ଦେଶର ସବୁ ଗାଁରେ ପହଞ୍ଚିଲା ବିଜୁଳି

0

ନୂଆଦିଲ୍ଲୀ : ଦେଶର ସବୁ ଗାଁରେ ଏବେ ବିଦ୍ୟୁତସେବା ପହଞ୍ଚି ପାରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ମଣିପୁରର ସେନାପତି ଜିଲ୍ଲା ଅନ୍ତର୍ଗତ ଲେଇଜାଙ୍ଗ୍‍ ଗ୍ରାମ ହେଉଛି ଶେଷ ଗ୍ରାମ । ଯେଉଁଠାରେ ଶନିବାର ଜାତୀୟ ପାୱାର୍‍ ଗ୍ରୀଡ଼ ସ୍ଥାପନ କରାଯାଇ ଗ୍ରାମକୁ ବିଦ୍ୟୁତ୍‍ ସଂଯୋଗ କରାଯାଇପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ସରକାର ସମସ୍ତ ପ୍ରତିଶ୍ରୁତି ପାଳନ କରିଥିବାରୁ ଦେଶର ବିକାଶ ଯାତ୍ରାରେ ୨୦୧୮ ମସିହା ଏପ୍ରିଲ୍‍ ୨୮ ତାରିଖ ଏକ ଐତିହାସିକ ଦିବସ ଭାବେ ସ୍ମରଣୀୟ ହୋଇ ରହିବ । ଯେଉଁଥିପାଇଁ ସମସ୍ତ ଭାରତୀୟଙ୍କ ଜୀବନଶୈଳୀରେ ସବୁଦିନପାଇଁ ଏକ ବ୍ୟାପକ ପରିବର୍ତ୍ତନ ଆସିବ । ଟ୍ୱିଟ୍‍ ଜରିଆରେ ଶ୍ରୀ ମୋଦି କହିଛନ୍ତି, ଲେଇଜାଙ୍ଗ୍‍ ଗ୍ରାମ ଭଳି ଦେଶର ଅନେକ ଗ୍ରାମକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ଶକ୍ତିମନ୍ତ୍ରୀ ଆର୍‍.କେ. ସିଂ କହିଛନ୍ତି, ୨୦୧୫ ମସିହା ଅଗଷ୍ଟ ୧୫ ତାରିଖରେ ଲାଲକିଲାରୁ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ବିଦ୍ୟୁତ୍‍ ସେବାରୁ ବଞ୍ଚିତ ହୋଇଥିବା ଗ୍ରାମଗୁଡିକୁ ୧୦୦୦ ଦିନ ମଧ୍ୟରେ ବିଦ୍ୟୁତ୍‍ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ନିର୍ଦ୍ଧାରିତ ସମୟର ୧୨ ଦିନ ପୂର୍ବରୁ ସରକାର ଏହି ଲକ୍ଷ୍ୟ ହାସଲ କରିପାରିଛନ୍ତି ବୋଲି ସେ କହିଛନ୍ତି। ସ୍ବାଧୀନତାର ୭୦ ବର୍ଷ ପରେ ଏବେ ଦେଶର ସମସ୍ତ ଗାଁକୁ  ବିଦ୍ୟୁତ୍‍ ସଂଯୋଗ କରାଯାଇପାରିଛି ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଜନ ଗଣନା ତଥ୍ୟ ଆଧାରରେ ଦେଶର ସମସ୍ତ ୫,୯୭,୪୬୪ ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଥିବା ସରକାରୀ ଭାବେ କୁହାଯାଇଛି। ୨୦୧୫ରୁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ କରଣ ଯୋଜନାରେ ଦେଶରେ ବିଦ୍ୟୁତ କରଣ ହୋଇ ନ ଥିବା ୧୯,୭୨୭ ଗ୍ରାମକୁ ବିଜୁଳି ସଂଯୋଗ ଯୋଗାଇଦେବା ପାଇଁ ୭୫,୮୯୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା।

Leave A Reply