ପୁଣି ଲାଞ୍ଜିଗଡରେ ଜଙ୍ଗଲି ହାତୀ ଉପଦ୍ରବ: ଭାଙ୍ଗିଲେ ୪ଘର, ନଷ୍ଟ କଲେ ଫସଲ
ଲାଞ୍ଜିଗଡ଼: ଜଙ୍ଗଲି ହାତୀ ଯୋଗୁଁ ଦୁର୍ଗମ ଅଞ୍ଚଳବାସି ରାତିରେ ଶାନ୍ତିରେ ଶୋଇ ପାରୁନାହାନ୍ତି। ପ୍ରତ୍ୟେକ ଦିନ ହାତୀପଲ୍ଲ ଗୋଟିଏ ପରେ ଗୋଟିଏ ଗାଁକୁ ପଶି ଗରିବ ନୀରିହଙ୍କ ଘର ଭାଙ୍ଗିବା ସହ କଷ୍ଟ ଉପାର୍ଜିତ ସୁନାର ଫସଲକୁ ନଷ୍ଟ କରୁଛନ୍ତି। ଏଭଳି ପୁଣି ଏକ ଘଟଣା ଘଟିଛି ଲାଞ୍ଜିଗଡ ବ୍ଲକ ଅର୍ନ୍ତଗତ ବେଡାଗାଁ ପଞ୍ଚାୟତର ଆଦିବାସି ସାହିରେ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବେଡାଗାଁର ଆଦିବାସି ସାହିକୁ ହାତୀପଲ୍ଲ ପଶି ଗାଁରେ ଥିବା ଚାରିରୁ ପାଞ୍ଚ ଏକର ମକାଚାଷକୁ ମାଡି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ଏହାପରେ ଗାଁର ଧନୁ ମାଝୀ,ରମେଶ ମାଝୀ,ଆନ୍ଦୁ ମାଝୀ ଓ ସାଲୁପୁ ମାଝୀଙ୍କ ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଛନ୍ତି । ପରିବାର ଲୋକଙ୍କ କହିବାନୁଯାଇ ଗତକାଲି ବିଳମ୍ବିତ ରାତିରେ ଧନୁ ମାଝୀଙ୍କ ମକାବାଡକୁ ପଶି ମକାଚାଷ ନଷ୍ଟ କରିବା ପରେ ହାତୀପଲ୍ଲ ଗର୍ଜନ ଛାଡିଥିଲେ। ଗର୍ଜନ ଶୁଣି ଧନୁ ମାଝୀ ସ୍ତ୍ରୀ ପିଲାଛୁଆଙ୍କୁ ଧରି ବାହାରକୁ ଚାଲିଆସିଥିଲେ। ବାହାରକୁ ଚାଲି ଆସୁଥିବା ବେଳେ ପଡାର ସମସ୍ତେ ବାହାରକୁ ଚାଲି ଆସିଥିଲେ ଓ ଜଙ୍ଗଲି ହାତୀକୁ ଘଉଡେଇବା ପାଇଁ ନିଆଁ ଲଗାଇଥିଲେ। ହେଲେ ହାତୀପଲ୍ଲ ଧନୁ ମାଝିର ଘର ଭିତରକୁ ପଶି ଖାଦ୍ୟଶସ୍ୟ ସବୁ ନଷ୍ଟ କରିବା ସହ ଛେଳି ଗୋଟିଏ ମାଡିଦେବା ସହ ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଦେଇଥିଲେ। ଏହା ସହିତ ରମେଶ ମାଝୀର ଗୋଟିଏ ମଟରସାଇକେଲ ଭାଙ୍ଗି ଦେଇଥିଲେ। ଏହା ପରେ ରମେଶ ମାଝୀ, ଆଙ୍ଗୁ ମାଝୀ ଓ ସାଲୁପୁ ମାଝୀର ଘର ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲେ । ବର୍ତ୍ତମାନ ଏହି ଚାରିଗୋଟି ପରିବାର ଘର ଭାଙ୍ଗିଯିବା ପରେ ପୋଡଷିଙ୍କ ଘରେ ଆଶ୍ରୟ ନେଇଛନ୍ତି ।
ବନବିଭାଗ ପକ୍ଷରୁ ବିଶ୍ୱନାଥପୁର ରେଞ୍ଜର ନରତ୍ତୋମ ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ତଦାରଖ କରିଥିବା ବେଳେ ଲାଞ୍ଜିଗଡ ତହସିଲଦାର ମୁନିନ୍ଦ୍ର ହୁନ୍ନାଗାଁଙ୍କ ନିର୍ଦେଶ କ୍ରମେ ରାଜସ୍ୱ ନୀରିକ୍ଷକ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି।
ସୂଚନା ଥାଉକି ଗତ ୨୮ତାରିଖ ଦିନ ପିଡେଲବାଜୁ ଗାଁର ଚାରିଗୋଟି ଘରକୁ ଜଙ୍ଗଲି ହାତୀପଲ୍ଲ ଭାଙ୍ଗି ଦେଇଛନ୍ତି। ଏହି ଜଙ୍ଗଲି ହାତୀ ଯୋଗୁଁ ଦୁର୍ଗମ ଅଞ୍ଚଳବାସି ରାତିରେ ଅନିଦ୍ରା ରହି ପହରା ଦେଉଛନ୍ତି। ବନବିଭାଗ ପକ୍ଷରୁ ହାତୀର ଗତିପଥକୁ ଲକ୍ଷ୍ୟ କରିବା ପାଇଁ ଓ ହାତୀ ଘଉଡେଇବା ପାଇଁ ଏଲିଫାଣ୍ଟ ସ୍କ୍ବାର୍ଡ ଗଠନ କରାଯାଇଛି । ହେଲେ ଏହା କେବଳ କାଗଜପତ୍ରରେ ଚାଲିଥିବା ଅଭିଯୋଗ ହେଉଛି । ପ୍ରଶାସନିକ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରୁଥିବାବେଳେ ହାତୀ ଘର ଭାଙ୍ଗିବାର ମାସ ମାସ ବିତିଯାଉଥିଲେ ହେଁ କ୍ଷତିପୁରଣ ମିଳିପାରୁନାହିଁ । ଏହାକୁ ନେଇ ଦୁର୍ଗମ ଅଞ୍ଚଳବାସିଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି।
Comments are closed.