ଅବହେଳିତ ପୂଣ୍ୟତୋୟା ବୈତରଣୀ ଉତ୍ପତ୍ତିସ୍ଥଳ ଗୋନାସିକା-ଗୁପ୍ତଗଙ୍ଗା

କେନ୍ଦୁଝରଗଡ: କେନ୍ଦୁଝର ଜିଲା କାହିଁକି ପଡୋଶୀ ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲା ସମେତ ଝାଡଖଣ୍ଡ ରାଜ୍ୟ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକା-ଗୁପ୍ତଗଙ୍ଗା ଅବହେଳିତ ଅବସ୍ଥାରେ ଥିବାବେଳେ ସାମାନ୍ୟ ପ୍ରଚେଷ୍ଟା ଅଭାବରୁ ଏପରି ଏକ ଐତିହାସିକ ପୀଠ ଲୋକଲୋଚନ ଆଢୁଆଳରେ ରହିଆସିଛି।

ଲୋକକଥାନୁଯାୟୀ ଗଙ୍ଗା ନଦୀଠାରୁ ୧୨ବର୍ଷ ବଡ ଏହି ପୁଣ୍ୟତୋୟା ବୈତରଣୀ ଅନେକ ଧାର୍ମିକ ବିଶ୍ୱାସ ଓ ଭାବଧାରା ସହ ଜଡିତ। ସୁମେରୁ ପାହାଡରୁ ବାହାରି ଥିବା ଏହି ବୈତରଣୀକୁ ଅନେକ ଭକ୍ତିର ସହ ପ୍ରଣାମ କରୁଥିବାବେଳେ ଏହା ଧାମରା ନିକଟ ବଙ୍ଗୋପସାଗରରେ ଲୀନ ହେବା ପୂର୍ବରୁ ପ୍ରତି କୋଶରେ ମହାଦେବଙ୍କ ମନ୍ଦିର ସ୍ଥାପିତ ହୋଇ ପୂଜା ପାଇ ଆସୁଛନ୍ତି। ଆଦି ପୀଠ ବ୍ରହ୍ମେଶ୍ୱରଙ୍କଠାରୁ ଆରମ୍ଭ କରି ଜିଲାର ଅନ୍ୟତମ ପ୍ରାଚୀନ ଶୈବପୀଠ ଭାବେ ସୁପରିଚିତ ହାବଳେଶ୍ୱର ଶିବ ମନ୍ଦିର ରହିଛି।

ବୈତରଣୀ ଅନେକଙ୍କ ପାଇଁ ପ୍ରାତଃ ସ୍ମରଣୀୟ ହୋଇଥିବା ବେଳେ ଏହାର ମୂଳାଧାର ଅବହେଳିତ ଅବସ୍ଥାରେ ଥିବାରୁ ଏହା ଧାର୍ମିକ ଭାବନା ଉପରେ କୁଠାରଘାତ ହେଉଥିବା ନେଇ ଭକ୍ତ ମହଲରେ ଉଦ୍‍ବେଗ ପ୍ରକାଶ ପାଇଆସୁଛି। କେନ୍ଦୁଝର ଜିଲା ସଦର ମହକୁମାରୁ ବାୟାପଣ୍ଡାଦର ଦେଇ ଗୋନାସିକା-ଗୁପ୍ତଗଙ୍ଗା ୩୦କି.ମି ରାସ୍ତା ହୋଇଥିବାବେଳେ ବକ୍ସିବାରିଗାଁ ଦେଇ ଏହି ପୀଠକୁ ଯିବାପାଇଁ ୪୦କି.ମି ଅତିକ୍ରମ କରିବାକୁ ପଡିଥାଏ।

prayash

ବ୍ରହ୍ମେଶ୍ୱର ମନ୍ଦିରଠାରୁ ଗୁପ୍ତଗଙ୍ଗାକୁ ଯିବା ପାଇଁ କୌଣସି ବିଶେଷ ସୂଚନା ନଥିବାବେଳେ ଗତ କିଛିବର୍ଷ ତଳେ ଏଠାରେ ଗଙ୍ଗାଦେବୀଙ୍କ ପ୍ରତିମା ସ୍ଥାପନା କରାଯାଇ ପ୍ରତ୍ୟେହ ପୂଜାର୍ଚ୍ଚନା କରାଯାଉଛି। ଜଣେ ବାବା ଏଠାରେ ଅବସ୍ଥାନ କରି ପୂଜାପାଠ କରୁଥିବାବେଳେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପରଠାରୁ ଗୁପ୍ତଗଙ୍ଗାର ମୂଳ ବାସିନ୍ଦା ରଞ୍ଜନ ଜୁଆଙ୍ଗ ଏବେ ଦୈନିକ ପୂଜା କରି ଆସୁଛନ୍ତି। ବ୍ରହ୍ମେଶ୍ୱରଙ୍କ ମନ୍ଦିର ନିକଟରୁ ଗୁପ୍ତଗଙ୍ଗା ପ୍ରାୟ ୩କି.ମି ରାସ୍ତା ହୋଇଥିବାବେଳେ ପର୍ଯ୍ୟଟକଙ୍କ ପାଇଁ ସାମାନ୍ୟ ସୂଚନାଫଳକ ନଥିବାରୁ ବହୁ ପ୍ରାଚୀନ ଏହି ପୀଠ ସମ୍ପର୍କରେ ବିଶେଷ ପ୍ରଚାର ପ୍ରସାର ହୋଇପାରୁ ନାହିଁ। ଅନେକ ଅଲୌକିକ ଘଟଣାର ଏହି ପୀଠ ଅବହେଳିତ ଅବସ୍ଥାରେ ପଡି ରହିଥିବାବେଳେ ମକର ଓ ବାରୁଣୀଯାତ୍ରା ଏବଂ ଶ୍ରାବଣ ମାସରେ ଭକ୍ତଙ୍କର ବିଶେଷ ଭିଡ ଦେଖିବାକୁ ମିଳିଥାଏ।

କେନ୍ଦୁଝର ଜିଲା ସମେତ ଅନ୍ୟାନ୍ୟ ସ୍ଥାନମାନଙ୍କରୁ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ଗୁପ୍ତଗଙ୍ଗାରେ ଅସ୍ଥି ବିସର୍ଜନ କରୁଥିବାବେଳେ ଏଠାରେ ସାମାନ୍ୟ ବର୍ଷାହେଲେ ଭକ୍ତ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସାମାନ୍ୟ ବିଶ୍ରାମ ଗୃହ ନଥିବାରୁ ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଆସୁଛି। ସେହିଭଳି ଗୁପ୍ତଗଙ୍ଗାକୁ ବଦ୍ୟୁତ୍‍ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପୂର୍ବରୁ ଭକ୍ତମାନେ ଏହି ସ୍ଥାନ ଛାଡିବାକୁ ଏକରକମ ବାଧ୍ୟ ହୋଇଥାନ୍ତି। କେନ୍ଦୁଝର ଜିଲାରେ ପର୍ଯ୍ୟଟନ ପୀଠର ବିକାଶ ପାଇଁ ଜିଲା ପ୍ରଶାସନ ଓ ସରକାରୀସ୍ତରରେ ଆନ୍ତରିକତାର ଅଭାବ ଦେଖା ଦେଇଥିବା ବେଳେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ହଜାର ହଜାର କୋଟି ଟଙ୍କା ଗଚ୍ଛିତ ହୋଇ ଥିଲେ ମଧ୍ୟ ବହୁ ପ୍ରାଚୀନ ଓ ଐତିହାସିକ ଗୋନାସିକା-ଗୁପ୍ତଗଙ୍ଗା ପର୍ଯ୍ୟଟନସ୍ଥଳର ବିକାଶ କରିବାକୁ ସାଧାରଣରେ ଦାବି ହୋଇଆସୁଛି।

ପୁଣ୍ୟତୋୟ ବୈତରଣୀର ଉତ୍ପତ୍ତିସ୍ଥଳ ଗୋନାସିକା-ଗୁପ୍ତଗଙ୍ଗାର ସାମଗ୍ରୀକ ବିକାଶ ସହିତ ଏଠାରେ ବିଶ୍ରାମ ଗୃହ, ବିଜୁଳି ବ୍ୟବସ୍ଥା ସାଙ୍ଗକୁ କଲ୍ୟାଣମଣ୍ଡପ ନିର୍ମାଣ କରାଯାଇପାରିଲେ ଏହି ପର୍ଯ୍ୟଟନକେନ୍ଦ୍ରର ବିକାଶ ହେବାସହ ପର୍ଯ୍ୟଟକଙ୍କୁ ଏହା ଅଧିକ ଆକୃଷ୍ଟ କରିପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।

kalyan agarbati

Comments are closed.