ସୁସ୍ଥ ଜୀବନଚର୍ଯ୍ୟାରେ ବିପ୍ଲବ ଆଣିଛି ଯୋଗାଭ୍ୟାସ: ମୋଦୀ
ନୂଆଦିଲ୍ଲୀ: ସୁସ୍ଥ ଓ ଆରୋଗ୍ୟ ରହିବା ପାଇଁ ଏକ ବିପ୍ଲବ ଆରମ୍ଭ ହୋଇଛି। ‘ଯୋଗ’ ଏହି ବିପ୍ଳବର ପଥ ପ୍ରଦର୍ଶକ ସାଜିଛି। ସୁସ୍ଥ ରହିବା ପାଇଁ ଯୋଗାଭ୍ୟାସକୁ ଦେଶବାସୀ ସର୍ବଶ୍ରେଷ୍ଠ ବିକଳ୍ପ ଭାବେ ବିବେଚନା କରିବା ଆରମ୍ଭ କରିଛନ୍ତି। ନିକଟରେ ଅନୁଷ୍ଠିତ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଏହାର ଝଲକ ଦେଖିବାକୁ ମିଳିଛି। ଆଜି ‘ମନ୍ କି ବାତ୍’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।
‘ମନ୍ କି ବାତ୍’ର ୪୫ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ, ଜୁନ୍୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ବିଶ୍ୱବାସୀ ଜାତିଧର୍ମବର୍ଣ୍ଣ ଓ ବର୍ଗ ନିର୍ବିଶେଷରେ ଏକାଠୀ ହୋଇଥିଲେ। ଯୋଗ ପାଇଁ ବିଶ୍ୱବାସୀଙ୍କ ଅପୂର୍ବ ଉତ୍ସାହ ଓ ଶକ୍ତି ଦେଖିବାକୁ ମିଳିଥିଲା। ୟୁରୋପର ପାର୍ଲାମେଣ୍ଟଠାରୁ ଆରମ୍ଭ କରି ଜାତିସଂଘ ଓ ଜାପାନ୍ର ନୌସେନା କ୍ୟାମ୍ପ ପର୍ଯ୍ୟନ୍ତ ସବୁଠାରେ ଯୋଗାଭ୍ୟାସ ଦେଖିବାକୁ ମିଳିଥିଲା। ସାଉଦି ଆରବରେ ମହିଳାମାନେ ଯୋଗାଭ୍ୟାସ କରୁଥିବା ସୂଚନା ମିଳିଛି। ଏଥିରୁ ଆଗାମୀ ଦିନରେ ଆହୁରି ଅନେକ ଲୋକ ଯୋଗାଭ୍ୟାସ କରିବେ ବୋଲି ଆଶା କରାଯାଉଛି। ଆକାଶ ମାର୍ଗରେ ହେଉ କି ସିଆଚେନ୍ର ଦୁର୍ଗମ ଅଞ୍ଚଳ, ସ୍ଥଳ ହେଉ କି ଜଳ ସବୁଠାରେ ଭାରତର ତିନି ସେନାବାହିନୀର ଯବାନ୍ମାନେ ଯୋଗ ପ୍ରଦର୍ଶନ କରି ଏକ ନୂଆ ସନ୍ଦେଶ ଦେଇଛନ୍ତି। ଭାରତର ମୁନି ଋଷି ଓ ସନ୍ଥମାନେ ଦେଇଥିବା ମନ୍ତ୍ର ‘ବସୁଧୈବ କୁଟୁମ୍ବକମ୍’ ଯୋଗ ଦ୍ୱାରା ପ୍ରତିପାଦିତ ହୋଇଛି।
‘ମନ୍ କି ବାତ୍’ରେ ଆଫ୍ଗାନିସ୍ତାନ କ୍ରିକେଟ୍ ଖେଳାଳିଙ୍କ ଉଦ୍ୟମ ଓ ଭାରତୀୟ ଖେଳାଳିଙ୍କ କ୍ରୀଡ଼ା ମନୋଭାବକୁ ପ୍ରଶଂସା କରିବା ସହିତ ଜାଲିୱାନାୱାଲାବାଗ୍ ହତ୍ୟାକାଣ୍ଡ ଘଟଣାର ଅବତାରଣା କରି ମୋଦୀ କହିଲେ ଯେ ହିଂସା ଓ କ୍ରୁରତା କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ; ଶାନ୍ତି, ଅହିଂସା ଓ ବଳିଦାନ ହିଁ ସଫଳତା ଆଣିବ- ଜାଲିଆନାୱାଲାବାଗ୍ ଘଟଣାରୁ ଏହି ସନ୍ଦେଶ ମିଳିଛି।
ସେହିପରି ମହାନ ସମାଜସେବୀ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶିକ୍ଷା, ପ୍ରଶାସନ, ସଂସଦୀୟ ବ୍ୟାପାର ଆଦି କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ୧୯୩୭ରେ ସେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ପଦ ଅଳଂକୃତ କରିବା ସହିତ ସର୍ବକନିଷ୍ଠ କୁଳପତି ହେବାର ଗୌରବ ଲାଭ କରିପାରିଥିଲେ। ସେହିପରି ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ସ୍ୱପ୍ନ ଆଜି ଜିଏସ୍ଟି ଦ୍ୱାରା ସାକାର ହୋଇଥିବା ସେ କହିଛନ୍ତି। ସାମାଜିକ ସମାନତା, ଶାନ୍ତି ଓ ଭାଇଚାରା ସମ୍ପର୍କରେ ସନ୍ଥ କବୀର ଦାସଙ୍କ ଦୋହାକୁ ମୋଦୀ ସ୍ମରଣ କରିଥିଲେ।