କେଶଦୁରାପାଳ : ଦିନକୁ ଦିନକୁ ଚୋରି ଡକାୟତି ବଢି ବଢି ଚାଲିଥିବା ବେଳେ ଗତକାଲି ଦୁର୍ବୃତ୍ତମାନେ ଜନୈକ ବ୍ୟକ୍ତିଙ୍କ ଘରେ ପଶି ହାଣିବା ସହିତ ଟଙ୍କା ସୁନା ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା ଅନ୍ତର୍ଗତ ବାରିଗାଁ ଗ୍ରାମର ଗୋଲକ ଚନ୍ଦ୍ର ପାଢୀଙ୍କ ଘରେ।
ସୂଚନାରୁ ଜଣାଯାଏ, ଗୁରୁବାର ବିଳମ୍ବିତ ରାତିରେ ଗୋଲକଙ୍କ ପରିବାର ଲୋକେ ଘରେ ଥିବା ବେଳେ କେତେକ ଅସାମାଜିକ ଯୁବକ ମୁଖା ପିନ୍ଧି ଲୁହାଛଡ଼ ଓ ଭୁଜାଲି ଧରି ଗୋଲକଙ୍କ ଘର ଭିତରକୁ ପଶି ଆଲମାରୀ ଭାଙ୍ଗୁଥିଲେ। ଏହା ଜାଣିବା ପରେ ଗୋଲକ, ତାଙ୍କ ପତ୍ନୀ ଓ ଝିଅ ଖୁବ୍ ଜୋରରେ ପାଟି କରିଥିଲେ । ଏଥିରେ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିଲେ। ଫଳରେ ଗୋଲକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ପତ୍ନୀ ଜୟନ୍ତୀ କର ଓ ଝିଅ ସୁଦୀପ୍ତା ପାଢୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁର୍ବୃତ୍ତମାନେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଓ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ଘସିପୁରା ଥାନାରେ ଗୋଲକ ଅଭିଯୋଗ କରିଛନ୍ତି। ପୁଲିସ ପକ୍ଷରୁ ଅନୁସନ୍ଧାନ କରାଯାଉଛି। ଅନ୍ୟପକ୍ଷରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ମାଆ ଓ ଝିଅଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।



