ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ସନ୍ଧ୍ୟା ୫.୦୫ରୁ ୫.୧୧ ପର୍ଯ୍ୟନ୍ତ ରହିବ ପୂର୍ଣ୍ଣଗ୍ରାସ, ଗ୍ରହଣ ପାଇଁ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ

ମେଘମୁକ୍ତ ଆକାଶରେ ରାଜ୍ୟର ସବୁ ଅଞ୍ଚଳରୁ ଦେଖି ହେବ
୨୦୨୫ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ; ୨୦୨୭ରେ ସୂର୍ଯୋପରାଗ

prayash

ଭୁବନେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମଙ୍ଗଳବାର ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି। ଆକାଶ ମେଘମୁକ୍ତ ରହିଲେ ଏହା ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ। ଭୁବନେଶ୍ବରରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୦୫ରୁ ୦୫ଟା ୧୧ ପର୍ଯ୍ୟନ୍ତ ମାତ୍ର ୬ ମିନିଟ ପାଇଁ ଦେଖାଯିବ। ସନ୍ଧ୍ୟା ୦୫.୧୧ରୁ ୦୬ଟା ୧୯ ଯାଏଁ ଆଂଶିକ ଚନ୍ଦ୍ରଗ୍ରହଣ ଭାବରେ ଦେଖାଯିବ।
ଅରୁଣାଚଳ ପ୍ରଦେଶରେ ପ୍ରଥମେ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମରେ ଏହି ଦୃଶ୍ୟକୁ ଦେଖାଇବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଉପନିର୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚନ୍ଦ୍ର ଅପରାହ୍ଣ ୧ଟା ୩୨ ମିନିଟରେ ଉପଛାୟାରେ ପ୍ରବେଶ କରିବ ସେତେବେଳେ ଏହା ଦେଖାଯିବ ନାହିଁ। ଅପରାହ୍ଣ ୨.୩୯ରେ ଛାୟାରେ ପ୍ରବେଶ କରିବ। ଅପରାହ୍ଣ ୩.୪୬ରେ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଆରମ୍ଭ ହେବ। ସେହିପରି ଚନ୍ଦ୍ର ୬.୨୬ରେ ଉପଛାୟାରୁ ବାହାରିବ ବୋଲି କହିଛନ୍ତି। ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ (ଆଂଶିକ) ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସ ୨ ତାରିଖରେ ଓ ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସ ୭ ତାରିଖରେ ଦେଖାଯିବ। ଜ୍ୟୋତିର୍ବିଦମାନେ ଏହାକୁ ରାହୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ବୋଲି କହୁଥିବାବେଳେ କାଲି ଡଙ୍ଗାଭସା ପୂର୍ଣ୍ଣିମା ପଡ଼ୁଥିବାରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।
ଏହି ଦିନ ଡଙ୍ଗା ଭସାଇବା ପାଇଁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ୍ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ଅପରାହ୍ଣ ୨ଟା ୩୮ ମିନିଟ୍‌ରେ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇ ୬ଟା ୧୮ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ। ସମୁଦାୟ ୧ ଘଣ୍ଟା ୧୨ ମିନିଟ୍ ୪୮ ସେକେଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ରହଣ ଦିନ ସକାଳ ୮ଟା ୨୯ରୁ ସନ୍ଧ୍ୟା ୬ଟା ୧୯ ପର୍ଯ୍ୟନ୍ତ ପାକତ୍ୟାଗ ରହିବ। ଏହି ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ନୀତି ନିର୍ଘଣ୍ଟ ହୋଇଛି।
ଗ୍ରହଣ ପାଇଁ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ
ପୁରୀ : କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମଙ୍ଗଳବାର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେଉଥିବାରୁ ଏହି ସମୟରେ ଶ୍ରୀଜୀଉଙ୍କ କେତେକ ବିଶେଷ ନୀତି ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି। ୭ତାରିଖ ରାତ୍ରପହୁଡ଼ଠାରୁ ୮ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସକାଳ ୫ଟା ୫୪ମିନିଟ ୫୩ ସେକେଣ୍ଡଠାରୁ ଶ୍ରୀମନ୍ଦିରରେ ଦେବନୀତି ନିଷେଧ ହେବ। ଦିନ ୨ଟା ୩୮ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୬ଟା ୧୮ମିନିଟ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କୁ ଗ୍ରହଣ ମହାସ୍ନାନ କରାଯିବା ସହ ଗ୍ରହଣ ଭୋଗ କରାଯିବ।

Comments are closed.