ପିଛା ଛାଡୁନି, ନା ବିବାଦକୁ ଡାକୁଛନ୍ତି ଜୟନାରାୟଣ ?

ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପିଛା ଛାଡୁନି ବିବାଦ କିମ୍ବା ସେ ବିବାଦକୁ ଡାକୁଛନ୍ତି ବୋଲି ସହରରେ ଚର୍ଚ୍ଚା ଲାଗି ରହିଛି। ବିବାଦ ସହିତ ଜୟନାରାୟଣଙ୍କ ପୁରୁଣା ସମ୍ପର୍କ ରହିଥିବାବେଳେ ପୁଣି ଏକ ବିବାଦରେ ତାଙ୍କର ସଂପୃକ୍ତିକୁ ନେଇ ଚାରିଆଡେ ଚର୍ଚ୍ଚା। ଆଗାମୀ ରାମ ନବମୀ ଓ ହନୁମାନ ଜୟନ୍ତୀ ପାଇଁ ସହରରେ ଉତ୍ସାହ ଓ ଉନ୍ମାଦନା ବୃଦ୍ଧି ପାଉଥିବାବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏବେ ବିଭିନ୍ନ ଅଞ୍ଚଳରେ ଝଣ୍ଡା ସ୍ଥାପନର କାର୍ଯ୍ୟକ୍ରମ ଜାରି ରହିଛି। ଗତ ୨ ତାରିଖ ବୁଧବାର ରାତିରେ ପୁରୁଣା ବସ୍ତି ଅଞ୍ଚଳରେ ଝଣ୍ଡା ସ୍ଥାପନ ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମୟରେ ସମିତିର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇ ପାରମ୍ପରିକ ବାଦ୍ୟ ଓ ଆଖଡାର ତାଳରେ ପୁରୁଣା ବସ୍ତି ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲି ବୁଲି ଝଣ୍ଡା ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମର ଶେଷ ସ୍ଥଳ ଗୋଲ ବଜାର ହୋଇଥିବାରୁ ସେଠାରେ ଏହି ଝଣ୍ଡା ସ୍ଥାପନ ଶୋଭାଯାତ୍ରା ପହଞ୍ଚିବାପରେ ସେଠାରେ ଝଣ୍ଡା ସ୍ଥାପନ ସମୟରେ ପାରମ୍ପରିକ ଆଖଡା ଖେଳ ହୋଇଥିଲା। ଏହି ସମୟରେ କିଛି ଯୁବକ ଖଣ୍ଡା ଧରି ଆଖଡା ଖେଳ ପୁଲିସ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଏହାକୁ ପୁଲିସ ବିରୋଧ କରିବାରୁ କିଛି ସମୟ ଧରି ଉଚ୍ଚବାଚ ସହିତ ଛକାପଞ୍ଜା ଜାରି ରହିଥିଲା। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିବାବେଳେ ପୁଲିସ ପକ୍ଷରୁ ଟାଉନ ଥାନାରେ ୮ ଜଣଙ୍କ ବିରୋଧରେ ଏକ ମୋକଦ୍ଦମା ରୁଜୁ କରାଯାଇଛି। ଏଥି ସହ ଜଣେ ପୁଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ମଧ୍ୟ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା କୁହାଯାଉଛି। ତେବେ ଏହି ମାମଲାରେ ସମ୍ବଲପୁର ପୁଲିସର କେହି ମଧ୍ୟ ମୁହଁ ଖୋଲିବାର ସାହସ କରୁନାହାନ୍ତି।

ଅପରପକ୍ଷରେ ଜୟନାରାୟଣ ସରକାରୀ ଦଳର ବିଧାୟକ ସହିତ ରାଜ୍ୟରେ ଜଣେ ଟାଣୁଆ ନେତା ଭାବେ ପରିଚିତ ଥିବାବେଳେ ତାଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ ହେବା ଘଟଣାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ମହିଳା ପୁଲିସ ଅଧିକାରୀଙ୍କ ସହିତ ଧସ୍ତାଧସ୍ତି, ପୁଲିସ ଅଧିକାରୀମାନଙ୍କୁ ଗାଳିଗୁଲଜ କରିବା, ବନ୍ଦେ ଉତ୍କଳ ଜନନୀ ଗାନ ସମୟରେ ବସି ରହିବା, ନିଜ ସରକାରରେ ଥାଇ ପଶ୍ଚିମ ଓଡ଼ିଶାକୁ ଅବହେଳାର ଖୋଲାଖୋଲି ଭାବରେ ସରକାରୀ କାର୍ଯ୍ୟକ୍ରମରେ ବିରୋଧ କରିବା ଭଳି ଅନେକ ବିବାଦର ସୂଚୀ ଜୟନାରାୟଣଙ୍କ ନାଁରେ ରହିଛି। ଏଠାରେ ଜନତାଙ୍କ ମଧ୍ୟରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ, ଶାସକ ଦଳର ଟାଣୁଆ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ସମ୍ମାନଜନକ ବିଧାନସଭା ଆସନକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିଙ୍କ ବାରମ୍ବାର ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି।

ଅନ୍ୟପଟେ ସମ୍ବଲପୁର ଜିଲାରେ ଚାଲିଥିବା ଗୋଷ୍ଠୀ ବିବାଦ କାହାରିକୁ ଅଛପା ନ ଥିବାବେଳେ ଦୀର୍ଘ ବର୍ଷ ଧରି ସମ୍ବଲପୁରକୁ
ବିଜେପିର ଗଡ଼ ରୂପେ ପରିଣତ କରିଥିବା ଜୟନାରାୟଣଙ୍କୁ ରାଜ୍ୟରେ ତାଙ୍କର ଦଳ ପ୍ରଥମ ଥର ପାଇଁ ସରକାର ଗଠନ କରିବାର ୧୦ ମାସ ବିତିଯିବା ସତ୍ୱେ କୌଣସି ପଦବୀ ଦେଉ ନ ଥିବାରୁ ସେ ତାଙ୍କର କୋହ ନିୟମିତ କୌଣସି ନା କୌଣସି ପ୍ରକାରରେ ବିବାଦୀୟ ଘଟଣାଗୁଡିକୁ ସୃଷ୍ଟି କରି ପ୍ରକାଶ କରୁଛନ୍ତି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଗୋଟିଏ ପଟେ ଦୀର୍ଘ ଦଶନ୍ଧି
ଧରି ଦଳ ପାଇଁ କାର୍ଯ୍ୟ କରିବା ପରେ ଦଳର ପ୍ରଥମ ସରକାର ଗଠନ ପରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ନ କରିବାର ଅସନ୍ତୋଷ, ନିଜର ଝିଅକୁ ରାଜନୀତିରେ ସ୍ଥାପିତ କରିବାର ଚିନ୍ତା, ବିରୋଧି ଗୋଷ୍ଠୀଙ୍କୁ ନିଷ୍କ୍ରିୟ କରିବା ଏବେ ଜୟନାରାୟଣ ପାଇଁ ବିରାଟ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ସରକାରୀ ଦଳର ବିଧାୟକ ଥାଇ, ନିଜର ଗୃହ ସହରର ଟାଉନ ଥାନାରେ ମାମଲା ରୁଜୁ ହେବା ଘଟଣା ପଛରେ ଗୋଷ୍ଠୀ ବିବାଦ ରହିଛି ବୋଲି ମତ ପ୍ରକାଶ ପାଉଛି। ହନୁମାନ ଜୟନ୍ତୀ ପାଳନ ଦୀର୍ଘ ଦଶନ୍ଧୀ ଧରି ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ହୋଇ ଆସୁଥିବା ବେଳେ ଏକଦା ତାଙ୍କର ଏକାନ୍ତ ଅନୁଗତ ରହିଥିବା ଜିଲା ବିଜେପି ସଭାପତି ଗିରିଶ ପଟେଲ ତାଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ସେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପରେ ରହିଥିବାବେଳେ ଚଳିତ ବର୍ଷ ହନୁମାନ ଜୟନ୍ତୀ ପୁର୍ବରୁ ଶ୍ରୀରାମ ନବମୀ ଉତ୍ସବ ଗିରିଶ ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ପ୍ରଥମ ଥର ପାଇଁ ସମ୍ବଲପୁରରେ ଆୟୋଜିତ ହେଉଛି। ଏଥି ପାଇଁ ଉଭୟ କ୍ୟାମ୍ପ ମଧ୍ୟରେ ଏବେ ତୀବ୍ର ପ୍ରତିଯୋଗିତା ଦେଖା ଯାଉଥିବାବେଳେ ଉଭୟ ଗୋଷ୍ଠୀ ସେମାନେ ଆୟୋଜିତ କରୁଥିବା ଉତ୍ସବକୁ ଅନ୍ୟର ଉତ୍ସବ ଅପେକ୍ଷା ଅଧିକ ପ୍ରଭାବୀ କରିବା ପାଇଁ ଚେଷ୍ଟା କରୁଛନ୍ତି। ସମ୍ବଲପୁର ଜିଲା ବିଜେପିରେ ଚାଲିଥିବା ଗୋଷ୍ଠୀ ବିବାଦ ପାଇଁ ଏ ପର୍ଯ୍ୟନ୍ତ ସାରା ରାଜ୍ୟର ଜିଲା ବିଜେପି ସଭାପତିଙ୍କ ନାମ ଘୋଷଣା କରାଯାଇ ସାରିଥିବା ବେଳେ କିନ୍ତୁ ସମ୍ବଲପୁରର ନାମ ଏବେ ମଧ୍ୟ ଅଟକି ରହିଛି। ଦୀର୍ଘ ବର୍ଷ ହେବ ଜିଲା ଗୋଷ୍ଠୀ ବିବାଦ ଯୋଗୁଁଁ ଉଭୟ ଗୋଷ୍ଠୀ ପରସ୍ପରର ଗୋଛି କଟାରେ ବ୍ୟସ୍ତ ରହିଥିବା ବେଳେ ସଦ୍ୟ ଟାଉନ ଥାନାରେ ଜୟନାରାୟଣଙ୍କ ବିରୋଧରେ ହୋଇଥିବା ମାମଲା ଏହାର ପ୍ରତିଫଳନ ଅଟେ ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି। ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ୨ଟି ପ୍ରମୁଖ ହିନ୍ଦୁ ଉତ୍ସବ ପାଳିତ ହେବାକୁ ଯାଉଥିବାବେଳେ ଏହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଆହୁରି ତୀବ୍ର ହେବ ଏବଂ ଅନେକ କିଛି ଘଟଣା ଦେଖିବାକୁ ମିଳିପାରେ ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି।

Comments are closed.