ଆଜିଠାରୁ ଦକ୍ଷିଣରେ ବର୍ଷା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ରବିବାର ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ୨୧ ଓ ୨୨ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡ଼ିଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୋମବାର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ ଓ କୋରାପୁଟ ଜିଲାରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ୨୨ରେ ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଦୁଇ ଦିନ ଅନ୍ୟ ସବୁ ଜିଲାରେ ପାଗ ଶୁଖିଲା ରହିପାରେ। ୨୩ ତାରିଖରୁ ରାଜ୍ୟରେ ପାଗ ବଦଳି ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଏହା ସହିତ ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ରାତି ତାପମାତ୍ରା ସ୍ବାଭାବିକରୁ ୨ ରୁ ୩ ଡିଗ୍ରୀ କମ ରହିପାରେ।
ଶନିବାର ରାତିରେ କନ୍ଧମାଳ ଜିଲାର ଜି. ଉଦୟଗିରି ଓ ସିମିଳିଗୁଡାରେ ରାଜ୍ୟର ସବୁଠୁ କମ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, ଫୁଲବାଣୀ ୯.୬ ଡିଗ୍ରୀ, ଦାରିଙ୍ଗବାଡ଼ି, କେନ୍ଦୁଝର ଓ କୋରାପୁଟରେ ୧୦ ଡିଗ୍ରୀ, ଭବାନୀପାଟଣା ୧୦.୬ଡିଗ୍ରୀ, ଝାରସୁଗୁଡା ଓ ଚିପିଲିମାରେ ୧୦.୮ଡିଗ୍ରୀ, ସୁନ୍ଦରଗଡ ଓ ଦେବଗଡରେ ୧୨.୫ ଡିଗ୍ରୀ ରେକର୍ଡ ହୋଇଛି।

Comments are closed.