ଝଡ଼ ତୋଫାନରେ ଭାଙ୍ଗିଲା ବିରାଟ ଗଛ ଓ ହାଇସ୍କୁଲର ପାଚେରୀ ଭାଙ୍ଗିଲା, ତାର ଛିଣ୍ଡି ବିଦ୍ୟୁତସେବା ବାଧାପ୍ରାପ୍ତ
ଲାଞ୍ଜିଗଡ଼: ଆଜି ଅପରାହ୍ନରେ ଲାଞ୍ଜିଗଡ଼ ଅଞ୍ଚଳରେ ପ୍ରବଳ ଝଡ଼ତୋଫାନ ହୋଇଥିବାବେଳେ ଲାଞ୍ଜିଗଡ଼ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟରେ ଏକ ବିରାଟ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା। ଏଥିଯୋଗୁଁ ଲାଞ୍ଜିଗଡ଼ରୁ ବିଶ୍ବନାଥପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଯାଏଁ ରାସ୍ତା ଅବରୋଧ ହୋଇ ରହିଥିଲା। ସେହିପରି ରାସ୍ତା ନିକଟରେ ଥିବା ହାଇସ୍କୁଲ ପାଚେରୀ ଉପରେ ଗଛଟି ପଡ଼ିଯିବାରୁ ପାଚେରୀ ଭାଙ୍ଗିଯାଇଥିଲା।
ଏପରିକି ଗଛ ପଡ଼ି ତାର ଛିଣ୍ଡିଯିବାରୁ ଲାଞ୍ଜିଗଡ଼ ସହରରେ ବିଦ୍ୟୁତସେବା ବାଧାପ୍ରାପ୍ତ ହୋଇଥିଲା। ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ରାସ୍ତାରେ ପଡ଼ିଥିବା ଗଛଟିକୁ ହଟାଇ ଦିଆଯାଇଥିଲା। ଫଳରେ ଏବେ ଲାଞ୍ଜିଗଡରୁ ବିଶ୍ବନାଥପୁରକୁ ଯାତାୟତ ସ୍ୱାଭାବିକ ହୋଇପାରିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ କେନ୍ଦ୍ର ଅଧିକାରୀ ସନତ ପ୍ରଧାନ, ହାବିଲଦାର ଦେବରାଜ ପ୍ରଧାନ, ସହକର୍ମୀ ସୁନୀଲ ବାର୍ଲା, ଦୁଷ୍ମନ୍ତ ସାହୁ, ମହେନ୍ଦ୍ର ଭୋଇ, ବସନ୍ତ ବେହେରା ପ୍ରମୁଖ ଏହି ରାସ୍ତା ଅବରୋଧ ହଟାଇବା କାର୍ଯ୍ୟରେ ସାମିଲ ହୋଇଥିଲେ ।
ଅପରପକ୍ଷରେ ଲାଞ୍ଜିଗଡ଼ ବଜାରପଡ଼ାରେ ହେବାକୁ ଥିବା ଅଷ୍ଟ ପ୍ରହରୀର ସାଜସଜ୍ଜାରେ କ୍ଷୟକ୍ଷତି ହୋଇଛି ଓ ମୁଖ୍ୟ ତୋରଣ ଭାଙ୍ଗିପଡ଼ିଛି। ତେଣୁ ବଜାରପଡ଼ାକୁ ମଧ୍ୟ ଯାତାୟତ ବାଧାପ୍ରାପ୍ତ ହୋଇଛି।
Comments are closed.