ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ, ୩୨୯୦ ଲିଟର ମଦ ଜବତ

ଆଠଗଡ/ତିଗିରିଆ : କଟକ ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂହ ଓ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳେ ଏକ ବଡଧରଣର ଚଢାଉ ଅଭିଯାନ କରାଯାଇଛି । ଆଠଗଡ ଥାନା ଅଧିନ କୋରଙ୍ଗା ଓ ତିଗିରିଆ ଥାନା ଅଧିନ ଭିରୁଡା ଗ୍ରାମରେ କରାଯାଇଥିବା ଏଇ ଚଢାଉରେ ଚାଲାଣ ପାଇଁ ରଖାଯାଇଥିବା ବିପୁଳ ପରିମାଣର ସଦ୍ଯ ପ୍ରସ୍ତୁତ ମଦ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ଏହି ଚଢାଉରେ ଆଠଗଡ, କଟକ ସଦର, ଚୌଦ୍ଵାର, ବାଙ୍କୀ, ନରସିଂହପୁର ଅବକାରୀ ଥାନା, ଅବକାରୀ ଗୁଇନ୍ଦା ସଂସ୍ଥା, ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାର୍ଡ ସହିତ ଆଠଗଡ ଓ ତିଗିରିଆ ପୁଲିସ ଏବଂ ମାଜିଷ୍ଟ୍ରେଟ ଭାବେ ଆଠଗଡ ତହସିଲଦାର ଅଂଶଗ୍ରହଣ କରିଥିଲେ । କୋରଙ୍ଗା, ଭିରୁଡା ଓ ପଣସପାଟଣା ଗ୍ରାମରେ ଚଢାଉ ସମୟରେ ମୋଟ ୩୨୯୦ ଲିଟର ଦେଶୀ ମଦ ଏବଂ ୨୭୦୫୫ ଲିଟର ଗୁଡ ମିଶ୍ରିତ ପୋଚ ଜବତ କରାଯାଇଥିଲା । ତେବେ ମଦ ମାଫିଆମାନେ ଏହି ଚଢାଉ ବେଳେ ଲୁଚି ଚମ୍ପଟ ମାରିଥିବାରୁ କାହାରିକୁ ଗିରଫ କରାଯାଇ ପାରିନଥିଲା । ଏ ସମ୍ପର୍କିତ ୧୦ ମାମଲା ରୁଜୁ ହୋଇଛି । ଏହି ଚଢାଉରେ ତହସିଲଦାର ତଥା ମାଜିଷ୍ଟ୍ରେଟ କ୍ଷେତ୍ରମୋହନ ସ୍ୱାଇଁ, ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ଆଠଗଡ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲି, ତିଗିରିଆ ଥାନା ଆଇଆଇସି ବିକ୍ରମ କେଶରୀ ଜେନା, ଆଠଗଡ ଅବକାରୀ ଉପଅଧିକ୍ଷକ ନିମାଇଁ ଚରଣ ସିଂହ, ନିରୀକ୍ଷକ ରବି ନାରାୟଣ ପ୍ରଧାନ, ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ ଅଭିରାମ ସାହୁ, କଟକ ସଦର ନିରୀକ୍ଷକ କମଳ ଲୋଚନ ପାଇକରାୟ, ଗ୍ରାମାଞ୍ଚଳ ନିରୀକ୍ଷକ ମାନସୀ ନାୟକ ଓ ଆଠଗଡ ଉପନିରୀକ୍ଷକ ଅରୁଣ କୁମାର ଭୋଇଙ୍କ ନେତୃତ୍ବରେ ବହୁ ଅବକାରୀ ଏବଂ ପୁଲିସ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

 

Comments are closed.