କେରଳ କଂଗ୍ରେସ(ଏମ୍‍)ରୁ ଜୋଶ କେ ମଣି ହେଲେ ରାଜ୍ୟସଭା ପ୍ରାର୍ଥୀ

0

ତିରୁଅନନ୍ତପୁରମ୍‍ : ରାଜ୍ୟସଭା ନିର୍ବାଚନକୁ ନେଇ କେରଳ ପ୍ରଦେଶ କଂଗ୍ରେସରେ ଦେଖାଯାଇଥିବା ବିବାଦର ଅବସାନ ଘଟିଛି। ବିବାଦକୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସର ନେତୃବୃନ୍ଦ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ହସ୍ତକ୍ଷେପ ଲୋଡି ଦିଲ୍ଲୀରେ ଡେରା ପକାଇଥିଲେ। ରାହୁଲଙ୍କ ହସ୍ତକ୍ଷେପର ୩୬ଘଣ୍ଟା ପରେ ବିବାଦର ସମାଧାନ ହୋଇଛି। ରାହୁଲଙ୍କ ନିଷ୍ପତ୍ତି କ୍ରମେ ରାଜ୍ୟସଭା ଆସନକୁ ସହଯୋଗୀ ଦଳ କେରଳ କଂଗ୍ରେସ (ଏମ୍‍)କୁ ଛାଡି ଦିଆଯାଇଛି। ନିର୍ବାଚନରେ କେରଳ କଂଗ୍ରେସ (ଏମ୍‍)ର ଜୋଶ କେ ମଣି ପ୍ରାର୍ଥୀ ହେବେ। ମଣିଙ୍କ ପ୍ରାର୍ଥିତ୍ୱକୁ କଂଗ୍ରେସ ନେତୃତ୍ୱ ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ (ୟୁଡିଏଫ) ସମର୍ଥନ କରିବ। ମଣି ଏବେ ଲୋକସଭା ସଦସ୍ୟ ଅଛନ୍ତି। ଆସନ୍ତା ବର୍ଷ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇବା ଲାଗି ଯୋଜନା କରିଛି। ଜୋଶ ମଣିଙ୍କ ପିତା କେଏମ୍‍ ମଣି ହେଉଛନ୍ତି ଦଳର ଅଧ୍ୟକ୍ଷ। ରାଜ୍ୟସଭା ପ୍ରାର୍ଥିତ୍ୱକୁ ନେଇ କେରଳ ପ୍ରଦେଶ କଂଗ୍ରେସରେ ବିବାଦ ଦେଖାଯାଇଥିଲା। ରାଜ୍ୟସଭା ଆସନକୁ କେରଳ କଂଗ୍ରେସ (ଏମ୍‍)କୁ ଛାଡିଦେବାକୁ ଦଳରେ ବିରୋଧ କରାଯାଇଥିଲା। ପିଜେ କୁରିଏନଙ୍କୁ ପୁନର୍ବାର ରାଜ୍ୟସଭା ପ୍ରାର୍ଥୀ କରିବାକୁ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତାମାନେ ଦାବି କରିଥିଲେ। କେରଳ କଂଗ୍ରେସ (ଏମ୍‍) ହେଉଛି କଂଗ୍ରେସର ଏକ ପୁରୁଣା ସହଯୋଗୀ ଦଳ। ଦୁର୍ନୀତି ଅଭିଯୋଗକୁ ନେଇ ଦୁଇ ବର୍ଷ ତଳେ ଏହା କଂଗ୍ରେସ ନେତୃତ୍ୱ ମେଣ୍ଟ ୟୁଡିଏଫରୁ ଓହରି ଯାଇଥିଲା। ଏବେ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ପୁଣିଥରେ ୟୁଡିଏମ୍‍ ମେଣ୍ଟକୁ ଫେରିଛି।

Leave A Reply