ଚିକିତ୍ସା ସେବାକୁ ତ୍ୱରାନ୍ୱିତ କରିଛି ଡିଏମଏଫ୍ ମୋବାଇଲ ମେଡିକାଲ ୟୁନିଟ୍, ଉପକୃତ ହେଲେଣି ୨୧ହଜାର
କେନ୍ଦୁଝରଗଡ଼: ଜିଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ କେନ୍ଦୁଝର ସହଯୋଗରେ ଚଳିତବର୍ଷ ଜିଲାରେ ଆରମ୍ଭ ହୋଇଥିବା ମୋବାଇଲ ମେଡ଼ିକାଲ ୟୁନିଟ୍ (ଏମଏମୟୁ) ଜିଲାବ୍ୟାପୀ ଉଲ୍ଲେଖନୀୟ ସେବା ଯୋଗାଇ ଆସୁଛି। ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଭ୍ୟାନ୍ ରହିବା ସାଙ୍ଗକୁ ଦୈନିକ ଗାଁକୁ ଗାଁ ବୁଲି ହଜାର ହଜାର ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଗୁଣାତ୍ମକ ଚିକିତ୍ସା ସେବା ପ୍ରଦାନ କରୁଛି। କାର୍ଯ୍ୟକାରୀ ହେବାର ସଂକ୍ଷିପ୍ତ ଅବଧି ମଧ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୨୧ ହଜାରରୁ ଅଧିକ ରୋଗୀ ଉପକୃତ ହୋଇସାରିଲେଣି।
ଚଳିତବର୍ଷ ସେପ୍ଟେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ସମୟରେ ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆ ଠାରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପତାକା ଦେଖାଇ ଡିଏମ୍ଏଫ୍ ମୋବାଇଲ ମେଡ଼ିକାଲ ୟୁନିଟ୍ ବା ଏମ୍ଏମୟୁ ସେବାର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଜିଲାର ବିଭିନ୍ନ ବ୍ଲକରେ ଗୋଟିଏ ପରେ ଗୋଟିଏ ଭ୍ୟାନ୍ ଗଡ଼଼ିବା ଆରମ୍ଭ କରିଥିଲା ଏବଂ ଗତ ଅକ୍ଟୋବର ୨୪ତାରିଖ ପରଠୁ ଜିଲାର ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ ଭ୍ୟାନ୍ ସେବା ଯୋଗାଇ ଆସୁଛି।
ଏହି ଭ୍ୟାନ୍ ଗୁଡ଼ିକ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରହିବା ସହ ଦୈନନ୍ଦିନ ଗାଁକୁ ଗାଁ ବୁଲି ଲୋକମାନଙ୍କୁ ସେବା ଯୋଗାଉଛି। ଦୈନିକ ଦୁଇରୁ ତିନୋଟି ଗାଁ ବୁଲିବା ସହିତ ଅତିକମରେ ୬୦ଜଣ ରୋଗୀଙ୍କ ପଞ୍ଜୀକରଣ କରି ଚିକିତ୍ସା ଯୋଗାଇ ଆସୁଛି। ପ୍ରତି ଭ୍ୟାନରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଜଣେ ମେଡ଼ିକାଲ୍ ଅଫିସର, ସହଯୋଗ ପାଇଁ ଜଣେ ଏଏନ୍ଏମ, ବିଭିନ୍ନ ପ୍ରକାର ପରୀକ୍ଷା ପାଇଁ ଜଣେ ଲ୍ୟାବ୍ ଟେକ୍ନିସିଆନ୍, ଔଷଧ ବିତରଣ ପାଇଁ ଜଣେ ଫାର୍ମାସିଷ୍ଟ ଏବଂ ଗାଡ଼ି ଚଳାଇବା ପାଇଁ ଜଣେ ଡ୍ରାଇଭର ନିୟୋଜିତ ଅଛନ୍ତି।
ପୂର୍ବ ଯୋଜନା ମୁତାବକ ଗୋଟିଏ ଭ୍ୟାନ୍ ଧାର୍ଯ୍ୟ ସମୟରେ ଷ୍ଟେସନରୁ ବାହାରି ନିର୍ଦ୍ଦିଷ୍ଟ ଗାଁକୁ ଯାଇଥାଏ। ସେଠାରେ ପହଞ୍ଚିବା ପରେ ପ୍ରତ୍ୟେକ ରୋଗୀଙ୍କର ପ୍ରଥମେ ପଞ୍ଜୀକରଣ କରାଯାଇଥାଏ। ଏହାପରେ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଔଷଧ ବିତରଣ ସାଙ୍ଗକୁ ବିଭିନ୍ନ ରୋଗ ସମ୍ପର୍କିତ ଜରୁରୀ ପରାମର୍ଶ ଏବଂ ସଚେତନତା ବାର୍ତ୍ତା ମଧ୍ୟ ଏହାଦ୍ୱାରା ଦିଆଯାଇପାରୁଛି। ଡାକ୍ତରଙ୍କ ଦ୍ୱାରା ପରାମର୍ଶ ପ୍ରଦାନ ସାଙ୍ଗକୁ ବିଭିନ୍ନ ପ୍ରଚାରପତ୍ର ବଣ୍ଟନ ଏବଂ ଅଡ଼ିଓ ଭିଜୁଆଲ୍ କ୍ଲିପ୍ ମାଧ୍ୟମରେ ଲୋକଙ୍କୁ ସଚେନତ କରାଯାଉଛି।
ପ୍ରସବର ପୂର୍ବ ଏବଂ ପ୍ରସବ ପରବର୍ତ୍ତୀ ସମୟରେ ମହିଳାମାନଙ୍କୁ ଜରୁରୀ ଚିକିତ୍ସା ପରାମର୍ଶ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ଯୋଗାଇବାରେ ଏହି ଭ୍ୟାନ୍ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ସୀମିତ ସମୟ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଉଦ୍ଧ୍ୱର୍ ମହିଳାଙ୍କୁ ସେବା ଯୋଗାଇପାରିଛି। ଏତଦ୍ବ୍ୟତୀତ ମାତୃ ଏବଂ ଶିଶୁରୋଗ, ସଂକ୍ରାମକ ଓ ଅଣସଂକ୍ରାମକ ରୋଗ, ଚର୍ମ ରୋଗ, ଆଖି ରୋଗ, ଆନେମିଆ, ଦନ୍ତ ରୋଗ, ମାନସିକ ରୋଗ, ଶ୍ୱାସ ଏବଂ ହୃଦରୋଗ ଠାରୁ ଆରମ୍ଭ କରି ଜ୍ୱ୍ୱର, ଡାଇରିଆ, କୁଷ୍ଠ ରୋଗ, ସାପ କାମୁଡ଼ା, କୁକୁର କାମୁଡ଼ା, ସାଧାରଣ କ୍ଷତ ଏବଂ ଅନ୍ୟାନ୍ୟ ରୋଗପାଇଁ ଜରୁରୀ ଚିକିତ୍ସା ପରାମର୍ଶ, ଚିକିତ୍ସା ଏବଂ ଔଷଧ ଏହି ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଯୋଗାଇ ଦିଆଯାଉଅଛି। ଭୌଗଳିକ ଦୃଷ୍ଟିରୁ ଦୁର୍ଗମ ଏବଂ ଖଣି ପ୍ରଭାବିତ ଅଞ୍ଚଳରେ ବିଶେଷ ଭାବେ ସେବା ଯୋଗାଇବା ପାଇଁ ଏହି ମୋବାଇଲ ମେଡ଼ିକାଲ ଭ୍ୟାନର ପରିକଳ୍ପନା ଆଜି ସଫଳ ସାବ୍ୟସ୍ତ ହୋଇପାରିଛି।
Comments are closed.