍କା ଲେଖାଏଁ ରୋଜଗାର କରୁଛନ୍ତି। ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଗଲେ ଅଦାଚାଷ ଓ ଅଦାକୁ ନେଇ ଆନୁସଙ୍ଗିକ ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ ବୋଲି ପ୍ରଦାନ ସଂସ୍ଥା ପରିଚାଳକ ନିକିତା ସାଇକିଆ କହିଛନ୍ତି।
Comments are closed.