ସମୁଦିକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସମୁଦି

ନାକଟିଦେଉଳ: କିସିଣ୍ଡା ଥାନା ଗଞ୍ଜାବାହାଲରେ ବିଭତ୍ସ ହତ୍ୟାକାଣ୍ଡ। ସମୁଦିକୁ ଟାଙ୍ଗିଆରେ ହାଣି ସମୁଦି ହତ୍ୟା କରିଛି। ଝିଅ ବାପାର ଟାଙ୍ଗିଆ ଚୋଟରେ ପୁଅ ବାପାଙ୍କ ମୃତ୍ୟୁ ହୋଇଛି। ହତ୍ୟାକାରୀ ସମୁଦିକୁ ଗିରଫ ସହ ପୁଲିସ ତଦନ୍ତ ଆରମ୍ଭ କରିଛି।
ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାବାହାଲ ଗ୍ରାମରେ ଶନିବାର ସ୍ପଷ୍ଟ ଦିବା ଲୋକରେ ରାସ୍ତା ଉପରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ସମୁଦିର ଟାଙ୍ଗିଆ ଚୋଟରେ ସମୁଦିର ଜୀବନ ଚାଲି ଯାଇଛି।

ସୂଚନା ଅନୁସାରେ ଗତ ପ୍ରାୟ ତିନି ବର୍ଷ ତଳେ ଗଞ୍ଜାବାହାଲ ଗ୍ରାମର ମୁରଲୀଧର ଧଳଙ୍କ ପୁଅ କେଲୋ ଗ୍ରାମର ଗିରିଧାରୀ ସାହୁଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ। ଏହି ବିବାହକୁ ଗିରିଧାରୀ ସେହି ସମୟରେ ବିରୋଧ କରିଥିଲେ। ଏପରିକି ବିବାହ ପରେ ଗିରିଧାରୀ ସମୁଦୀ ମୁରଲୀଧରଙ୍କୁ ବିଭିନ୍ନ ସମୟରେ ଜୀବନରେ ମାରିଦେବାକୁ ଧମକ ଚମକ ଦେଇ ଆସୁଥିଲା।

ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଟା ସମୟରେ ମୁରଲୀଧର ଧଳ ନିଜ ବାଇକରେ ଏକାକୀ କଞ୍ଚନପୁର ପଟରୁ ଘରକୁ ଫେରୁଥିବା ବେଳେ ନୂତନ ଗଞ୍ଜାବାହାଲ ପ୍ରାଥମିକ ସ୍କୁଲ ସମ୍ମୁଖରେ ପୂର୍ବରୁ ଛକି ରହିଥିବା ଗିରିଧାରୀ ଟାଙ୍ଗିଆରେ ମୁରଲୀଧର ଧଳଙ୍କ ଉପରେ ଚୋଟ ପରେ ଚୋଟ ପକାଇ ହତ୍ୟା କରିଥିଲେ। ମୁରଲୀଙ୍କ ଡାହାଣ ପାଖ ଛାତି, ବେକ ଏବଂ ଜଙ୍ଘରେ ଟାଙ୍ଗିଆ ଚୋଟ ପକାଇଥିଲେ। ଫଳରେ ମୁରଲୀଧରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ କିସିଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ ସହ ହତ୍ୟାକାରୀ ଗିରିଧାରୀ ସାହୁକୁ ଗିରଫ କରିଛି।

Comments are closed.