କେନ୍ଦୁଝର: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ସୁଶାନ୍ତ ନାୟକକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲା ଦୌରାଜଜ। ୨୦୨୧ ପଣ୍ଡାପଡ଼ା ଥାନା ଅଞ୍ଚଳରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ କେନ୍ଦୁଝର ଜିଲା ଦୌରାଜଜ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।
ଣଦୁଷ୍କର୍ମ ଓ ହତ୍ୟା ମାମଲାର ଚୂଡାନ୍ତ ଶୁଣାଣୀ କରି କେନ୍ଦୁଝର ଜିଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡା ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ପ୍ରମାଣ ଅଭାବରୁ ଗଣଦୁଷ୍କର୍ମ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପଣ୍ଡାପଡା ଥାନା ବଲାଣୀପଶି ଗ୍ରାମର ସୁଶାନ୍ତ କୁମାର ନାଏକ (୨୩) ୨୩ ଅକ୍ଟୋବର ୨୦୨୧ ବିଳମ୍ବିତ ରାତିରେ ନିକଟସ୍ଥ ବସନ୍ତପୁର ଗ୍ରାମର ପ୍ରେମିକାକୁ ଫୋନ ଯୋଗେ ଘରୁ ବାହାରକୁ ଆସିବା ପାଇଁ ଡାକିଥିଲା।
ପ୍ରେମିକାଜଣକ ଘର କବାଟ ଖୋଲି ବାଡି ପଛପାଖରେ ପହଞ୍ଚିବା ପରେ ପ୍ରେମିକ ସୁଶାନ୍ତ ପ୍ରଥମେ ଦୁଷ୍କର୍ମ କରିବା ପରେ ସେଠାରେ ଉପସ୍ଥିତ ଥିବା ସୁଶାନ୍ତର ୩ଜଣ ସାଙ୍ଗ ମଧ୍ୟ ସମ୍ପୃକ୍ତ ଯୁବତୀଜଣଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ଘଟଣା ପ୍ରଘଟ ହେବା ଭୟରେ ଯୁବତୀଜଣଙ୍କୁ ହତ୍ୟା କରି ସମସ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ମୃତ ଯୁବତୀଙ୍କ ବାପା ତହିଁ ପରଦିନ ଅର୍ଥାତ୍ ୨୪ ଅକ୍ଟୋବର ୨୦୨୧ରେ ନିକଟସ୍ଥ ପଣ୍ଡାପଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରାଯାଇ ସମସ୍ତ ୪ ଅଭିଯୁକ୍ତଙ୍କୁ ୨୬ ଅକ୍ଟୋବରରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଏହି ମାମଲାରେ ମୋଟ ୨୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କେନ୍ଦୁଝର ଜିଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡା ମୃତ ଯୁବତୀର ପ୍ରେମିକ ସୁଶାନ୍ତକୁ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ସହ ୫ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଏହି ମାମଲାରେ ଗଣଦୁଷ୍କର୍ମ ଅଭିଯୋଗରେ ଗିରଫ ୩ ଅଭିଯୁକ୍ତଙ୍କୁ ଉପଯୁକ୍ତ ପ୍ରମାଣ ଅଭାବରୁ ବିଚାରପତି ଶ୍ରୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡିଛି। ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ।



