ଡେସ୍କ: ଲଦାଖର ସାମାଜିକ କର୍ମୀ ମଙ୍ଗଳବାର (ମାର୍ଚ୍ଚ ୨୬) ଦିନ ତାଙ୍କର ୨୧ ଦିନିଆ ‘ଅନଶନ’ର ଅନ୍ତ ଘଟାଇ ଏହି ଅନଶନ ପାଇଁ ଅନ୍ୟ ଗୋଷ୍ଠୀକୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ନାଗରିକ ଗୋଷ୍ଠୀମାନେ ସେମାନଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ଅନଶନ ଜାରି ରଖିବେ।
ଅନଶନ ଶେଷରେ ଏକ ଭିଡିଓ ବାର୍ତ୍ତାରେ ୱାଙ୍ଗଚୁକ୍ କହିଛନ୍ତି, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ପ୍ରଥମ ପର୍ଯ୍ୟାୟ ସରିଥିଲେ ମଧ୍ୟ ଅନଶନ ଶେଷ ହୋଇନାହିଁ। ମୋ ପରେ ଆସନ୍ତାକାଲି ମହିଳାମାନେ ୧୦ ଦିନିଆ ଅନଶନ ଆରମ୍ଭ କରିବେ। ଏହାପରେ ଯୁବକ, ବୌଦ୍ଧ ଭିକ୍ଷୁ ମାନେ ଯୋଗଦେବେ। ଏହି ଅନଶନ ଜାରି ରହିବ। ଏହି ଆମରଣ ଅନଶନରେ ସବୁ ଧର୍ମର ପ୍ରାୟ ୬ ହଜାର ଲୋକ ସାମିଲ ହୋଇଥିଲେ।
ଚଳିତ ମାସ ଆରମ୍ଭରେ ତୃତୀୟ ପର୍ଯ୍ୟାୟରେ ବର୍ଷତମାମ ଆଲୋଚନା ବିଫଳ ହେବା ପରେ ଚୀନ୍ ଓ ପାକିସ୍ତାନ ସୀମାରେ ଥିବା ରଣନୈତିକ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ୨୦୧୯ରେ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକ କମିଟି ଏହାର ସାମ୍ବିଧାନିକ ସୁରକ୍ଷା ଦାବିକୁ ଗ୍ରହଣ କରିବାକୁ ମନା କରିଦେଇଥିଲା।
ଲଦାଖର ନାଗରିକ ସମାଜ ରାଜ୍ୟ ମାନ୍ୟତା ପ୍ରଦାନ, ଲଦାଖକୁ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା, ଲଦାଖର ସ୍ଥାନୀୟ ଲୋକଙ୍କ ପାଇଁ ପ୍ରଶାସନରେ ଚାକିରି ସଂରକ୍ଷଣ ନୀତି ଏବଂ ଲେହ ଓ କାର୍ଗିଲ ପାଇଁ ଗୋଟିଏ ଲେଖାଏଁ ସଂସଦୀୟ ଆସନ ଦାବି କରି ଆସୁଛନ୍ତି।
ଅନଶନ ସମୟରେ ୱାଙ୍ଗଚୁକ୍ ଷଷ୍ଠ ଅନୁସୂଚୀ ଦାବି ବିଷୟରେ କହିଥିଲେ ଯାହା ଆଦିବାସୀ ସମ୍ପ୍ରଦାୟ ଥିବା ପାହାଡ଼ିଆ ଅଞ୍ଚଳ ପାଇଁ ପ୍ରସ୍ତୁତ କରାଯାଇଛି। ସାଧାରଣତଃ ୫୦% ଆଦିବାସୀ ଜନସଂଖ୍ୟା ଏଥିପାଇଁ ଯୋଗ୍ୟତା ଅର୍ଜନ କରିବା ପାଇଁ ଯଥେଷ୍ଟ, କିନ୍ତୁ ଲଦାଖରେ ଏହା ୯୭% ରହିଛି। ତେଣୁ ଏଥିପାଇଁ ଆମେ ଯୋଗ୍ୟତା ଅର୍ଜନ କରିଛୁ। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ଦାବି ପୂରଣ ନ ହେବା ଓ ଏବେ ଏହା ହେବନାହିଁ ବୋଲି ସରକାର କହିବା ପରେ ଲଦାଖବାସୀ ଅତ୍ୟନ୍ତ ଦୁଃଖିତ ଏବଂ ଏହାର ଏକମାତ୍ର ଉପାୟ ହେଉଛି ଆନ୍ଦୋଳନ ଆରମ୍ଭ କରିବା ବୋଲି ୱାଙ୍ଗଚୁକ୍ କହିଛନ୍ତି।



