ଈଶ୍ୱରଙ୍କ ଶୋଭାଯାତ୍ରା ପାଇଁ ବିମାନ ଚଳାଚଳ ବନ୍ଦ
ତିରୁଅନନ୍ତପୁରମ୍ : ଈଶ୍ୱରଙ୍କ ପାଇଁ ବିମାନ ଅଟକୁଛି। କେରଳର ତିରୁଅନନ୍ତପୁରମ୍ ବିମାନବନ୍ଦରରେ ବାର୍ଷିକ ଦୁଇଥର ଏଭଳି ଘଟୁଛି। ଭଗବାନ ଶ୍ରୀ ପଦ୍ମନାଭସ୍ୱାମୀଙ୍କ ଆରତୁ (ଠାକୁରଙ୍କ ଗାଧୁଆ) ଶୋଭାଯାତ୍ରା ବିମାନବନ୍ଦର ଦେଇ ଶଙ୍ଖୁମୁଖମ୍ ସମୁଦ୍ର ଉପକୂଳକୁ ଯାଉଥିବାରୁ ଏଭଳି ଘଟୁଛି। ରନ୍ୱେ ଉପରେ ହିଁ ଶୋଭାଯାତ୍ରା ଯାଉଛି। ପରମ୍ପରା ଆଳରେ ଏହାର ପ୍ରତିକାର କରାଯାଇପାରୁ ନାହିଁ। ପ୍ରତିବର୍ଷ ପାଇଁକୁନି ଓ ଆଲ୍ପାସି ଉତ୍ସବ ଅବସରରେ ଦୁଇଥର ଏଭଳି ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଟ୍ରାଭାଙ୍କୋର ରାଜାଙ୍କ ଦ୍ୱାରା କେଉଁ ଅନାଦି କାଳରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ବଳବତ୍ତର ରହିଛି। ଏବେ ବି ରାଜପରିବାର ନେତୃତ୍ୱରେ ଏହା ଅନୁଷ୍ଠିତ ହେଉଛି। ବୁଧବାର ଏହି ଶୋଭାଯାତ୍ରା ଗଲାବେଳେ ବହୁ ସଂଖ୍ୟାରେ ବିମାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ଠାକୁରଙ୍କୁ ଗରୁଡ଼ ବାହନରେ ନିଆଯାଉଥିଲାବେଳେ ଶତାଧିକ ଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସମୁଦ୍ରରେ ଠାକୁରଙ୍କ ଗାଧୁଆ ପରେ ଶୋଭାଯାତ୍ରା ସମାନ ରାସ୍ତାରେ ଫେରିଥିଲା। ଏଥିପାଇଁ ବିମାନ ଚଳାଚଳ ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ଶୋଭାଯାତ୍ରା ପାଇଁ ସୁରୁଖୁରୁରେ ବାଟ ଛାଡ଼ିଦିଆଯାଏ। ଏହି ସମୟରେ ବିମାନଗୁଡ଼ିକର ଚଳାଚଳ ସମୟ ପରିବର୍ତ୍ତନ କରାଯାଇଥାଏ। ଶୋଭାଯାତ୍ରାକାରୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ପାସ୍ ପ୍ରଦାନ କରାଯାଇଥାଏ।