‘ମଣ୍ଡିରେ ଧାନ ବିକିବାରୁ ଚାଷୀ ବଞ୍ଚିତ ନହୁଅନ୍ତୁ’

କଟକ : ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଏବଂ ସଂଗ୍ରହ ପ୍ରକ୍ରିୟା ସରଳୀକରଣ ହେବା ଆବଶ୍ୟକ। କୌଣସି ଚାଷୀ ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚିତ ନ ହୁଅନ୍ତୁ। ଚାଷୀମାନେ ଯେପରି ସଶକ୍ତ ଓ ସମୃଦ୍ଧ ହୋଇପାରିବେ ସେଥିପାଇଁ ରାଜ୍ୟ ସରକାର ସବୁ ଦିଗକୁ ବିଚାର କରିବା ଆବଶ୍ୟକ। ଜଣେ ଚାଷୀ ଧାନ ବିକ୍ରି କରିବାରୁ ଯେପରି ବଞ୍ଚିତ ନହୁଏ, ମଣ୍ଡି ବ୍ୟବସ୍ଥା ସେଭଳି ହେବା ଦରକାର ଏବଂ ତାହା ରାଜ୍ୟ ସରକାର ନିଶ୍ଚିନ୍ତ କରନ୍ତୁ ବୋଲି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ​ଦେଇଛନ୍ତି। ସମ୍ବଲପୁରର ଚାଷୀ କଳ୍ପନା ପଟେଲ୍‌‌ ଏବଂ ଅନ୍ୟମାନେ ଅନ୍‌‌ଲାଇନ୍‌‌ ଜରିଆରେ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିବାରୁ ବଞ୍ଚିତ ହେବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାରେ ରାୟ ପ୍ରକାଶ କରି ଧାନ ପଞ୍ଜୀକରଣ ସମୟରେ ରାଜ୍ୟ ସରକାର ଚାଷୀଙ୍କ ସ୍ୱାର୍ଥପ୍ରତି ସମ୍ବେଦନଶୀଳ ରହିବାକୁ ପରାମର୍ଶ ଦେଇଛନ୍ତି। ଆବେଦନକାରୀମାନେ ସମ୍ବଲପୁର କୁଚିଣ୍ଡା ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ବିକ୍ରି ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ। ସେମାନେ ଅନ୍‌‌ଲାଇନ୍‌‌ରେ ଧାନ ବିକ୍ରି ପାଇଁ ପଞ୍ଜୀକରଣରୁ ବଞ୍ଚିତ ହେବାରୁ ଅଫ୍‌‌ଲାଇନ୍‌‌ରେ ଚେଷ୍ଟା କରିଥିଲେ। ନିରାଶ ହେବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ଏହାସତ୍ତ୍ବେ ସେମାନଙ୍କୁ ଧାନ ବିକ୍ରି ପାଇଁ ଅନୁମତି ମିଳିନଥିଲା। ଫଳରେ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ରାଜ୍ୟ ସରକାରଙ୍କ ଧାନ ପଞ୍ଜୀକରଣ ପାଇଁ ପ୍ରଚଳିତ ହୋଇଥିବା ଏହି ଅନ୍‌‌ଲାଇନ୍‌‌ ନୀତିକୁ ଯଦିଓ ପ୍ରଶଂସା କରିଛନ୍ତି; କିନ୍ତୁ ଏହି ବ୍ୟବସ୍ଥା ଦ୍ୱାରା ଜଣେ ଚାଷୀ ଧାନ ବିକ୍ରି କରିବାରୁ ଯେପରି ବଞ୍ଚିତ ନହୁଏ ସେ ଦିଗରେ ମଧ୍ୟ ଯତ୍ନବାନ ହେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।  ଧାନ ପଞ୍ଜୀକରଣ ସମୟରେ ରାଜ୍ୟ ସମବାୟ ଏବଂ କୃଷି ବିଭାଗ କେତେକ ଦିଗପ୍ରତି ଦୃଷ୍ଟିଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଧାନ ପଞ୍ଜୀକରଣ ପୂର୍ବରୁ ସମବାୟ ଏବଂ କୃଷି ବିଭାଗ ଗ୍ରାମାଞ୍ଚଳର କୃଷକଙ୍କୁ ସଚେତନତା ପାଇଁ ଆବଶ୍ୟକ ପଦକ୍ଷେପ ନେବେ। ଯେପରି କୃଷକମାନେ ଧାନ ବିକ୍ରି ପାଇଁ ପଞ୍ଜୀକରଣ ଧାର୍ଯ୍ୟ ସମୟରେ କରିବେ, ସେ ବିଷୟରେ ଅାବଶ୍ୟକ ସୂଚନା ପାଇପାରିବେ। ଏହି ସଚେତନତା ସ୍ଥାନୀୟ ଆଞ୍ଚଳିକ ଭାଷାରେ କରାଯିବା ଅାବଶ୍ୟକ। ଚାଷୀଙ୍କ ଅଭିଯୋଗ ଶୁଣିବା ଲାଗି କୃଷି ବିଭାଗ ହେଲ୍‌‌ପ୍‌‌ ଲାଇନ୍‌‌ ଜାରି କରାଯାଉ। ଏଥିସହ ଏକ ଅନ୍‌‌ଲାଇନ୍‌‌ ଅଭିଯୋଗ ଟ୍ରାକିଂ ସିଷ୍ଟମ୍‌‌ ଖୋଲାଯିବ। ଯାହାଦ୍ୱାରା ଚାଷୀଙ୍କ ଅଭିଯୋଗର ଧାର୍ଯ୍ୟ ସମୟ ମଧ୍ୟରେ ବିଭିନ୍ନ ଅଭିଯୋଗର ସମାଧାନ ହେବାସହ ସ୍ୱଚ୍ଛତା ବଜାୟ ରହିପାରିବ। ଚାଷୀଙ୍କ ନିକଟରୁ ଯେଉଁସବୁ ଅଭିଯୋଗ ଆସିବ ଏହି ଦାୟିତ୍ୱରେ ଥିବା ଅଧିକାରୀ ସାମାଧାନ କରିବା ଲାଗି ପଦକ୍ଷେପ ନେବେ। ଧାନ ସଂଗ୍ରହ ପାଇଁ ଯେଉଁ ଡିଜିଟାଲ ଭିତ୍ତିଭୂମି ରହିଛି ତାହା କିପରି କାର୍ଯ୍ୟ କରୁଛି ସେନେଇ ରାଜ୍ୟ ସରକାର ନିୟମିତ ଯାଞ୍ଚ କରିବେ। ପ୍ରତ୍ୟେକ ସମିତିରେ ନିରବିଚ୍ଛିନ୍ନ ଇଣ୍ଟରନେଟ୍‌‌ ସୁବିଧା ମିଳିପାରିବ ତାହା ମଧ୍ୟ ରାଜ୍ୟ ସରକାର ନିଶ୍ଚିତ କରିବେ। ଯେଉଁଠାରେ ଇଣ୍ଟରନେଟ୍‌‌ ସୁବିଧା ନାହିଁ ସେଠାରେ ବିକଳ୍ପ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ।  ଆବଶ୍ୟକସ୍ଥଳେ ଅଫ୍‌‌ ଲାଇନ୍‌‌ ଟୁ ଅନ୍‌‌ଲାଇନ୍‌‌ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଅଦାଲତ ପରାମର୍ଶ ଦେଇଛନ୍ତି । ଏହି ପରିେପ୍ରକ୍ଷୀରେ ହାଇକୋର୍ଟ ରାଜ୍ୟ କୃଷି ବିଭାଗ ସଚିବ ରାଜେଶ୍‌‌ ପାଟିଲ୍‌‌ଙ୍କ ବ୍ୟକ୍ତିଗତ ହାଜିରାର ଅନ୍ତ ଘଟାଇବା ସହ ମାମଲାର ମଧ୍ୟ ଅନ୍ତ ଘଟାଇଛନ୍ତି। ଧାନ ବିକ୍ରି ପାଇଁ ହୋଇଥିବା ବ୍ୟବସ୍ଥା ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟକରୁ ବୋଲି ହାଇକୋର୍ଟ ମତ ଦେଇଛନ୍ତି।

Comments are closed.