ଜମି ପଟା ସଂଶୋଧନ ଦାବିରେ ବିକ୍ଷୋଭ

କେନ୍ଦୁଝରଗଡ: କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲାର ଆଦିବାସୀବହୁଳ ଗ୍ରାମମାନଙ୍କରେ ଲୁହା କାମ କରୁଥିବା ସମ୍ପ୍ରଦାୟ ଲୋକମାନଙ୍କୁ ଜମି ପଟା ମାନଙ୍କରେ ଭୁଲ ତଥ୍ୟ ଜାତିସ୍ତମ୍ଭରେ ଉଲ୍ଲେଖ ହୋଇଥିବାରୁ ଆଦିବାସୀ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ମାଧୁରୀ ପାଟିଲ ମାମଲାରେ ଉଚ୍ଚତ୍ତମ ନ୍ୟାୟାଳୟ ନିର୍ଦ୍ଧାରିତ ରାୟ ଅନୁସାରେ ସରଜମିନ ତଦନ୍ତ କରି ପ୍ରମାଣପତ୍ର ପ୍ରଦାନ କରିପାରିବେ, ଯାହା ଓଡିଶାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଓଡିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ରୁଲ-୩୪(ଇ) ଅନୁସାରେ ତହସିଲଦାର ସେଟେଲମେଣ୍ଟ ଜମି ପଟାରେ ଥିବା ଭୁଲ ତଥ୍ୟକୁ ସଂଶୋଧନ କରି ପାରିବେ ବୋଲି ଉଲ୍ଲେଖ ଥିଲେ ହେଁ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହେଉନାହିଁ ବୋଲି ସୁଦର୍ଶନ ଲୋହାର ଅଭିଯୋଗ କରିଛନ୍ତି।

ତହସିଲଦାର ମାନଙ୍କ ଏଭଳି ଭୁଲ ଜାତିକୁ ସରଜମିନ ତଦନ୍ତ କରି ସଂଶୋଧନ କରିବା ଓଡିଶା ସରକାରଙ୍କ କ୍ଷମତା ପରିସରଭୁକ୍ତ ଏବଂ ଏହା କାର୍ଯ୍ୟକାରୀ କରାଗଲେ ଐତିହାସିକ ଭୁଲକୁ ସଂଶୋଧନ କରାଯାଇ ପାରିବା ସହ ଅନେକ ଲୋକ ଏଥିରୁ ଉପକୃତ ପାଇପାରନ୍ତେ ବୋଲି ଶତୃଘ୍ନ ମହାରଣା ଦାବି କରିଛନ୍ତି। ରାଜ୍ୟର ସମସ୍ତ ଜିଲାପାଳ ଓ ତହସିଲଦାରମାନଙ୍କୁ ଜାତୀୟ ମାନବାଧିକାର ଆୟୋଗ ଜଣାଇଥିବା ଭୁଲ ଜାତି ସେଟେଲମେଣ୍ଟ ଜମି ପଟା ମାନଙ୍କରେ ନଜରକୁ ଆସିଲେ ସରଜମିନ ତଦନ୍ତ କରି ସଂଶୋଧନ କରିବାକୁ ଦେଇଥିବା ପ୍ରସ୍ତାବ ୨୦୧୪ ମସିହାରୁ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଦ୍ୟାଧର ଲୋହାର କହିଛନ୍ତି। ଉପରୋକ୍ତ ମର୍ମରେ ସୁଦର୍ଶନ ଲୋହାର, ଶତୃଘ୍ନ ମହାରଣା, ବିଦ୍ୟାଧର ଲୋହାର, ଗୌରାଙ୍ଗ ଲୋହାର, ଗୌତମ ମହାରଣା, ଶିବ ମହାରଣା, ଭୀମ ଲୋହାର, ନରେନ୍ଦ୍ର ମହାରଣା ପ୍ରମୁଖ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Comments are closed.