ଗାଁକୁ ତଡ଼ିଦେଉଛି ସହର !

କୋରାପୁଟ (ଜିତେନ୍ଦ୍ର କୁମାର ମିଶ୍ର) : ଦିନେ ପେଟ ଚିନ୍ତାରେ ଭିଟାମାଟି ଛାଡ଼ିଥିଲେ, ଆଜି ପ୍ରାଣ ବିକଳରେ ଫେରୁଛନ୍ତି। ଅଭାବ ଅନଟନ ଓ ଅର୍ଥ ରୋଜଗାର ଚିନ୍ତା ଭିଟାମାଟିର ମୋହ ଛଡ଼ାଇ ନେଇଥିଲା ସିନା; ଆଜି କିନ୍ତୁ ପ୍ରାଣ ଚିନ୍ତା ଏମାନଙ୍କୁ ଘରମୁହାଁ କରିଛି। ପ୍ରବାସୀଙ୍କୁ ଗାଁକୁ ତଡ଼ିଦେଉଛି ସହର। ପ୍ରବାସ ଯନ୍ତ୍ରଣାରେ ଛଟପଟ ପ୍ରବାସୀ। ଭିଟାମାଟିକୁ ଫେରିଲେ ୧୪ରୁ ୨୧ଦିନ ପର୍ଯ୍ୟନ୍ତ ସଂଗରୋଧର ଚିନ୍ତା ସତ୍ତ୍ବେ ଘର ମୁହାଁ ହୋଇଥିବା ପ୍ରବାସୀ ଏବେ ଦୁର୍ଦଶାରେ।
ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ସମେତ ଉପକୂଳର କିଛି ଅଂଶରେ ଅଭାବ ବସା ବାନ୍ଧିଥିଲା। ଘରେ ଘରେ ଭୋକର ଚିତ୍କାର ଶୁଭୁଥିଲା। ଗଞ୍ଜାମ, ଗଜପତି ଜିଲା ସମେତ ଅବିଭକ୍ତ କୋରାପୁଟର ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲା ଏବଂ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର ସାଙ୍ଗକୁ ନୟାଗଡ଼ ଓ କନ୍ଧମାଳ ଜିଲାରେ ଏଭଳି ବିକଳ ଅବସ୍ଥା ବର୍ଷ ବର୍ଷ ଧରି ଲାଗି ରହିଥିଲା। ଲୋକ ଗହଳିରେ
ଗାଁ ପୂରି ଉଠୁଥିଲା ସିନା, ଅଭାବ ଅନଟନର ଚିତ୍କାର ସରକାରୀ ବିଧିବ୍ୟବସ୍ଥାକୁ ଥରହର କରୁଥିଲା। ଅର୍ଦ୍ଧାଧିକ ସରକାରୀ ଯୋଜନା ବାଟବଣା ହେଉଥିଲା। କେତେବେଳେ ଭୂତ ଖାଇଯାଉଥିଲା ସରକାରୀ ଚାଉଳ, ପୁଣି କେତେବେଳେ ଭୋକିଲା ମଣିଷ ଆଗରେ ମେସିନ୍‍ କରୁଥ୍‌ଲା ମନରେଗା କାମ। ବାରମ୍ବାର ଏଭଳି ଅଭିଯୋଗ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ଭୋକ ବିକଳରେ ବାଟ ଖୋଜୁଥିଲା ଅଭାବୀ। ଏଭଳି ସମୟରେ ଆନ୍ଧ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ, ଚେନ୍ନାଇ ଆଦି ସ୍ଥାନରେ ପର୍ଯ୍ୟାପ୍ତ କର୍ମସୁଯୋଗ ବାଟ ଫିଟାଇଲା। କେବଳ ଦକ୍ଷିଣ ଓଡ଼ିଶା ନୁହେଁ; ଉପକୂଳ ଓଡ଼ିଶାରୁ ଅଧିକାଂଶ ଶ୍ରମିକ ଓ କର୍ମଜୀବୀ କାମ ଅଭାବରୁ ବେକାର ହୋଇଗଲେ। ଧୀରେଧୀରେ ଏହିସବୁ ଜିଲାରୁ ଅଳ୍ପ ଅଳ୍ପ ଦାଦନ ଶ୍ରମିକଙ୍କ ସମେତ କର୍ମଜୀବୀଙ୍କ ସୁଅ ଛୁଟିଲା। କାମଧନ୍ଦା ଅନ୍ୱେଷଣରେ ଭିଟାମାଟି ଛାଡ଼ି କର୍ମଜୀବୀ ଓ ଦାଦନ ଶ୍ରମିକ ଭିଟାମାଟି ଛାଡ଼ିଲେ। ଅନେକ ଘରେ ତାଲା ଝୁଲିଲା। ଅର୍ଥାଭାବ ଏମାନଙ୍କୁ ପ୍ରବାସୀ ଓ ଦାଦନ ସଜାଇଦେଲା। ପୂରି ଉଠୁଥିବା ଘର ଅଗଣା ଖାଲି ହୋଇଗଲା। ଏପରିକି ଗୋଟିଏ ଗୋଟିଏ ଗାଁ ପ୍ରାୟ ପୁରୁଷଶୂନ୍ୟ ହୋଇ ଅସମ୍ଭବ ନୀରବତା ଛାଇଗଲା। ବର୍ଷକୁ ମାତ୍ର କେଇମାସ ଭିଟାମାଟିରେ ରହି ସେମାନେ ପୁଣି ଫେରିଯାଉଥିଲେ ନିଜନିଜ କର୍ମସଂସ୍ଥାନକୁ। ଦୀର୍ଘବର୍ଷ ହେଲା ଏହି ସ୍ଥିତି ଲାଗି ରହିଥିଲା। ଗୋଟିଏ ପଟେ ବେରୋଜଗାରିଆ ପୁଅ ରୋଜଗାରିଆ ହେଲେ, ଅନ୍ୟ ପଟେ ଗାଁ ଗାଁର ଅର୍ଥନୈତିକ ଚିତ୍ର ମଧ୍ୟ ବଦଳିଗଲା। ସବୁଠାରୁ ବଡ଼ କଥା ହେଲା, ବିଭିନ୍ନ ସମୟରେ ପ୍ରଶାସନ ଓ ସରକାରଙ୍କୁ ଅନେକାଂଶରେ ଏମାନଙ୍କ ପାଇଁ ଚିନ୍ତା କରିବାକୁ ପଡ଼ିଲା ନାହିଁ। କର୍ମନିଯୁକ୍ତି ସାଙ୍ଗକୁ ଅର୍ଥନୀତିର ଅଭିବୃଦ୍ଧି ଘଟିଲା। କେବଳ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ସୁରଟ ଅଞ୍ଚଳରେ ଦକ୍ଷିଣ ଓଡ଼ିଶାର ମାତ୍ରାଧିକ ଶ୍ରମିକ ଓ କର୍ମଜୀବୀ ବସା ବାନ୍ଧି ରହିଲେ।
ଦୀର୍ଘବର୍ଷ ପରେ ଏବେ ସମଗ୍ର ବିଶ୍ୱକୁ ଥରହର କରିଥିବା ମହାମାରୀ କରୋନା ଏମାନଙ୍କ ଜୀବନଜୀବିକାରେ ପାଚେରି ଛିଡ଼ା କରିଦେଲା। କରୋନା କଟକଣାରେ ବନ୍ଦ ହୋଇଗଲା ସବୁକିଛି ଓଲଟପାଲଟ ହୋଇଗଲା ଗ୍ରାମୀଣ ବେରୋଜଗାରୀ ଓ ଅର୍ଥନୀତିର ଚିତ୍ର। ଆଜକୁ ଦୁଇମାସ ବିତିଗଲା। ବିଭିନ୍ନ ରାଜ୍ୟରେ ତାଲା ବନ୍ଦ ପରିସ୍ଥିତି ଭିତରେ ଅଜଣା ଆତଙ୍କ ଢାଙ୍କିଗଲା। ପ୍ରବାସ ଯନ୍ତ୍ରଣାରେ ଛଟପଟ ପ୍ରବାସୀ ଓଡ଼ିଆ ପୁଣିଥରେ ଗାଁମୁହାଁ ହେଲେ। ସରକାରୀ ବ୍ୟବସ୍ଥାରେ ଫେରାଇ ଆଣିବାକୁ ଯୋଜନା ଚାଲିଥିବାବେଳେ ଅଧିକାଂଶ ଗଳାବାଟ ଦେଇ ନିଜ ନିଜ ବ୍ୟବସ୍ଥାରେ ଚାଲିଆସିଲେ। କାହା ପେଟରେ ୧୪ଦିନ ପରେ ଭାତ ମୁଠାଏ ପଡ଼ିଛି, ଆଉ କିଏ ଚୂଡ଼ା, ଚିନି ଖାଇ ଫେରୁଛି। ମୁଣ୍ଡରେ ବୋଝ ଧରି ଗାଁ ମୁହାଁ ଏହି ଲୋକଙ୍କୁ ବିଭିନ୍ନ ସ୍ଥାନରେ କଟକଣାର ଶିକାର ହେବାକୁ ମଧ୍ୟ ପଡ଼ୁଛି। ଏବେ ବି ଲକ୍ଷାଧିକ ପ୍ରବାସୀ ବିଭିନ୍ନ ରାଜ୍ୟରେ ଭିଟାମାଟିକୁ ଫେରିବାକୁ ଅପେକ୍ଷା କରିଥିବାବେଳେ କେବଳ ସୁରତ ଅଞ୍ଚଳରେ ଲକ୍ଷାଧିକ ଫସି ରହିଛନ୍ତି। ପରିସ୍ଥିତି ଏପରି ଆଗାମୀ ମାସେ ଦୁଇମାସ ମଧ୍ୟରେ ମଧ୍ୟ ସେମାନଙ୍କୁ ଆଣିବା ଅସମ୍ଭବ ମନେ ହୁଏ। ଅଦୃଶ୍ୟ ପାଚେରିର ଗୋଟିଏ ପଟେ ଭିଟାମାଟି, ଅନ୍ୟ ପଟେ ପ୍ରବାସୀ। ସବୁ ଚିହ୍ନା ମୁହଁ ସତେ ଯେପରି ଆଜି ଅଜଣା। ନିଜ ଲୋକ ପର ପର ଲାଗୁଛନ୍ତି। ମହାମାରୀ କରୋନା କେବଳ ଭୂତାଣୁ ସଂକ୍ରମଣ ଭୟ ସୃଷ୍ଟି ନାହିଁ; ବରଂ ସମଗ୍ର ଦେଶର ଅର୍ଥନୀତିକୁ ବିଗାଡ଼ି ଦେଇଛି। ଅନ୍ୟପଟେ ସାମାଜିକ ଚାଲିଚଳଣୀ ଉପରେ ଭୀଷଣ କୁପ୍ରଭାବ ପକାଇଛି କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବଳେ ଅଧିକାଂଶ ସୁରତ ଫେରନ୍ତା ହୋଇଥିବା ଯୋଗୁଁ ସଭ୍ୟ ସମାଜରେ ଏକ ଛାୟା ଅସ୍ପୃଶ୍ୟତା ଏବେ ରାଜ କରୁଛି। ନିଜ ଲୋକ ଦୂରେଇଯାଉଛନ୍ତି; ତଥାପି ସଙ୍କଟ ଭିତରେ ବଞ୍ଚିବାର ରାହା ଖୋଜୁଛି ପ୍ରବାସୀ।

kalyan agarbati

Comments are closed.