ଜମି ବିବାଦ ସମାଧାନ ପାଇଁ ସରକାରଙ୍କ ପ୍ରାଥମିକତା, ତିନି ଆରଡିସିରେ ‘ଲାରା’କୋର୍ଟ
ତିନି ବିଚାରପତିଙ୍କୁ ୩୦ଜିଲା ଦାୟିତ୍ବ
ଭୁବନେଶ୍ୱର: ଜମିଜମା ବିବାଦକୁ କିଭଳି ସୁରୁଖୁରୁରେ ସମାଧାନ କରାଯାଇ ପାରିବ ସେନେଇ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ପ୍ରକଳ୍ପ ବେଳେ ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ସମସ୍ୟାରେ ଯେଭଳି ଆଗାମୀ ଦିନରେ ଅଡୁଆ ପରିସ୍ଥିତି ସୃଷ୍ଟି ନହେବ ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ କର୍ତ୍ତୃପକ୍ଷ(ଲାରା) କୋର୍ଟ ଖୋଲା ଯାଇଛି। ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ରେଭିନ୍ୟୁ ଡିଭିଜନାଲ କମିଶନର (ଆରଡିସି) ଅଞ୍ଚଳରେ ଏହି ଲାରା କୋର୍ଟ କାର୍ଯ୍ୟକ୍ଷମ କରାଯାଇଛି। ଉକ୍ତ କୋର୍ଟ ଏଣିକି ଜମିଜମା ସଂକ୍ରାନ୍ତୀୟ ସମସ୍ତ ବିବାଦ ଫଇସଲା କରିବ। ଜିଲାସ୍ତରରେ ପୂର୍ବରୁ ଗଡ଼ି ଆସୁଥିବା ଜମି ସମ୍ବନ୍ଧୀୟ ବିବାଦକୁ ସମାଧାନ କରିବା ଦିଗରେ ଲାରା କୋର୍ଟ ପ୍ରାଥମିକତା ଦେବ। ଜିଲା ପ୍ରଶାସନ ଏବଂ ଜିଲା ଦେୱାନୀ କୋର୍ଟରେ ପଡି ରହିଥିବା ସମସ୍ତ ପୁରୁଣା ମାମଲାକୁ ତୁରନ୍ତ ଲାରା କୋର୍ଟକୁ ହସ୍ତାନ୍ତର କରିବାପାଇଁ ସରକାରଙ୍କ ପକ୍ଷରୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।
ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ରାଜସ୍ବ ବିଭାଗର ନିର୍ଦେଶନାମା ଅନୁଯାୟୀ କେନ୍ଦ୍ରାଞ୍ଚଳ ଆରଡିସି ଅଞ୍ଚଳରେ ଥିବା ୧୦ଟି ଜିଲାର ଜମିଜମା ବିବାଦ ଫଇସଲା କରିବାପାଇଁ କଟକସ୍ଥିତ କ୍ୟାଣ୍ଟନମେଣ୍ଟ ରୋଡରେ ଲାରା କୋର୍ଟ କାର୍ଯ୍ୟ କରିବ। ସେହିପରି ବ୍ରହ୍ମପୁରରେ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଲାରା କୋର୍ଟ ଖୋଲା ଯାଇଥିବାବେଳେ ସମ୍ବଲପୁର ଜେଲ ଛକସ୍ଥିତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ସଂପ୍ରତି କାର୍ଯ୍ୟକ୍ଷମ ହୋଇଛି। ଜମିଜମା ବିବାଦ ନେଇ ଗାଁ ଗହଳିରୁ ଆସିବାକୁ ଥିବା ସମସ୍ତ ଲୋକେ ଯେଭଳି ଏହାର ସୁଫଳ ପାଇବେ ତାକୁ ଦୃଷ୍ଟିରେ ରଖି ଲାରା କୋର୍ଟ କାର୍ଯ୍ୟ କରିବ। କୋର୍ଟରେ ଲୋକଙ୍କ ଅପେକ୍ଷା ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ଖୋଲିବା ସହିତ ଆନୁଷଙ୍ଗିକ ଭିତ୍ତିଭୂମି ସଜାଡିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହାସହିତ ବିଭାଗ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୫ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ଆବଶ୍ୟକସ୍ଥଳେ ଅଧିକ ଅର୍ଥ ଯୋଗାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି।
ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କଟକସ୍ଥିତ ଲାରା କୋର୍ଟର ବିଚାରପତି ଭାବେ ସବିତା ଦାସଙ୍କୁ ନିଯୁକ୍ତ କରିଥିବାବେଳେ ବ୍ରହ୍ମପୁର ଲାରା କୋର୍ଟ ପାଇଁ ବିଚାରପତି ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ଏବଂ ସମ୍ବଲପୁର ପାଇଁ ବିଚାରପତି ଅଶୋକ କୁମାର ପାହୀଙ୍କୁ ଦାୟିତ୍ବ ଦିଆଯାଇଛି।
ସେହିପରି ଲାରା କୋର୍ଟକୁ ରେଜିଷ୍ଟ୍ରାର ଭାବେ କଟକ ଆରଡିସିଙ୍କ ଅତିରିକ୍ତ ଶାସନ ସଚିବ ସଞ୍ଜିତା ଦାସଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସମ୍ବଲପୁର ପାଇଁ ବିକାଶ ଚନ୍ଦ୍ର ବେନ ଏବଂ ବ୍ରହ୍ମପୁର ପାଇଁ ପ୍ରଦୀପ କୁମାର ମିଶ୍ରଙ୍କୁ ନିଯୁକ୍ତି ହୋଇଛନ୍ତି। ଆଗାମୀ ଦିନରେ ଜିଲା ପ୍ରଶାସନ ମୁଣ୍ଡରୁ ଜମିଜମା ମାମଲା ହଟାଇବା ସହିତ ଏହାଦ୍ବାରା ଲୋକେ ତ୍ବରିତ ନ୍ୟାୟ ପାଇବେ ବୋଲି ବିଭାଗ ଆଶା ରଖିଥିବା ବିଭାଗ ପକ୍ଷରୁ କୁହାଯାଇଛି।
Comments are closed.