ପରମପିତା ପରମାତ୍ମା ଶିବଙ୍କୁ ଜ୍ଞାନର ସାଗର, ଶାନ୍ତିର ସାଗର, ସୁଖର ସାଗର, ଆନନ୍ଦର ସାଗର, ପତିତପାବନ, ଦୁଃଖହର୍ତ୍ତା, ସୁଖକର୍ତ୍ତା କୁହାଯାଏ। ଶାସ୍ତ୍ରରେ ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ, ଶିବ ପରମାତ୍ମାୟ ନମଃ କୁହାଯାଇଛି।
‘ଶିବରାତ୍ରି’ ବିଷୟରେ ଜାଣିବାକୁ ହେଲେ ପ୍ରଥମେ ରାତ୍ରି ଶବ୍ଦର ଅର୍ଥ ବୁଝିବାକୁ ହେବ। ଏଠାରେ ‘ରାତ୍ରି’ ଶବ୍ଦର ସୂକ୍ଷ୍ମ ଅର୍ଥ ହେଉଛି – ଦୁଃଖ, ଅଶାନ୍ତି, ପାପ, ଭ୍ରଷ୍ଟାଚାର, ଅନ୍ୟାୟ, ଅତ୍ୟାଚାର। ପରମାତ୍ମାଙ୍କର ଏହି ଧରାରେ ଆସିବା ସମୟ ବିଷୟରେ ଶ୍ରୀମଦ୍ଭଗବତ ଗୀତାରେ ମଧ୍ୟ ବର୍ଣ୍ଣିତ – ‘‘ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ…’’ ଅର୍ଥାତ୍ ଯେତେବେଳେ ଏହି ଦୁନିଆରେ ଦୁଃଖ, ଅଶାନ୍ତି, ପାପ, ଅନ୍ୟାୟ ବୃଦ୍ଧି ହୁଏ, ସେତେବେଳେ ସମସ୍ତଙ୍କ ଉଦ୍ଧାର ପାଇଁ ପରମାତ୍ମାଙ୍କୁ ଏହି ଧରାରେ ଅବତରିତ ହେବାକୁ ହୁଏ।
ପରମାତ୍ମା ଶିବ ଯେଉଁ ସମୟରେ ଧରାରେ ଅବତରିତ ହୁଅନ୍ତି, ସେ ସମୟକୁ ସଙ୍ଗମଯୁଗ କୁହାଯାଏ। ସଙ୍ଗମଯୁଗ ହେଉଛି – କଳିଯୁଗ ଦୁନିଆର ଅନ୍ତ ଏବଂ ସତ୍ୟଯୁଗ ଦୁନିଆର ଆରମ୍ଭ ସମୟ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ସଙ୍ଗମଯୁଗରେ ଅଜନ୍ମା ପରମାତ୍ମା ଶିବଙ୍କ ଜନ୍ମ କିପରି ହୁଏ ? ପ୍ରକୃତରେ ଅବତରଣ କୌଣସି ଶରୀରର ଆଧାର ଦ୍ବାରା ହୁଏ। ପରମାତ୍ମା ଯେଉଁ ଶରୀର ଆଧାର ନିଅନ୍ତି, ତାଙ୍କ ନାମ ‘ପ୍ରଜାପିତା ବ୍ରହ୍ମା’ ରଖନ୍ତି। ଶାସ୍ତ୍ରରେ ବର୍ଣ୍ଣିତ – ତ୍ରିମୂର୍ତ୍ତି ପରମାତ୍ମା ଶିବ ବ୍ରହ୍ମାଙ୍କ ଦ୍ବାରା ସ୍ଥାପନା, ବିଷ୍ଣୁଙ୍କ ଦ୍ବାରା ପାଳନ ଏବଂ ଶଙ୍କର ଦ୍ବାରା ମହାବିନାଶ। ପରମାତ୍ମା ଶିବ ବ୍ରହ୍ମାଙ୍କ ମୁଖ ଦ୍ବାରା ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ଆତ୍ମାର ପରିଚୟ ଏବଂ ସୃଷ୍ଟିର ଆଦି ମଧ୍ୟ ଜ୍ଞାନ ପ୍ରଦାନ କରନ୍ତି। ପରମାତ୍ମା ଦତ୍ତ ଏହି ଜ୍ଞାନ ଦ୍ବାରା ଜୀବାତ୍ମା ନିଜ ଭିତରେ ଦିବ୍ୟତାକୁ ଜାଣିବା ସଙ୍ଗେ ସାଙ୍ଗେ ଆସୁରୀ ଅବଗୁଣ ଦ୍ବାରା କିପରି ପାପକର୍ମରେ ଲିପ୍ତ ହୋଇଥାଏ, ତା’ ମଧ୍ୟ ସେ ଅନୁଭବ କରେ।
ସମସ୍ତ ପାପ କର୍ମର ମୁକ୍ତ ହେବା ପାଇଁ ପରମାତ୍ମା ଶିବଙ୍କର ମୁଖ୍ୟ ଶିକ୍ଷା ହେଉଛି – ଆତ୍ମା ଅଭିମାନୀ ହୋଇ ନିରାକାର ପରମାତ୍ମା ଯଥାର୍ଥ ରୀତି ଜାଣିବା / ଏହାଦ୍ବାରା ଆତ୍ମାରେ ବିଦ୍ୟମାନ ଅନେକ ଜନ୍ମର ବିକର୍ମ, ପାପ ବିନାଶ ହୋଇ ସତ୍ତ୍ବପ୍ରଧାନ ହୁଏ। ଯେତେବେଳେ ନିଜକୁ ଆତ୍ମା ନିଶ୍ଚୟ କରି ନିରାକାର ପରମାତ୍ମା ଶିବଙ୍କୁ ସ୍ମରଣ କଲେ, ମୋବାଇଲ ଚାର୍ଜ ହେଲା ଭଳି ଆତ୍ମାରୂପୀ ବ୍ୟାଟେରି ଦିବ୍ୟଗୁଣ ଏବଂ ଈଶ୍ବରୀୟ ଶକ୍ତିରେ ପରିପୂର୍ଣ୍ଣ ହୋଇଯାଏ। ନିରନ୍ତର ଅଭ୍ୟାସ ଦ୍ବାରା ତମୋଗୁଣୀ ଆତ୍ମା ସତ୍ତ୍ବଗୁଣୀରେ ପରିବର୍ତ୍ତନ ହୁଏ।
ପରମାତ୍ମା ଶିବଙ୍କର ଏହି ଦିବ୍ୟ ଜ୍ଞାନଦ୍ବାରା କଳିଯୁଗୀ ପତିତ ଦୁଃଖ ଅଶାନ୍ତ ମନୁଷ୍ୟ ଦିବ୍ୟଗୁଣଧାରୀ ଦେବତାରେ ପରିବର୍ତ୍ତନ ହୁଅନ୍ତି। ସେଥିପାଇଁ ପରମାତ୍ମା ଶିବଙ୍କୁ ପତିତପାବନ, ଦୁଃଖହର୍ତ୍ତା ସୁଖକର୍ତ୍ତା କୁହାଯାଏ।
ଏହି କଳିଯୁଗୀ ମହାବିନାଶ ସମୟରେ ଅଧିକରୁ ଅଧିକ ପରମାତ୍ମାଙ୍କଠାରେ ମନ ନିବେଶ କରି ସତ୍କର୍ମ କରିବା ପାଇଁ ଚେଷ୍ଟିତ ହେବା ଦରକାର। ମନ ଓ ବିବେକକୁ ସଦା ଉଜାଗର ରଖିବା ବି ଜରୁରୀ। ଏହା କରିପାରିଲେ ପ୍ରକୃତ ମହାଶିବରାତ୍ରିର ପର୍ବର ଯଥାର୍ଥତାଙ୍କୁ ଜୀବନରେ ପ୍ରେୟାଗ କରିପାରିବା।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଝାଞ୍ଜିରୀମଙ୍ଗଳା, କଟକ



