www.samajalive.in
Monday, December 8, 2025
14.1 C
Bhubaneswar

ଲୋଇସିଂହା ପେକ୍ସରେ ‘ସ୍ୱାକ୍ଷର’ ଜାଲିଆତି ! ଅଧିକାରୀଙ୍କ ନୀରବତା, ଦୁର୍ନୀତିଖୋରଙ୍କ ପାଇଁ ଆଶୀର୍ବାଦ

ଲୋଇସିଂହା : ଦୁର୍ନୀତି ହେଉଛି। ସମସ୍ତେ ଜାଣୁଛନ୍ତି। କିନ୍ତୁ ଚୁପ୍। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ଅଧିକାରୀଙ୍କ ନୀରବତା ଭ୍ରଷ୍ଟ କର୍ମଚାରୀଙ୍କ ପାଇଁ ଆର୍ଶୀବାଦ ହେଉଛି। ଆଉ ସେମାନଙ୍କ ବେଆଇନ କାରବାର ପାଲଟି ଯାଉଛି ଅଲିଖିତ ଆଇନରେ। ଏଭଳି ଏକ ଦୁର୍ନୀତିର ଗୁମର ଫିଟିଛି ଲୋଇସିଂହା ସ୍ଥିତ କୃଷି ସେବା ସମବାୟ ସମିତିରେ। ଏଠାରେ କାର୍ଯ୍ୟରତ ଜଣେ ରାତ୍ର ଜଗୁଆଳୀ ମହାଦେବ ମେହେରଙ୍କୁ ୨ ବର୍ଷର ପ୍ରାପ୍ୟ ଦିଆ ନଯାଇ ବେଆଇନ ଭାବେ କାମରୁ ନିଲମ୍ବନ କରାଯାଇଛି। ବଲାଙ୍ଗିର ଜିଲାପାଳ, ଡିଆର୍‌ସିଏସ୍, ଏଆର୍‌ସିଏସ୍ ସମେତ ବହୁ ଅଧିକାରୀଙ୍କୁ ପଠା ଯାଇଥିବା ଅଭିଯୋଗ ପତ୍ରରୁ ସମିତିରେ ଚାଲିଥିବା ‘ସ୍ୱାକ୍ଷର’ ଜାଲିଆତିର ପର୍ଦ୍ଦାଫାଶ ହୋଇଛି। ସତ ଜାଣିବା ପରେ ବି ଅଧିକାରୀମାନେ ନୀରବ ରହିବା, ସେମାନଙ୍କ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସଷ୍ଟି କରିଛି।

ସୂଚନା ଅନୁଯାୟୀ, କାର୍ଯ୍ୟରତ ରାତ୍ର ଜଗୁଆଳୀ ତଥା ସମିତି ପିଅନ ମହାଦେବ ମେହେର ଗତ ସପ୍ତାହରେ ତା ପ୍ରତି କରାଯାଇଥିବା ଅନ୍ୟାୟ ବିରୋଧରେ ବଲାଙ୍ଗିର ଏଆର୍ସିଏସ ଅଫିସ ସମ୍ମୁଖରେ ନିଜ ପରିବାର ସହ ଧାରଣା ଦେଇଥିଲେ। ବଲାଙ୍ଗିର ଡିଆର୍‌ସିଏସ୍‌ଙ୍କ ନିର୍ଦ୍ଦେଶକ୍ରମେ ଏଆର୍‌ସିଏସ୍ ସମସ୍ୟାର ସମାଧାନ କରିବା ପାଇଁ ଲୋଇସିଂହା ସମିତି ସଂପାଦକଙ୍କୁ ସମସ୍ତ କାଗଜପତ୍ର ନେଇ ଆସିବା ପାଇ ନିର୍ଦ୍ଦେଶ ଦେଇଥିଲେ। ସେହିଦିନ ସଂପାଦକ ସମିତି ବୈଠକର ନିଷ୍ପତ୍ତି କ୍ରମେ ତାର ପାଉଣା ଦିଆ ନଯାଇ ନିଲମ୍ବନ କରାଯାଇଥିବା ଦର୍ଶାଇଥିଲେ।  ଏହି ନିଷ୍ପତ୍ତି ସଂପୂର୍ଣ୍ଣ ଭାବରେ ଜାଲିଆତି କରାଯାଇଥିବା ଏଆରସିଏସ୍‌ଙ୍କ ଠାରୁ ମିଳିଥିବା କାଗଜପତ୍ରରୁ ଜଣାପଡିଛି। ଗତ ୨୦୧୯ ଡିସେମ୍ବର ୩୦ରେ ସମିତିର ଏକ ସାଧାରଣ ବୈଠକରେ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ଦର୍ଶାଯାଇଛି। ବୈଠକରେ ଉପସ୍ଥିତ ସଭ୍ୟମାନେ ବି ସ୍ୱାକ୍ଷର କରିଛନ୍ତି। ତେବେ ନିଜର ଦସ୍ତଖତ ଦେଖିବା ପରେ ତାହା ଜାଲ କରାଯାଇଥିବା ବହୁ ସଭ୍ୟ କହିଛନ୍ତି। କର୍ଳିପାଟ ଗାଁର ଦେବାରାଜ ଭୋଇ, ଲୋଇସିଂହା କବିରାଜ ରାୟ, ଦିଗାମ୍ବର ସାହୁ, ଜୟରାମ ସାହୁଙ୍କ ସମେତ ହିରାପୁର, ମାଣ୍ଡିଆପଦର ଗାଁର ବହୁ ସଭ୍ୟ ୨୦୧୯ ଡିସେମ୍ବର ୩୦ରେ କୌଣସି ବୈଠକ ହୋଇ ନାହିଁ। ଏଥିରେ ଆମେ ଦସ୍ତଖତ କରି ନାହୁଁ ବୋଲି ପ୍ରକାଶ କରି ଏକ ଅଭିଯୋଗ ପତ୍ରରେ ସ୍ୱାକ୍ଷର କରି ଏଆର୍‌ସିଏସ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେତେକ ସଭ୍ୟ ସମିତିର କାରବାରରେ ଗଭୀର କ୍ଷୋଭ ପ୍ରକାଶ କରି ତାଙ୍କୁ ଋଣ ଦେବା, ଧାନ କିଣା ବେଳେ ହଇରାଣ କରାଯିବା ତଥା ସେଠାରେ କାର୍ଯ୍ୟରତ କିଛି କର୍ମଚାରୀ ଲୋଇସିଂହାର ହୋଇଥିବା ଯୋଗୁଁ ସେମାନଙ୍କ ଭୟରେ ପ୍ରତିବାଦ ପତ୍ରରେ ସ୍ୱାକ୍ଷର କରିବାକୁ ମନା କରି ଦେଇଛନ୍ତି। ତେବେ ବୈଠକ ଜାଲିଆତି ଓ ଜାଲ ଦସ୍ତଖତ ସଂର୍ପକରେ ତଥା ଡିସେମ୍ବର ୩୦ ତାରିଖର ନିଳମ୍ବନ ନିର୍ଦ୍ଦେଶ ଦୀର୍ଘ ୫ ମାସ ପରେ ଅର୍ଥାତ ମେ ୧୩ ତାରିଖରେ ନିଲମ୍ବିତ କର୍ମଚାରୀ ଶ୍ରୀ ମେହେରଙ୍କୁ କିପରି ଡାକ ଯୋଗେ ପଠାଗଲା ବୋଲି ପ୍ରଶ୍ନର କୌଣସି ସନ୍ତୋଷଜନକ ଉତ୍ତର ସଂପାଦକ ଦେଇ ପାରି ନଥିଲେ।

- Advertisement -

ସେହିପରି ପେକ୍ସର ଜଣେ କର୍ମଚାରୀ ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି ଯେ, ସମବାୟ ସମିତିରେ ଏଭଳି ଜାଲ ସ୍ୱାକ୍ଷର କାରବାର ସାଧାରଣ ଘଟଣା। ପ୍ରତିବାଦ କଲେ ହଇରାଣ ହେବା ଭୟରେ କେହି ଏହାର ବିରୋଧ କରନ୍ତି ନାହିଁ ବୋଲି ସେ କହିଛନ୍ତି। ଏନେଇ ବଲାଙ୍ଗିର ଏଆର୍ସିଏସ୍ ଅନନ୍ତ ନାରାୟଣ ନାଏକଙ୍କୁ ପଚାରିବାରୁ ସେ ଗତ ୨ ମାସ ହେଲା ଏଠାରେ ଏଆର୍ସିଏସ୍ ଦାୟିତ୍ୱରେ ରହିଛନ୍ତି। ମହାଦେବ ମେହେରଙ୍କ ଧାରଣା ପରେ ସମିତି ମାଧ୍ୟମରେ ଧାନ କିଣା ପାଇ ବ୍ୟସ୍ତ ଥିବାରୁ ୧୫ ଦିନ ପାଇଁ ସମୟ ମାଗିଛନ୍ତି। ଏହାର ତଦନ୍ତ ପାଇଁ ଜଣେ ଇନସପେକ୍ଟରଙ୍କୁ ଦାୟିତ୍ୱ ଦେଇଛନ୍ତି। ତାର ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ମତ ଦେଇଛନ୍ତି।

୪ ବର୍ଷ ବିତିଗଲା, ରହସ୍ୟରେ ରହିଗଲା

ଏପ୍ରିଲ ୨୦୧୬ରେ ଲୋଇସିଂହା ସମିତି ସଂପାଦକ ଦାୟିତ୍ୱରେ ଥିବା ପ୍ରଶାନ୍ତ ମିଶ୍ରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସମିତିର ଦାୟିତ୍ୱ ହସ୍ତାନ୍ତର ବେଳେ ତାର ପରିବାର ପାଖରେ ଚାବି ଥିଲା। ତା’ହେଲେ ତାଙ୍କ ଟେବୁଲ ଡ୍ର ଭଙ୍ଗା ଗଲା କେମିତି? ସେଠାରେ କିଛି ଖାତା ପତ୍ର ସହ ପୂର୍ବ ଦିନ ଆଦାୟ ହେଇଥିବା ଲକ୍ଷାଧିକ ଟଙ୍କାରୁ ଟଙ୍କାଟିଏ ବି ମିଳି ନଥିଲା। ଏହି ଘଟଣାକୁ ବିତିଗଲାଣି ୪ ବର୍ଷ। ବିଭାଗୀୟ ଅଧିକାରୀମାନେ କୌଣସି ତଦନ୍ତ ନକରି ଚପାଇ ରଖିଥିବା ଚର୍ଚ୍ଚା ହେଉଛି। ସ୍ୱର୍ଗତ ମିଶ୍ରଙ୍କ ପାଉଣା ତାଙ୍କ ପରିବାର ଲୋକଙ୍କୁ ମିଳି ପାରି ନାହିଁ। ଏହି କଥା ପ୍ରଘଟ ହେବା ପରେ ସମିତିରେ କାମ କରୁଥିବା ମହାଦେବ ମେହରଙ୍କୁ ନିଲମ୍ବନ କରାଯାଇଥିବା ଚର୍ଚ୍ଚା ହେଉଛି। ଉଚ୍ଚ ତଦନ୍ତ ହେଲେ ଲୋଇସିଂହା ପେକ୍ସର ବହୁ କଳା କାରାନାମା ଲୋକଲେଚନକୁ ଆସି ପାରିବ ବୋଲି ମତ ପ୍ରକାଶ ପାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories