ଶ୍ରୀଜୀଉଙ୍କ ଅପେକ୍ଷାରେ ବିଶ୍ୱର ସର୍ବବୃହତ ରଥ ‘ନନ୍ଦିଘୋଷ’, ପୁଲିସ ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ରଥଟଣା ପୂର୍ବାଭ୍ୟାସ

କେନ୍ଦୁଝରଗଡ଼: କେନ୍ଦୁଝରର ରାଷ୍ଟ୍ରଦେବ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ଧରି ମଙ୍ଗଳବାର ମାଉସୀ ମା’ ଘରକୁ ଯାତ୍ରା କରିବେ। ଏହି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ବଡ଼ଦାଣ୍ଡରେ ବିଶ୍ୱର ସର୍ବବୃହତ୍‌‌ ରଥ ‘ନନ୍ଦିଘୋଷ’ ପ୍ରସ୍ତୁତ ଥିବାବେଳେ କିଭଳି ଶ୍ରୀଜୀଉଙ୍କୁ ରଥାଋଢ଼ ଦର୍ଶନ କରିବେ ସେ ନେଇ ଭକ୍ତ ଅପେକ୍ଷା କରି ରହିଛନ୍ତି। ଅପରପକ୍ଷେ, ରଥଯାତ୍ରା କିଭଳି ଶୃଙ୍ଖଳିତ ଓ ଅଧିକ ଆକର୍ଷଣୀୟ ହୋଇପାରିବ ସେ ନେଇ ଜିଲା ଦେବୋତ୍ତର ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ସୋମବାର ଅପରାହ୍ନରେ ରଥଟଣା ସମ୍ପର୍କିିତ ପୂର୍ବାଭ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଛି। ଚଳିତବର୍ଷ ପ୍ରଥମଥର ପାଇଁ ମହିଳା ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରଥଟଣା ନିମନ୍ତେ ଅନୁମତି ମିଳିଥିବାରୁ କିଭଳି ମହିଳା ଭକ୍ତ ଶୃଙ୍ଖଳାର ସହ ରଥଟଣା କାର୍ଯ୍ୟକ୍ରମରେ ସାମିଲ ହେବେ ସେ ନେଇ ମଧ୍ୟ ରଥଟଣା ପୂର୍ବାଭ୍ୟାସରେ ମହିଳା ସ୍ୱେଛାସେବୀଙ୍କୁ ସାମିଲ କରାଯାଇଥିଲା। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ୫୦ରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କ ସମେତ ୧୬ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ପ୍ରଥମଥର ପାଇଁ ସିସିଟିଭି ନଜରରେ ରଖାଯାଇଛି।

Comments are closed.