ବଳଦେବଜୀଉଙ୍କ ଘୋଷଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମହାମିଳନ; ମାଉସୀ’ମା ମନ୍ଦିରରେ ପହଞ୍ଚିଲା ‘ନନ୍ଦିଘୋଷ’
କେନ୍ଦୁଝରଗଡ: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଘୋଷଯାତ୍ରା ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସତ୍ତ୍ବେ ଜୟ ଜଗନ୍ନାଥ ଧ୍ୱନିରେ ଭକ୍ତ ବିଶ୍ୱର ସର୍ବୋଚ୍ଚ ରଥ ‘ନନ୍ଦିଘୋଷ’କୁ ଟାଣି ଟାଣି ମାଉସୀ’ମା ମନ୍ଦିର ନିକଟରେ ପହଞ୍ଚାଇବା ଦୃଶ୍ୟ ଖୁବ୍ ନିଆରା ଥିଲା। ବଡଦାଣ୍ଡରେ ରଥଟଣା ସମୟରେ ଭକ୍ତ ଓ ଭଗବାନ ସତେଯେମିତି ଏକାକାର ହୋଇଯାଇଥିଲେ। ଏହି ପବିତ୍ର ରଥଯାତ୍ରାରେ ବିଶ୍ୱର ସର୍ବବୃହତ୍ ଗୋଟିଏ ରଥରେ ରଥାଋଢ଼ ତିନିଠାକୁରଙ୍କୁ ଦର୍ଶନ ପାଇଁ ଜିଲାର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥିଲା।
ରୀତିନୀତି ଅନୁଯାୟୀ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ଅପରାହ୍ନ ୧୨ଟାରେ ଧାଡିପହଣ୍ଡି ଆରମ୍ଭ ହୋଇ ସାଢ଼େ ୪ଟାରେ ରଥାରୁଢ ହୋଇଥିଲେ। ରାଜ ପୁରୋହିତ ପ୍ରସନ୍ନ ନନ୍ଦ, ବଡପଣ୍ଡା ରାଜକିଶୋର ପଣ୍ଡା ଓ ବ୍ରହ୍ମା ଗଙ୍ଗାଧର ମିଶ୍ରଙ୍କ ଉପସ୍ଥିତିରେ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ରଥ ଉପରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିବା ପରେ ଅପରାହ୍ନରେ ଘଣ୍ଟବାଦ୍ୟ, ଶଙ୍ଖ, ହୁଳହୁଳି ଓ ହରିବୋଲ ସହ ଜୟ ଜଗନ୍ନାଥ ଧ୍ୱନିରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୫୦ମି.ରେ ମାଉସୀ’ମା ମନ୍ଦିର ନିକଟରେ ‘ନନ୍ଦିଘୋଷ’ ରଥ ସୁରୁଖୁରୁରେ ପହଞ୍ଚିଥିଲା। ଚଳିତଥର ପ୍ରଥମଥର ପାଇଁ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ରଥଟଣା ବ୍ୟବସ୍ଥା ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଥିବା ବେଳେ କେନ୍ଦୁଝରର ରାଣୀ ସୁନନ୍ଦିନୀ ଭଞ୍ଜଦେଓଙ୍କ ସମେତ ବହୁ ମହିଳା ଭକ୍ତ ସାମିଲ ହୋଇ ରଥ ଟାଣିଥିଲେ।
ଦେବତ୍ତୋର ବିଭାଗ ଅଧିକାରୀ ତଥା କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଜିଲାପରିଷଦ ସଭାପତି ସାଗରିକା ସାହୁ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, କେନ୍ଦୁଝରଗଡ ନଗରପାଳ ନିକୁ ସାହୁ, ଜିଲାପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ବିଜେଡି ରାଜ୍ୟ ଯୁବ ଉପସଭାପତି ସୌମ୍ୟଶଙ୍କର ଚକ୍ର, ଜିଲାପାଳ ଆଶିଷ ଠାକରେ, ଡିଏଫଓ ଧନରାଜ ଏଚଡି, ଅତିରିକ୍ତ ଯଦୁମଣି ମହଲା, ଜିଲାପରିଷ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ, ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ବେହେରା, କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଡା.ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରଥ ଟାଣିଥିଲେ। ଉପନିର୍ଦ୍ଦେଶକ ଜିଲା ସୂଚନା ଓ ଲୋକ ସମ୍ପର୍କ ସଞ୍ଜୀବ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧ୍ୟାପକ ସୁଧା ଦାଶଙ୍କ ସଂଯୋଜନାରେ ଦେବାଶିଷ ମିଶ୍ର, ଡ.ଚିତ୍ତ ମିଶ୍ର, ନିରଞ୍ଜନ ବାରିକ, ପଣ୍ଡିତ ମଧୁସୂଦନ ମିଶ୍ର, ଫକୀର ଚରଣ ରାଉତ, ଇନ୍ଦୁମତୀ ପାତ୍ର, ଅନନ୍ତ ପ୍ରସାଦ ଦେବତା ପ୍ରମୁଖ ଭକ୍ତଙ୍କୁ ଜଗନ୍ନାଥ ତତ୍ତ୍ୱ ଓ ସଂସ୍କୃତି ବିଷୟରେ ପବିତ୍ର ରଥଯାତ୍ରାର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରିଥିଲେ। ରଥଯାତ୍ରାର ପ୍ରଥମ ସନ୍ଧ୍ୟାରେ ବଡଦାଣ୍ଡ ଘୁଙ୍ଗୁରୁ କ୍ଲବ ମଣ୍ଡପରେ ବରୁଣେଶ୍ୱର ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ଓ ବୀଣାପାଣି କଳା ନିକେତନ ଶାଳପଡା ପକ୍ଷରୁ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଥିଲା।
ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରକ୍ଷୀ ନୀରିକ୍ଷକ ବିମଳ ରାଉତ, ସଦର ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ସମେତ ୪ଜଣ ଡିଏସ୍ପି, ୮ଜଣ ଇନ୍ସପେକ୍ଟର, ୧୮ଜଣ ସବ୍ଇନ୍ସପେକ୍ଟର ଓ ୨୦ଜଣ ଏଏସ୍ଆଇଙ୍କ ସମେତ ୧୬ପ୍ଲାଟୁନ ଫୋର୍ସ ମୁତୟନ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଇଲେଭେନ୍ ବୁଲେଟ୍ କ୍ଲବ, ୟଙ୍ଗ ଜିନିୟସ୍ କ୍ଲବ, କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ଡିମ୍ବୋ ଓ ଅବିନାଶ ମୋବାଇଲ ପକ୍ଷରୁ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କୁ ମାଗଣାରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା। ପବିତ୍ର ରଥଯାତ୍ରା ଉପଲକ୍ଷେ ମଙ୍ଗଳବାର ଠାରୁ ଆସନ୍ତା ୨୯ତାରିଖ ସୁନାବେଶ ପର୍ଯ୍ୟନ୍ତ ବଡଦାଣ୍ଡରେ ପ୍ରତି ସନ୍ଧ୍ୟାରେ ୧୦ ଦିନବ୍ୟାପୀ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ସ୍ଥାନୀୟ ତଥା ଜିଲା ବାହାରର କଳାକାରଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ କେନ୍ଦୁଝର ଶ୍ରୀ ବାରିକ ଜଣାଇଛନ୍ତି।
Comments are closed.