ବଜ୍ରପାତରେ ୧୧ ମୃତ, ୮ ଆହତ

0

ଢେଙ୍କିକୋଟ/ଯାଜପୁର/କେନ୍ଦ୍ରାପଡ଼ା : ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତରେ ୧୨ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। କେନ୍ଦୁଝର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ବର ଏବଂ ଯାଜପୁର ଜିଲାରେ ୨ଜଣ ଲେଖାଏଁ ବଜ୍ରପାତରେ ପ୍ରାଣ ହରାଇଥିବାବେଳେ ଖୋର୍ଦ୍ଧା ଜିଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବଜ୍ରପାତରେ ଏହି ସବୁ ସ୍ଥାନରେ ୮ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଗୁରୁବାର ଦୁଇଟି ପୃଥକ ଘଟଣାରେ କେନ୍ଦୁଝର ଜିଲା ପାଟଣା ବ୍ଲକ ଓ ତୁରୁମୁଙ୍ଗାରେ ଦୁଇଜଣ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ପ୍ରଥମ ଘଟଣାରେ ମିରିଗିଖୋଜି ପଞ୍ଚାୟତ ଭାଲିଆଡାଳ ଗ୍ରାମରେ ଶୁକ୍ରବାର ଅପରାହ୍ନ ଦେଢଟା ସମୟରେ ବର୍ଷା ସହ ବଜ୍ରପାତ ହେବାରୁ ଖରାଟିଆ ଧାନ କାଟି ବିଲରେ ବିଡା ବାନ୍ଧୁଥିବା ଈଶ୍ୱର ଦଳଦସିଆ(୩୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଭାଲିଆଡାଳ ଗ୍ରାମର ରାଇଟର ଦଳଦସିଆଙ୍କ ପୁଅ ଈଶ୍ୱର ଦଳଦସିଆ ବଜ୍ରପାତର ଶିକାର ହେବା ପରେ ସ୍ଥାନୀୟ ଲୋକେ ତାଙ୍କୁ ପ୍ରାଣରକ୍ଷା ଉଦ୍ଦେଶ୍ୟରେ ପାଟଣା ମେଡିକାଲକୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ଈଶ୍ୱରଙ୍କୁ ମୃତ ଘୋଷଣା କରିଛନ୍ତି। ପାଟଣା ପୁଲିସ ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି। ଈଶ୍ୱରଙ୍କ ମୃତ୍ୟୁରେ ଗ୍ରାମରେ ଶୋକ ଖେଳିଯାଇଛି।
ସେହିପରି ଦ୍ୱିତୀୟ ଘଟଣାରେ ପାଟଣା ବ୍ଲକ ସୀମାନ୍ତ ତୁରୁମୁଙ୍ଗା ଚଢେଇଭୋଳ ମଧ୍ୟସ୍ଥ ବୈତରଣୀ ପୋଲରେ ପହଞ୍ଚିବା ପୂର୍ବରୁ ସିଙ୍ଗଡା ହାଟରୁ ଛେଳି କିଣି ବାଇକ ଯୋଗେ ଘରକୁ ଫେରୁଥିବା ଚମ୍ପୁଆ ବ୍ଲକ ପଳଶା ଗ୍ରାମର ଜନାର୍ଦ୍ଦନ ନାଏକଙ୍କ ପୁଅ ଧରଣୀଧର ନାଏକ(୪୫)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଧରଣୀଧର ଛେଳି ଧରି ବାଇକ ଯୋଗେ ପଳଶା ଗ୍ରାମକୁ ଫେରୁଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ। ପ୍ରାଣରକ୍ଷା ଉଦ୍ଦେଶ୍ୟରେ ୧୦୮ଯୋଗେ ତାଙ୍କୁ କରଞ୍ଜିଆ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଚଢେଇଭୋଳ ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ଯାଜପୁର ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର ଛୋଟା ମହାକୁଡ଼ଙ୍କ ପୁତ୍ର ରବୀନ୍ଦ୍ର ମହାକୁଡ଼ (୫୫) ଓ ରେକାବି ବଜାର ନୀଳମଣି ଦାସଙ୍କ ପୁଅ ଭରତ ଦାସ (୨୬)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ସେହିପରି ଜାହାନପୁର ପଞ୍ଚାୟତର ହନୁମାନଛକର ଚନ୍ଦ୍ରଶେଖର ସାହୁଙ୍କ ପୁଅ ସ୍ମୃତିରଂଜନ ସାହୁ (୧୪), ସିମଳିଆ ପଞ୍ଚାୟତ ଚିତାହଟା ଗ୍ରାମର ଘନଶ୍ୟାମ ମାହୁନ୍ତ (୬୦) ଓ ବିଞ୍ଝାରପୁର ଥାନା ଅଧୀନ ଘଣ୍ଟିଆଳି ଗ୍ରାମର ଗଗନ ବିହାରୀ ଜେନାଙ୍କ ଝିଅ ବର୍ଷାରାଣୀ ଜେନା (୨୦) ମଧ୍ୟ ବଜ୍ରପାତରେ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଜିଲା ହାସପାତାଳରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମର ଅସୁରିଢିହ ଗ୍ରାମର ସୁଧାଂଶୁ ଗାହାଣ ଓ ହିମାଂଶୁ ଗାହାଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଯାଇଥିବା ସେହି ଗ୍ରାମର ଅନ୍ୟ ଦୁଇଜଣ ଆହତ ହୋଇ ଜିଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏମାନେ କୋର ପଞ୍ଚାୟତର ତନାର ଗ୍ରାମରେ ଏକ ଭୋଜିରେ ଯୋଗଦେଇଥିବା ବେଳେ ସେଠାରେ ପ୍ରବଳ ବର୍ଷା ସହିତ ବଜ୍ରପାତ ଘଟିବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା।
ସେହିପରି ମୟୂରଭଞ୍ଜ ଜିଲା ରାଇରଙ୍ଗପୁରର ଦାଣ୍ଡବାସ ଗ୍ରାମର ଜଣେ ବ୍ୟକ୍ତି ବିଲରେ କାମ କରୁଥିବାବେଳେ ଅପରାହ୍ଣରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି।
ସେହିପରି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପଣ୍ଡିକୋର୍ଟ ଗ୍ରାମରେ ବଜ୍ରପାତ ଘଟି ୫ଜଣ ଆହତ ହୋଇଥିବା ଖବର ମିଳିଛି।

 

Leave A Reply