ଏଲ.ଭି.ନେତ୍ର ପ୍ରତିଷ୍ଠାନର ପଞ୍ଚମ ପ୍ରତିଷ୍ଠା ଦିବସ
କେନ୍ଦୁଝରଗଡ଼ : କେନ୍ଦୁଝର କଲେଜରୋଡସ୍ଥିତ ଏଲ.ଭି.ପ୍ରସାଦ ନେତ୍ର ପ୍ରତିଷ୍ଠାନର ପଞ୍ଚମ ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଡାକ୍ତର ପ୍ରଶାନ୍ତ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ କେନ୍ଦୁଝରଗଡ ନଗରପାଳ ନିକୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଷ୍ଠାନର ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ଡାକ୍ତର ସ୍ମୃତିରେଖା ଚମ୍ପିଆ, ଡାକ୍ତର ଦେବସ୍ମୀତା ମାଝୀ, ଚକ୍ଷୁ ରୋଗ ବିଶେଷଜ୍ଞ ଶୋଭାପ୍ରସାଦ ବେହେରା, ବରିଷ୍ଠ ନାଗରିକ ବିବେକାନନ୍ଦ ପଟ୍ଟନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଗତ ୫ବର୍ଷ ଧରି ଅନୁଷ୍ଠାନ ସହ ଜଡିତ ରହି ରୋଗୀ ସେବାରେ ନିଜକୁ ସାମିଲ କରିଥିବା କର୍ମଚାରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ବିଗତ ୫ବର୍ଷରେ ଏହି ଅନୁଷ୍ଠାନରେ ୯୪୭୦୦ଜଣଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିବା ବେଳେ ୫୮୦୧ଜଣ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇ ପୁନଃ ଦୃଷ୍ଟିଶକ୍ତି ଫେରାଯାଇ ପାରିଛି। ଏଥିମଧ୍ୟରୁ ୫୭ପ୍ରତିଶତ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ସେବା କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ବୋଲି ଅଧ୍ୟକ୍ଷ ଡାକ୍ତର ଶ୍ରୀ ଗର୍ଗ ଏହି ସୂଚନା ଦେଇଛନ୍ତି। ଡାକ୍ତର ବିଶାଳ ଯାଦବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡାକ୍ତର ଇପ୍ସିତା ମୁନୀ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.