ହନୁମାନ ମନ୍ଦିରରୁ ଚୋରି, ଅଳିଆଗଦାରୁ ମିଳିଲା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ନିକଟ ୧ ନମ୍ବର ରୋଡ଼ରେ ଥିବା ହନୁମାନ ମନ୍ଦିରରୁ ଗତକାଲି ମଧ୍ୟ ରାତ୍ରରେ ତାଲା ଭାଙ୍ଗି ଠାକୁରଙ୍କ ଚାନ୍ଦି ଓ ସୁନା ମୁକୁଟ ଏବଂ ଦାନ ବାକ୍ସ ଚୋରି ହୋଇଯାଇଥିଲା । କିଛି ଭକ୍ତ ଭୋର ପ୍ରାୟ ସାଢେ ୫ଟା ସମୟରେ ମନ୍ଦିର ପୂଜକ ପ୍ରଶନ୍ନ କୁମାର ତ୍ରିପାଠୀଙ୍କୁ ଫୋନରେ ଜଣାଇଥିଲେ । ପୂଜକ ଖବର ପାଇ ମନ୍ଦିରରେ ପହଞ୍ଚି ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ଥାନାରେ ଲିଖିତ ଏତଲା ଦିଆଯାଇଥିଲା । କିନ୍ତୁ କିଛି ଦୂରରେ ଥିବା ଏକ ଅଳିଆ ଗଦା ନିକଟରେ ଏକ ଗେରୁଆ କପଡାରେ ଦାନବାକ୍ସ ଏବଂ ମୁକୁଟ ବନ୍ଧା ହୋଇ ପଡିଥିବା ଦେଖିବାକୁ ମିଳିଥିଲା ।

ମନ୍ଦିର ପୂଜକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରି ଜିନିଷ ଦାନ ବାକ୍ସ ଆଦି ଉଦ୍ଧାର କରିଥିଲେ । ଏନେଇ ପୁଲିସ ତଦନ୍ତ ଜାରି ରଖିଛି । ଦୁର୍ବୃତ୍ତ ଚୋରି କରିନେବା ଏବଂ ମନ୍ଦିରର କିଛି ଦୂର ଅଳିଆ ଗଦାରେ ପକାଇ ଫେରାର ହୋଇଯିବା ଚର୍ଚ୍ଚାର ବିଷୟ ପାଲଟିଛି ।  ପ୍ରଭୁ ସଙ୍କଟ ମୋଚନଙ୍କ ଅଲୌକିକ ଶକ୍ତି ବଳରେ ଦୁର୍ବୃତ୍ତ ଭୟଭୀତ ହୋଇ ଚୋରି କରିବା ପରେ ପୁଣି ସବୁ ପକାଇଦେଇ ଯାଇଥିବା ଚର୍ଚ୍ଚା ଚାଲିଛି ।

Comments are closed.