ସଭାରେ ସୀମିତ ଏଡ୍‌‌ସ ନିରାକରଣ: କେନ୍ଦୁଝର ଜିଲାରେ ୯୧୪ଆକ୍ରାନ୍ତଙ୍କ ମଧ୍ୟରୁ ମଲେଣି ୧୫୧ଜଣ

କେନ୍ଦୁଝରଗଡ଼: ଏଡସ୍‌‌ ଭଳି ମାରାତ୍ମକ ରୋଗର ସଫଳ ନିରାକରଣ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କୌଣସି ଜୀବନ ରକ୍ଷାକାରୀ ଔଷଧ ବାହାରି ନଥିବା ବେଳେ ସଚେତନତା ହିଁ ଏହାର ଏକମାତ୍ର ବିକଳ୍ପ ପନ୍ଥା ବୋଲି ପ୍ରତିବର୍ଷ ଡିସେମ୍ବର ୧ତାରିଖ ବିଶ୍ୱ ଏଡ଼ସ୍‌‌ ଦିବସ ପାଳନରେ ଏହି ବାର୍ତ୍ତା ସୀମିତ ହୋଇ ରହିଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେବଳ ଡିସେମ୍ବର ୧ ତାରିଖରେ ଜିଲା ମୁଖ୍ୟାଳୟରେ ନର୍ସିଂ ଛାତ୍ରୀ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନେଇ ଶୋଭାଯାତ୍ରା ଓ ସଭାକୁ ବାଦ୍‌‌ ଦେଲେ ବର୍ଷକ ମଧ୍ୟରେ ଥରୁଟିଏ ହେଲେ ଏହି ମାରାତ୍ମକ ରୋଗର ନିରାକଣ ନେଇ ସାଧାରଣରେ ସଚେତନତା ସୃଷ୍ଟି କରାନଯିବା ଗତ ୧୯ବର୍ଷରେ ଜିଲାରେ ୯୧୪ଜଣ ଏଡସ୍‌‌ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ଜଣଙ୍କ ମୃତ୍ୟୁ ହେବା ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି।

ଏଡସ୍‌‌ ନିରାକରଣ ନେଇ ଡିସେମ୍ବର ୧ ତାରିଖ ସଚେତନତା ଶୋଭାଯାତ୍ରା ଓ ସଭା ପାଇଁ ଓଡିଶା ରାଜ୍ୟ ଏଡସ୍‌‌ ନିୟନ୍ତ୍ରଣ ସମିତି ପକ୍ଷରୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ଆର୍ଥୀକ ସହାୟତା ଯୋଗାଇ ଦିଆଯାଇଥାଏ। ଏଭଳିସ୍ଥିତିରେ ଖୋଦ୍‌‌ ଜିଲା ମୁଖ୍ୟାଳୟରେ ସାମାନ୍ୟ ହୋର୍ଡିଂ କିମ୍ବା ଜନଗହଳିପୂର୍ଣ୍ଣ ବଜାର ଓ ବସ୍‌‌ଷ୍ଟାଣ୍ଡ ମାନଙ୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ସାମାନ୍ୟ ପୋଷ୍ଟରଟିଏ ସ୍ଥାନୀତ ନହେବା ଜିଲାରୁ ଏଡସ୍‌‌ ନିରାକରଣ କେବଳ ସରକାରୀ କାଗଜପତ୍ରରେ ସୀମିତ ରହିଯାଇଛି ବୋଲି ରାଜ୍ୟ କଂଗ୍ରେସ ନେତା ଆଲୋକ ମିଶ୍ର ଅତ୍ୟନ୍ତ କ୍ଷୋଭର ସହ ଏହା କହିଛନ୍ତି।

୨୦୦୬ ମସିହାରୁ କେନ୍ଦୁଝର ଜିଲାରେ ଏଡ଼ସ୍‌‌ ରୋଗ ଚିହ୍ନଟ ହେବା ପରଠାରୁ ଏହାର ନିରାକରଣ ନେଇ ବିଭିନ୍ନସ୍ତରରେ ଯୋଜନା କାର୍ଯ୍ୟକାରୀ ହୋଇଆସୁଛି। ୨୦୨୪ ନଭେମ୍ବର ଶେଷ ସୁଦ୍ଧା ଜିଲାରେ ମୋଟ ୩୩୦୨୨୧ଜଣଙ୍କୁ କାଉନସେଲିଂ କରାଯାଇ ସେମାନଙ୍କ ମଧ୍ୟରୁ ୨୬୬୪୯୭ଜଣଙ୍କ ରକ୍ତନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫୫୧ଜଣ ପୁରୁଷ, ୩୦୮ଜଣ ମହିଳା ଓ ୬୫ଜଣ ଗର୍ଭବତୀଙ୍କୁ ମିଶାଇ ମୋଟ ୯୧୪ଜଣଙ୍କ ରକ୍ତନମୂନାରେ ଏଚ୍‌‌ଆଇଭି ପଜିଟିଭ୍‌‌ ଚିହ୍ନିତ ହୋଇଥିବା ବେଳେ ସେଥିମଧ୍ୟରୁ ନଭେମ୍ବର ଶେଷ ସୁଦ୍ଧା ୧୫୧ଜଣଙ୍କ ପ୍ରାଣହାନୀ ଘଟିଛି। ସେଥିମଧ୍ୟରୁ ୬୩୩ଜଣ ଏଆରଟି ସେଣ୍ଟରରେ ନିୟମିତ ଚିକିତ୍ସିତ ହେଉଥିବା ବେଳେ ୪୮୦ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି।

ଚଳିତବର୍ଷ ଜାନୁଆରୀରୁ ନଭେମ୍ବର ଶେଷ ସୁଦ୍ଧା ୩୨୬୦୪ଜଣଙ୍କୁ କାଉନସେଲିଂ କରାଯାଇ ସେମାନଙ୍କ ମଧ୍ୟରୁ ୩୨୫୩୧ଜଣଙ୍କ ରକ୍ତନମୂନା ପରୀକ୍ଷା କରାଯାଇ ୯୦ଜଣ ଏଚ୍‌‌ଆଇଭି ପଜିଟିଭ୍‌‌ ଚିହ୍ନିତ ହୋଇଥିବା ବେଳେ ୭ଜଣ ଏଡ଼ସ୍‌‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ମାରାତ୍ମକ ରୋଗ ଏଡ୍‌‌ସରୁ କିପରି ନିଜକୁ ସୁରକ୍ଷିତ ରଖିହେବ ସେ ନେଇ କେବଳ ଜିଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର କାର୍ଯ୍ୟାଳୟ ଗୃହ କାନ୍ଥରେ ପୋଷ୍ଟର ଲଗାଯାଇ ସୀମିତ ଥିବାବେଳେ ଜିଲାର ପ୍ରମୁଖ ସ୍ଥାନ ମାନଙ୍କରେ ସାମାନ୍ୟ ସଚେତନତା ସୃଷ୍ଟି ନକରିବା ଜିଲାରେ ଏଡ୍‌‌ସ ନିୟନ୍ତ୍ରଣ କିପରି ହେଉଛି ତାହା ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଛି। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଏବଂ ବଡବିଲ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଡସ୍‌‌ ରୋଗୀଙ୍କ ପାଇଁ ସମନ୍ୱିତ ପରାମର୍ଶ ଓ ପରୀକ୍ଷାକେନ୍ଦ୍ର (ଆଇସିଟିସି) କାର୍ଯ୍ୟକ୍ଷମ ହୋଇଆସୁଥିବା ବେଳେ ଏଡସ୍‌‌ ଭୟାବହତା ଜିଲାର ହରିଚନ୍ଦନପୁର, ବାସୁଦେବପୁର, ଝୁମ୍ପୁରା, ତେଲକୋଇ, ପାଟଣା, ସାହାରପଡା, ଘସିପୁରା, ହାଟଡିହି ଓ ସଦର ବ୍ଲକ ଅଧିନ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ସମନ୍ୱିତ ପରାମର୍ଶ ଓ ପରୀକ୍ଷାକେନ୍ଦ୍ର କାର୍ଯ୍ୟକ୍ଷମ ନହେବା ଏଡ୍‌‌ସ ନିରାକରଣ ନେଇ ଜିଲା ସ୍ୱାସ୍ଥ୍ୟ ବିଭାଗର ଆନ୍ତରିକତାକୁ ପଦାରେ ପକାଇଛି।

ଜିଲାରେ ଏଡ୍‌‌ସ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ଗାଡି ଚାଳକ ଥିବାବେଳେ ଅଧାପାଠୁଆ ଏହି ଚାଳକଙ୍କୁ ଏଡ୍‌‌ସ ଭଳି ଭୟାବହ ରୋଗରୁ କିପରି ନିଜକୁ ଦୂରେଇ ରଖି ହେବ ସେ ନେଇ ବର୍ଷକରେ ଥରୁଟିଏ ହେଲେ ସଚେତନତା ସୃଷ୍ଟି କରାନଯିବା ଜିଲାରେ ଏଡ୍‌‌ସ ନିରାକରଣ ପ୍ରହସନରେ ପରିଣତ ହୋଇଥିବା ନେଇ ବୁଦ୍ଧିଜୀବୀ ମହଲରେ ଘୋର ଉଦ୍‌‌ବେଗ ପ୍ରକାଶ ପାଇଛି। ଏଥିସହ ଖଣି ଓ ଶିଳ୍ପ ବହୁଳ ଏହି ଜିଲାରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ସେମାନଙ୍କ ମଧ୍ୟରୁ କେହି ଏଡସ୍‌‌ ଆକ୍ରାନ୍ତ ଥିଲେ ହେଁ ତାହା ସ୍ୱାସ୍ଥ୍ୟ ବିଭାଗ ନଜରକୁ ଆସିପାରୁନଥିବାରୁ ଜିଲାରେ ଏଡସ୍‌‌ ଆକ୍ରାନ୍ତଙ୍କ ସଠିକ୍‌‌ ତଥ୍ୟ ମଧ୍ୟ ଆକଳନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି।

ତେବେ ୱାନ ଷ୍ଟପ୍‌‌ ସେଣ୍ଟର ପକ୍ଷରୁ ଯୋଡା ଅଞ୍ଚଳରେ ଟ୍ରକ କର୍ମଚାରୀ ଏବଂ ନେଚର୍ସ କ୍ଲବ ପକ୍ଷରୁ କେନ୍ଦୁଝରର ବିଭିନ୍ନ ସ୍ଥାନରେ ମହିଳା ଯୌନକର୍ମୀ, ସମଲିଙ୍ଗୀ ଯୌନକର୍ମୀ ଓ କିନ୍ନର ମାନଙ୍କୁ ଏଡସ୍‌‌ ଭଳି ମାରାତ୍ମକ ରୋଗରୁ ନିଜକୁ ଓ ନିଜ ପରିବାରକୁ କିଭଳି ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ସଚେତନ କରାଯାଉଥିବା ଜିଲା ଆଇସିଟିସି ସୁପରଭାଇଜର ବ୍ରହ୍ମାନନ୍ଦ ସାହୁ କହିଛନ୍ତି।

Comments are closed.