Patra electronics

ବଜ୍ରପାତର ୪୫ ମିନିଟ ପୂର୍ବରୁ ମୋବାଇଲ ସୂଚନା

0

ଭୁବନେଶ୍ୱର : ଏଣିକି ବଜ୍ରପାତର ୪୫ ମିନିଟ ପୂର୍ବରୁ ଲୋକମାନେ ସୂଚନା ପାଇପାରିବେ। ଘଡ଼ଘଡ଼ି, କୁଆପଥର ବୃଷ୍ଟି ଆଦି ସମ୍ପର୍କରେ ମଧ୍ୟ ତଥ୍ୟ ମିଳିପାରିବ। କେଉଁ ସ୍ଥାନରେ ବଜ୍ରପାତ ହେବ ସେ ସମ୍ପର୍କରେ ସଂପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ମୋବାଇଲ ମେସେଜ ଓ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଆଗୁଆ ସୂଚନା ପ୍ରଦାନ କରାଯାଇପାରିବ। ଏ ନେଇ ଆମେରିକାର ଆର୍ଥ ନେଟୱାର୍କ୍ସ ନାମକ ଏକ ସଂସ୍ଥା ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ପ୍ରାକ୍‌ ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ସଂପୃକ୍ତ ସଂସ୍ଥା ସହ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ସଂସ୍ଥା(ଓସଡମା) ବୁଧବାର ବୁଝାମଣା ପତ୍ର ସ୍ୱାକ୍ଷର କରିଛି। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିରେ ଆର୍ଥ ନେଟୱାର୍କ୍ସର୍ର ଅନ୍ତର୍ଜାତୀୟ ବିକାଶ ନିର୍ଦେଶକ ଆରି ଡାଭିଡୋଭ ଏବଂ ଓସଡମାର ପରିଚାଳନା ନିର୍ଦେଶକ ବିଷ୍ଣୁପଦ ସେଠୀ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଗୁରୁବାର ଠାରୁ ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ଲାଇଟ୍‌ନିଂ ସେନ୍‌ସର ଲଗାଇବା ବ୍ୟବସ୍ଥା କରିବ। ବଜ୍ରପାତର ପୂର୍ବ ସୂଚନା ମଧ୍ୟ ସଂପୃକ୍ତ ସଂସ୍ଥା ପ୍ରଦାନ କରିବ। ସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଏହି ସଂସ୍ଥାକୁ ବାର୍ଷିକ ୫୦ଲକ୍ଷ ଟଙ୍କା ଦେବେ।
ପୂର୍ବରୁ ନିର୍ଦିଷ୍ଟ ଜିଲାରେ ବଜ୍ରପାତ ସଂକ୍ରାନ୍ତ ସୂଚନା ମିଳୁଥିଲା। ଏବେ ସମସ୍ତ ଜିଲାରେ ଏହି ସଂସ୍ଥା ଲାଇଟ୍‌ନିଂ ସେନ୍‌ସର ଲଗାଇବ। ଏହି ସେନ୍‌ସର ବିଭିନ୍ନ ମନ୍ଦିର, ବାତ୍ୟା ଆଶ୍ରୟସ୍ଥଳୀ ଓ ସୁଉଚ୍ଚ କୋଠାରେ ଲଗାଯିବ। ବଜ୍ରପାତ ପୂର୍ବରୁ ସୂଚନା ମିଳିଲେ ବଜ୍ରପାତ ଜନିତ ମୃତ୍ୟୁ ହାର ହ୍ରାସ ପାଇବ ବୋଲି ଶ୍ରୀ ସେଠୀ କହିଛନ୍ତି। ଏହି ସଂସ୍ଥା କଟକ ନିକଟରେ ଏକ ଲାଇ୍‌ଟନିଂ ସେନ୍‌ସର ଲଗାଇଛି। ଖୁବ୍‌ଶୀଘ୍ର ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହା ବସାଯିବ।
ସଂପ୍ରତି ବଜ୍ରପାତ ଏକ ପ୍ରମୁଖ ବିପର୍ଯ୍ୟୟ ଭାବେ ଦେଖାଦେଇଛି। ୨୦୧୭-୧୮ରେ ୪୬୦ଜଣଙ୍କର ବଜ୍ରପାତଜନିତ ମୃତ୍ୟୁ ଘଟିଛି। ପୂର୍ବ ବର୍ଷ ତୁଳନାରେ ଗତବର୍ଷ ବଜ୍ରପାତ ଜନିତ ମୃତ୍ୟୁହାର ୧୫% ବଢ଼ିଥିବା ବେଳେ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ବୈଷୟିକ ଜ୍ଞାନ କୌଶଳର ସହାୟତା ନେଇଛନ୍ତି।
ଏହି ସଂସ୍ଥା ୫୦ଟିରୁ ଅଧିକ ଦେଶରେ ବଜ୍ରପାତର ପୂର୍ବ ସୂଚନା ପ୍ରଦାନ କରୁଥିବା ବେଳେ ଭାରତର ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ଏହି ସେବା ପ୍ରଦାନ କରୁଛି।
ଲାଇଟ୍‌ନିଂ ସେନ୍‌ସର ୧୦୦କିମି ପର୍ଯ୍ୟନ୍ତ ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରିବ। ସଂପୃକ୍ତ ସଂସ୍ଥା ଏ ସମ୍ପର୍କରେ ଅବଗତ କରିବା ମାତ୍ରେ ଏସଏମଏସ, ରେଡିଓ, ଟେଲିଭିଜନ ଏବଂ ବିଭିନ୍ନ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସୂଚନା ପ୍ରଦାନ କରାଯିବ।

Leave A Reply