www.samajalive.in
Monday, December 15, 2025
24.1 C
Bhubaneswar

କରୋନା ଆତଙ୍କ: ଫେରିଲେ ୬୫, ଫସିଛନ୍ତି ୧୩୨ , ଚାଇନାରୁ ସୁରକ୍ଷିତ ଆସିଲେ କୋରାପୁଟିଆ ଝିଅ

କୋରାପୁଟ : ଭାରତର ଶହଶହ ଛାତ୍ରଛାତ୍ରୀ ଚାଇନାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଅଛନ୍ତି। ଚାଇନାରୁ ପ୍ରବାହିତ କରୋନା ଭାଇରସ ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବାରୁ ସମ୍ପ୍ରତି ସେଠାରେ ଅଧ୍ୟୟନରତ ପିଲାଙ୍କ ସୁରକ୍ଷା ନେଇ ଓଡ଼ିଶାର ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଚୀନରେ ଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକର ପ୍ରଥମ ଦ୍ୱିତୀୟ ବର୍ଷର ସେମିଷ୍ଟାର ପରୀକ୍ଷା ଗୁଡ଼ିକ ସରିଯାଇଥିବାରୁ ଅନେକ ପିଲା ଭାରତକୁ ସୁରକ୍ଷିତ ଫେରିଥିବାବେଳେ ଚତୁର୍ଥ ଓ ପଞ୍ଚମ ବର୍ଷରେ ବିଭିନ୍ନ ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସରିନଥିବାରୁ ସେମାନେ ଆସିବାରେ ବିଳମ୍ବ ହେଉଛି। ତେଣୁ ଅନେକ ଛାତ୍ରଛାତ୍ରୀ ଏବେବି ଚାଇନାରୁ ଭାରତକୁ ସୁରକ୍ଷିତ ଫେରିବା ବାଟକୁ ଚାତକ ଭଳି ଚାହିଁ ବସିଛନ୍ତି ବୋଲି ଚାଇନାର ୟୁନାନ୍‍ର ଡାଲି ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ବର୍ଷର ପ୍ରଥମ ଡାକ୍ତରୀ ସେମିଷ୍ଟାର ପରୀକ୍ଷା ସାରି ଓଡ଼ିଶାର ନିଜ ଭିଟାମାଟି କୋରାପୁଟକୁ ଫେରିଥିବା ଲିପ୍ସା ବକ୍ସି ପ୍ରକାଶ କରିଛନ୍ତି।
ଲିପ୍ସା ବକ୍ସି କୋରାପୁଟ ଜିଲାର କୋଟପାଡ଼ ବ୍ଲକର ସଦର ମହକୁମାରେ ରହନ୍ତି। ତାଙ୍କ ପିତା ପ୍ରଦିପ ବକ୍ସି ପେଷାରେ ସାମ୍ବାଦିକ ଓ ଆଇନଜୀବୀ ଭାବେ କୋଟପାଡ଼ରେ କାର୍ଯ୍ୟରତ। ଲିପ୍ସାଙ୍କ କହିବାନୁଯାୟୀ ତାଙ୍କରି ପରୀକ୍ଷା ସରିବା ପରେ ସେ ଗତ ଜାନୁଆରୀ ମାସ ୧୯ତାରିଖରେ ଭାରତକୁ ଫେରିଯାଇଥିଲେ। ୪ମାସ ପୂର୍ବରୁ ତାଙ୍କରି ଟିକଟ ହୋଇଥିବାରୁ ସେ ଫରିବାରେ କୌଣସି ଦ୍ୱିଧା ଉପୁଜିନଥିଲା। ତେବେ ସେହି ସମୟରେ ଚୀନର କେତେକ ସ୍ଥାନରେ କରୋନା ଭାଇରସର ଆଭାସ ମିଳିଥିବାରୁ ଫେରିବା ବାଟରେ ସୁଶ୍ରୀ ବକ୍ସିଙ୍କୁ ତିନୋଟି ସ୍ଥାନରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପ୍ରଥମେ ଡାଲି, ଦ୍ୱିତୀୟରେ ବେଜିଂ ଓ ତୃତୀୟରେ ଭାରତର କୋଲକାତାରେ ତାଙ୍କୁ ଡାକ୍ତରୀ ମାଇନା ପରେ ସେ କୌଣସି ଭାଇରସରେ ଆକ୍ରାନ୍ତ ନଥିବା ଏବଂ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା ଡାକ୍ତର ପ୍ରକାଶ କରିଥିଲେ। ସୁଶ୍ରୀ ବକ୍ସିଙ୍କ ସମେତ ଡାଲି ବିଶ୍ୱବିଦ୍ୟାଳୟରେ ୬୫ଛାତ୍ରଛାତ୍ରୀ ଡାକ୍ତରୀ ଯାଞ୍ଚ ପରେ ଭାରତକୁ ସୁରକ୍ଷିତ ଫେରିଥିବା ସେ ପ୍ରକାଶ କରିଛନ୍ତି।ତାଙ୍କ ସହ ଓଡିଶାର ଅନ୍ୟ ୪ ଛାତ୍ରୀ ମଧ୍ୟ ଫେରିଥିଲେ। ସୁରକ୍ଷିତ ଫେରିଥିବାରୁ ତାଙ୍କରି ଅଭିଭାବ ଆଶ୍ୱସ୍ତି ଲାଭ କରିଛନ୍ତି।

ତେବେ ତୃତୀୟ ଓ ଚତୁର୍ଥ ବର୍ଷରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ପରୀକ୍ଷା ବିଳମ୍ବ ହୋଇଥିବାରୁ ଡାଲି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଭାରତର ଆହୁରି ୧୩୨ଛାତ୍ରଛାତ୍ରୀ ଚୀନରେ ଅଟକି ରହିଥିବା ଏବଂ ସ୍ୱଦେଶ ଫେରି ପାରୁନଥିବା ସେ ପ୍ରକାଶ କରିଛନ୍ତି। ମୁଖ୍ୟତଃ ଚୀନରୁ ଭାରତକୁ ସିଧାସଳଖ ଯାତ୍ରା କରୁଥିବା ବିମାନଗୁଡ଼ିକ ବନ୍ଦ କରି ଦିଆଯାଇଥିବାରୁ ଏଭଳି ଅବସ୍ଥା ଉପୁଜିଛି ଏବଂ ଭାରତକୁ ଆସିବାକୁ ହେଲେ ଭାୟା ଦୁବାଇ ହୋଇ ଆସିବାକୁ ପଡ଼ୁଥିବା ସେ କହିଛନ୍ତି। ତେବେ ଚୀନରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ପିଲାମାନେ ବର୍ତ୍ତମାନ ମଧ୍ୟ ଉକ୍ତ ବିଶ୍ୱବିଦ୍ୟାଳୟରେ ରହିଥିବା ସୂଚନା ମିଳିଥିବାବାେଳେ ଚୀନ ସରକାରଙ୍କ ତତ୍ୱାବଧାନରେ ରହିଥିବା ଜଣାପଡ଼ିଛି। ଫେରିନଥିବା ପିଲାଙ୍କ ଅଭିଭାବକ ଭାରତୀୟ ଦୂତାବାସକୁ ଏନେଇ ଯୋଗାଯୋଗ କରି ସହାୟତା ପାଇଁ ନିବେଦନ କରିଥିବା ଜଣାପଡ଼ିଛି। ତେବେ ଚୀନରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଅତି ଉନ୍ନତମାନର ରହିଥିବା ଏବଂ ସେଠିକାର ସରକାର କରୋନା ଭାଇରସର ମୂଳୋତ୍ପାଟ ପାଇଁ ଅନବରତ ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ସୁଶ୍ରୀ ବକ୍ସିଙ୍କ ଚୀନକୁ ଫେରିବା ଏବଂ ଆଗାମୀ ଅଧ୍ୟୟନ ଭବିଷ୍ୟତ ନେଇ ପ୍ରଶ୍ନରେ ସେ ଆସନ୍ତା ୨୮ଫେବୃଆରୀରେ ଚୀନ ଫେରିବାର ଥିଲା, ତେବେ ଆଗାମୀ ସୂଚନା ପର୍ଯ୍ୟନ୍ତ ଚୀନ ନଆସିବାକୁ ଡାଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମେଲ ଯୋଗେ ଜଣାଇଥିବାରୁ ସେ ଅପେକ୍ଷା କରି ରହିଥିବା କହିଛନ୍ତି। ତେବେ ଚୀନର ସରକାରୀ ବ୍ୟବସ୍ଥା ଉପରେ ତାଙ୍କରି ସମ୍ପୂର୍ଣ୍ଣ ଆସ୍ଥା ରହିଛି, ପରିସ୍ଥିତି ସ୍ୱାଭାବିକ ହେବା କ୍ଷଣି ସେ ଚୀନ ଗସ୍ତ କରିବେ ବୋଲି କହିଛନ୍ତି। ସେହିପରି କରୋନା ପ୍ରତିରୋଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ତଥା ବିଦେଶରେ ରହିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇବା ଏବଂ ତାଙ୍କ ପ୍ରତି ଯତ୍ନବାନ ହେବାରେ ଭାରତ ସରକାରଙ୍କ ଭୂମିକାକୁ ମଧ୍ୟ ସୁଶ୍ରୀ ବକ୍ସି ଭୂୟସୀ ପ୍ରଶଂସା କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories