କୋଣାର୍କ ସୂର୍ଯ୍ୟମନ୍ଦିର ପରିସର ଜଳାର୍ଣ୍ଣବ

0

ଗୋପ : ଦୀର୍ଘ ସମୟ ଧରି ବର୍ଷା ଲାଗି ରହିବା ଫଳରେ ମଙ୍ଗଳବାର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ମନ୍ଦିର ପରିସର ମଧ୍ୟରେ ଦୁଇ ଫୁଟର ଜଳ ଜମି ରହିବା ଦେଖିବାକୁ ମିଳିଛି। ମନ୍ଦିର ଚତୁଃପାର୍ଶ୍ବ, ବେଢ଼ା, ପରିସରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳ ନିଷ୍କାସନ ନ ହୋଇପାରିବା ଫଳରେ ପର୍ଯ୍ୟଟକମାନେ ହଇରାଣ ହୋଇଥିବା ଦେଖିବାକୁ ମିଳିଛି। ମନ୍ଦିର ପରିସର ମଧ୍ୟରେ ଜମି ରହୁଥିବା ବର୍ଷାଜଳକୁ ନିଷ୍କାସନ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଡ଼୍ରେନ୍‍ ନିର୍ମାଣ କରାଯାଇଥିବାବେଳେ ଉଚ୍ଚ କ୍ଷମତାସମ୍ପନ୍ନ ପାଣି ପମ୍ପ ମଧ୍ୟ ଲଗାଯାଇଛି। ଡ଼୍ରେନ୍‍ଗୁଡ଼ିକ ଅଳିଆ ଆବର୍ଜନାରେ ପୋତି ହୋଇଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ।

ମନ୍ଦିର ପରିସର ମଧ୍ୟରେ ପାଣି ଜମି ରହିବାରୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମନ୍ଦିର ପରିସର ମଧ୍ୟରେ ବର୍ଷା ହେଲେ କୌଣସି ଆଶ୍ରୟସ୍ଥଳ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ସୂର୍ଯ୍ୟମନ୍ଦିର ପରିସର ମଧ୍ୟରେ ପାଣି ଜମୁଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯିବା ଫଳରେ ଏପରି ସମସ୍ୟାର ପୁନରାବୃତ୍ତି ହୋଇଥିବା କୋଣାର୍କ ସୁରକ୍ଷା ସମିତି, ହସ୍ତଶିଳ୍ପ ବ୍ୟବସାୟୀ ସଂଘ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ କୋଣାର୍କ ସୂର୍ଯ୍ୟମନ୍ଦିର ଦାୟିତ୍ୱରେ ଥିବା ଏଏସ୍‍ଆଇ ଅଧିକାରୀ ନିର୍ମଳ ମହାପାତ୍ରଙ୍କୁ ପଚାରିବାରେ ସେ କୁହନ୍ତି ପ୍ରବଳ ମାତ୍ରାରେ ବର୍ଷା ହେବା ଫଳରେ କିଛି ସମୟ ପାଇଁ ମନ୍ଦିର ପରିସର ଜଳାର୍ଣ୍ଣବ ହୋଇଥିଲା। ଖୁବ୍‍ କମ୍‍ ସମୟ ମଧ୍ୟରୁ ଏହି ଜଳ ନିଷ୍କାସନ କରାଯାଇଛି।

Leave A Reply