www.samajalive.in
Wednesday, December 10, 2025
15.1 C
Bhubaneswar

ଅଧା ପୋଛିନେଲା ବିଜେପି; ତୃଣମୂଳକୁ ଧକ୍କା

କଲକାତା : ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କ ହୁଂକାର କାର୍ଯ୍ୟତଃ ଆଜି ଧୂଳିସାତ୍‍ ହୋଇଛି। କାରଣ ସୁଶ୍ରୀ ବାନାର୍ଜୀ ଘୋଷଣା କରିଥିଲେ ଯେ ରାଜ୍ୟ ୪୨ଟି ଆସନରୁ ପ୍ରତ୍ୟେକଟିରେ ସେମାନଙ୍କ ଦଳ ଅର୍ଥାତ୍‍ ତୃଣମୂଳ ଜୟୀ ହେବ, ଯାହାକି ଆଜି ସମ୍ଭବ ହୋଇପାରି ନାହିଁ। ସର୍ବଭାରତୀୟ ନିର୍ବାଚନ ଫଳାଫଳର ପ୍ରେକ୍ଷାପଟ୍ଟ ସହ ପଶ୍ଚିମବଙ୍ଗରେ ବିଜେପିର ଆଶାତୀତ ସୁଫଳ କାର୍ଯ୍ୟତଃ ସୁଶ୍ରୀ ବାନାର୍ଜୀଙ୍କ ଗଡ଼କୁ ହତୋତ୍ସାହ କରିଛି। ଅନେକେ ଆକଳନ କରିଥିଲେ ଯେ ବିଜେପି ହୁଏତ ବଙ୍ଗ ଭୂମିରେ ଆଠଟି ଆସନ ପାଇ ସନ୍ତୁଷ୍ଟ ହେବ, କିନ୍ତୁ ଏହା ଦୁଇଗୁଣିତ ହେବାଦ୍ୱାରା ଶାସକ ଦଳ ପାଇଁ ଅସ୍ୱସ୍ତିର କାରଣ ହୋଇଛି। ଏଭଳି ଫଳ ୨୦୦୯ ମସିହାରେ ତୃଣମୂଳ କଂଗ୍ରେସ ପାଇଁ ହୋଇଥିଲା; ଯାହାଦ୍ୱାରା ତତ୍କାଳୀନ
ବାମମୋର୍ଚ୍ଚା ସରକାରଙ୍କ ପତିଆରା ହ୍ରାସ ପାଇବା ସଙ୍ଗେସଙ୍ଗେ ୨୦୧୧ ମସିହାରେ ବାମମୋର୍ଚ୍ଚାର ସାମ୍ରାଜ୍ୟର ପତନ ଘଟିଥିଲା। ଯାହାଦ୍ୱାରା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାସକ କ୍ଷମତାକୁ ଆସିଥିଲେ। ତେଣୁ ୨୦୨୧ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମ ଅଙ୍କ ବିଜେପି କଷିବା ଆରମ୍ଭ କରିଛି।
ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ପାଇଁ ହତାଶଜନକ ଫଳ ହୋଇଥିବାରୁ ବିଜେପି ଦଳୀୟ ଦପ୍ତରରେ ଆନନ୍ଦ ଖେଳିଯାଇଛି, ଯାହାଦ୍ୱାରା ତୃଣମୂଳ ଦପ୍ତର ସଂପ୍ରତି ଚୁପ୍‍ ରହିଛି। ବିଜେପିଠାରୁ ଆସନ ପାଇଥିଲେ ସୁଦ୍ଧା ନେତାନେତ୍ରୀମାନେ ସେଥିରେ ସନ୍ତୁଷ୍ଟ ନାହାଁନ୍ତି।
ବିଜେପିର ଏହି ବିଜୟ ନେପଥ୍ୟରେ ମୂଳତଃ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ନା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁରୁଚିପୂର୍ଣ୍ଣ ମନ୍ତବ୍ୟ ଦାୟୀ ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀଙ୍କ ‘ତୁଚ୍ଛ ବ୍ୟବହାର’, ‘ଜୟଶ୍ରୀରାମ କହିଥିବା ବ୍ୟକ୍ତିଙ୍କୁ ଗିରଫ’, ‘ବିଜେପି ନେତାନେତ୍ରୀଙ୍କୁ ଅକାରଣରେ ଗିରଫ’, ‘ମିଥ୍ୟା ମାମଲା ରୁଜୁ’, ‘ପୁଲିସକୁ ଦଳଦାସରେ ପରିଣତ କରିବା’, ‘ସଭାସ୍ଥାନ ଅନୁମତି ଦେବାରେ ବାଧା’, ‘କେନ୍ଦ୍ରୀୟ ବହୁ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାରେ କାର୍ପଣ୍ୟତା’ ଭଳି ବ୍ୟତିକ୍ରମୀ ମନୋଭାବ ଯୋଗୁଁ ରାଜ୍ୟବାସୀ ତୃଣମୂଳ କଂଗ୍ରେସ ଉପରେ କ୍ଷୁବ୍ଧ ହୋଇଥିଲେ, ଯାହାର ପ୍ରତିଫଳନ ଏହି ନିର୍ବାଚନରେ ପଡ଼ିଛି।
ଏହି ଲୋକସଭା ନିର୍ବାଚନର ଫଳାଫଳ ପ୍ରମାଣ କରିଛି ଯେ ଗତ ପଞ୍ଚାୟତ ନିର୍ବାଚନରେ ସାଧାରଣ ଜନତା ଭୋଟ ଦେଇ ପାରି ନଥିଲେ। ଏହି ନିର୍ବାଚନରେ ଶାସକ ଦଳର କର୍ମୀମାନେ ବିରୋଧୀ ଦଳ ପ୍ରତି ଯେଉଁ ପ୍ରତିହିଂସା ପରାୟଣ ହୋଇଥିଲେ ତାହା ମଧ୍ୟ ସାଂପ୍ରତିକ ସମାଜ ବ୍ୟବସ୍ଥାକୁ ବିଚଳିତ କରିଥିଲା। ତେଣୁ ସମସ୍ତ ବିଷୟ ଏହି ନିର୍ବାଚନ ଫଳାଫଳରୁ ବାରି ହୋଇପଡ଼ିଛି।
ଏହି ଫଳାଫଳକୁ ଭିତ୍ତିକରି ତୃଣମୂଳ କଂଗ୍ରେସ ମଧ୍ୟରେ ସଂପ୍ରତି ଫାଟ ସୃଷ୍ଟି କରିବା ଆରମ୍ଭ କରିଛି। ଗତ କିଛିଦିନ ପୂର୍ବରୁ ବିଜେପି ନେତା ମୁକୁଳ ରାୟ ଘୋଷଣା କରିଥିଲେ ଯେ ତୃଣମୂଳର ପ୍ରାୟ ୧୦୦ ବିଧାୟକ ବିଜେପିମୁହାଁ ହୋଇଛନ୍ତି। ବର୍ତ୍ତମାନ ତାହା ପ୍ରମାଣ ଦେବାକୁ ବିଜେପି ନେତାମାନେ ପ୍ରସ୍ତୁତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ବିଜେପିର କେତେକ ନେତା ଘୋଷଣା କରିଛନ୍ତି ଯେ ୨୦୧୯ ମସିହା ମଧ୍ୟରେ ତୃଣମୂଳ ସରକାରର ପତନ ଘଟିବ। କାରଣ ବହୁ ବିଧାୟକ ବିଜେପିରେ ଯୋଗ ଦେବେ।
ଏଠାରେ ପ୍ରଶ୍ନ ଯେ ୧୯୯୮ ମସିହାରେ ତୃଣମୂଳ କଂଗ୍ରେସ ପ୍ରତିଷ୍ଠା ହୋଇଥିଲା। ସେସମୟରେ ମାତ୍ର ଦୁଇଜଣ ସାଂସଦ ଥିଲେ। ଜଣେ ସ୍ୱୟଂ ମମତା ବାନାର୍ଜୀ ଏବଂ ଅନ୍ୟ ଜଣେ ହୁଗୁଳିର ଆକବର ଖଣ୍ଡେକାର। ଏହା ପରେ ୨୦୦୯ରେ ତୃଣମୂଳ ୧୯ଟି ଲୋକସଭା ହାସଲ କରି ବାମମୋର୍ଚ୍ଚାର ନିଦ ଭାଙ୍ଗି ଦେଇଥିଲା। କିନ୍ତୁ ବିଜେପି ଏକ ପୁରୁଣା ଦଳ ହୋଇଥିଲେ ସୁଦ୍ଧା ମାତ୍ର ୫ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ସଂଗଠନ ତିଆରି କରିଛି। ଏହି ସୀମିତ ସମୟ ମଧ୍ୟରେ ଏଭଳି ସଫଳତା ଘଟାଇଥିବାରୁ ଅନେକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତେବେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ ଏହାକୁ ଗୁରୁତ୍ୱ ଦେବାକୁ ଚାହାଁନ୍ତି ନାହିଁ। ସେ କୁହନ୍ତି ଯେ ମିଥ୍ୟାଚାରର ପ୍ରଭାବ ରାଜ୍ୟ ଉପରେ ପଡ଼ିଛି। ସେହି ଧାରଣା ଖୁବ୍‍ ଶୀଘ୍ର ଦୂର ହେବ। ସେଥିପାଇଁ ଦଳ ତାର ନେଟ୍‍ୱାର୍କ ପ୍ରସ୍ତୁତ କରିବାରେ ଭୁଲ୍‍ କରିବ ନାହିଁ।
ମମତାଙ୍କ ଆଶା…

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories