ସମାଜଲାଇଭ ଡେସ୍କ: କିଟ୍ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣାକୁ ନେଇ ବିବାଦ ଉପୁଜିବା ପରେ ସ୍ପଷ୍ଟୀକରଣ ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ। କିଟ୍ ପକ୍ଷରୁ କୁହାଯାଇଛି ଯେ, ଗତ କାଲି ରାତିରେ କିଟ୍ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣା ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ । ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପ୍ରତି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଅତ୍ୟନ୍ତ ଚିନ୍ତା ଜନକ ପ୍ରସଙ୍ଗ। ଦେଶର ଏଭଳି ସମସ୍ୟାକୁ କିଭଳି ସମାଧାନ କରାଯିବ ସେ ବିଷୟରେ ଆମେ ସମସ୍ତେ ଗୁରୁତ୍ବ ଦେବା ଉଚିତ। କାରଣ ଏହା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ। ଘଟଣା ଜଣାପଡ଼ିବା ପରେ ଏ ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଏବେ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ କିଟ୍ କର୍ତ୍ତୃପକ୍ଷ ଗଭୀର ଦୁଃଖ ପ୍ରକାଶ କରୁଛନ୍ତି ଓ ସଂପୃକ୍ତ ଛାତ୍ରଙ୍କ ପିତାମାତାଙ୍କୁ ସମବେଦନା ଜଣାଇଥିବା କହିଛନ୍ତି।
ଏହା ଏକ ପ୍ରେମ ଜନିତ ଘଟଣା ବୋଲି ଜଣାପଡିଛି। ବ୍ୟକ୍ତିଗତ କାରଣରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି। ଛାତ୍ରଙ୍କ ମା ମଧ୍ୟ ଏ ବିଷୟରେ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ନିଜ ପରିଚିତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଆସିଥିଲା ବୋଲି ତାଙ୍କ ମା’ ପ୍ରକାଶ କରିଛନ୍ତି। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ମା’ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ପ୍ରେମିକାଙ୍କ ବାପା ଓ ପରିବାର ଛାତ୍ରଙ୍କୁ ଧମକ ଚମକ ଦେଇଥିଲେ ଏବଂ ଭୟଭୀତ କରିଥିଲେ। ଫଳରେ ଛାତ୍ର ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ପ୍ରେମିକାଙ୍କ ପରିବାର ବିରୋଧରେ ଥାନାରେ ଏତଲା ଦେବେ ବୋଲି ସେ ସୂଚନା ଦେଇଛନ୍ତି।



