ବାସୁଦେବପୁର: ବାସୁଦେବପୁର ବ୍ଲକରେ ଥିବା ସରକାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଥିବା କାରଣରୁ ଗୁରୁବାର ବ୍ଲକ ପ୍ରଶାସନ ପକ୍ଷରୁ ମୁଖ୍ୟ କିରାଣୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନାନୁଯାୟୀ, ସକାଳୁଆ ଦପ୍ତର ଖୋଲାଯିବାଠାରୁ କେତେକ କର୍ମଚାରୀ ମନମୁଖୀ ଭାବରେ ପହଞ୍ଚିବାକୁ ନେଇ ବିଡିଓ ତନ୍ମିତା କର ଅସନ୍ତୋଷ ପ୍ରକାଶ କରି ସଠିକ ସମୟରେ ଦପ୍ତରରେ ପହଞ୍ଚିବାକୁ ତାଗିଦ କରିଥିଲେ। ମାତ୍ର ମୁଖ୍ୟ କିରାଣୀ ରାମଜିତ ମାରାଣ୍ଡି ତାଗିଦକୁ ଖାତିର ନ କରିବା କାରଣରୁ ଆଜି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ବିଡିଓ ତନ୍ମିତା କର ଜଣାଇଛନ୍ତି। ଏଥିସହିତ ଓଡ଼ିଶା ଜୀବିକା ମିଶନର ବିପିଏମ ଅଜୟ କୁମାର ବାରିକ ନିୟମିତ ଭାବେ ସରକାରୀ ଦପ୍ତରରେ ସଠିକ ସମୟରେ ଯୋଗଦେଉ ନ ଥିବାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ବିପିଏମ ଅଜୟ ବାରିକ କୁହନ୍ତି, ଆମକୁ ସରକାରୀ କ୍ୱାର୍ଟର୍ସ ଯୋଗାଇ ଦିଆଯାଇନାହିଁ। ଫଳରେ ଦୂରଦୁରାନ୍ତରୁ ଆସି ସଠିକ ସମୟରେ ଦପ୍ତରରେ ପହଞ୍ଚିବା ସମ୍ଭବପର ହୋଇପାରୁନାହିଁ।
Popular Categories



