ଭାରତୀୟ ଜାତୀୟ କଳା ସ୍ଥାପତ୍ୟ ସଂରକ୍ଷଣ ସଂସ୍ଥା କେନ୍ଦୁଝର ଶାଖା ଉଦ୍ଘାଟିତ
କେନ୍ଦୁଝରଗଡ଼ : ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଦରବାରହଲ ଠାରେ ଭାରତୀୟ ଜାତୀୟ କଳା ସ୍ଥାପତ୍ୟ ସଂରକ୍ଷଣ ସଂସ୍ଥା (ଇନଟାକ୍) କେନ୍ଦୁଝର ଶାଖା ସୋମବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। ସଭା ପ୍ରାରମ୍ଭରେ ଇନ୍ଟାକ କେନ୍ଦୁଝର ଶାଖା ଆବାହକ ଡ. ଅଜୟ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ଅବସରରେ କେନ୍ଦୁଝର ଜିଲାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଚିହ୍ନଟ କରି ସେ ସବୁର କିଭଳି ଉପଯୁକ୍ତ ସଂରକ୍ଷଣ କରାଯାଇ ବିଶ୍ୱ ଦରବାରରେ ଏହାର ପ୍ରଚାର ପ୍ରସାର କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଇନ୍ଟାକ ରାଜ୍ୟ ଆବାହକ ଅମୀୟଭୂଷଣ ତ୍ରିପାଠୀ କେନ୍ଦୁଝର ଶାଖାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଜିଲାର ଐତିହ୍ୟକୁ ପୁନରୁଦ୍ଧାର କରି ଉତ୍ତରପୀଢ଼ି ନିମିତ୍ତ ସଂରକ୍ଷିତ ରଖିବାକୁ ଆହ୍ୱାନ ଦେଇଥିଲେ।
ଏଥିପାଇଁ ଇନ୍ଟାକ ରାଜ୍ୟ ଓ ଜାତୀୟ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ତ୍ରିପାଠୀ ପ୍ରତିଶୃତି ଦେଇଥିଲେ। ରାଜ୍ୟ ସହ-ଆବାହକ ଅନୀଲ ଧୀର ଯୋଗଦେଇ ଇନ୍ଟାକର କାର୍ଯ୍ୟପଦ୍ଧତି ଓ ସଂସ୍କୃତି ସଂରକ୍ଷଣ ପ୍ରତି ଦେଖାଦେଉଥିବା ବିଭିନ୍ନ ପ୍ରତିବନ୍ଧକ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲାପାଳ ଆଶିଷ ଠାକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲା ଶାଖାର ସମସ୍ତ କାର୍ଯ୍ୟରେ ପ୍ରଶାସନର ସହଯୋଗ ରହିବ ବୋଲି ପ୍ରତିଶୃତି ଦେବା ଅବସରରେ ଐତିହାସିକ କଲେକ୍ଟୋରେଟ୍ ଓ ସର୍କିଟହାଉସ୍ର ସାଂସ୍କୃତିକ ରକ୍ଷଣାବେକ୍ଷଣର ଦାୟିତ୍ୱ ନେବାପାଇଁ ଇନ୍ଟାକକୁ ଅନୁରୋଧ କରିଥିଲେ।
କେନ୍ଦୁଝର ଡିଏଫଓ ଧନରାଜ ଏଚଡି ଯୋଗଦେଇ କେନ୍ଦୁଝର ଜିଲାର ଭୂତାତ୍ତ୍ୱିକ, ପ୍ରାଣୀ ଓ ଉଦ୍ଭିଦ ଜଗତର ଐତିହାସିକ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ କାଠିକଣ୍ଢେଇ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁରଙ୍କୁ ଇନ୍ଟାକ କେନ୍ଦୁଝର ଶାଖା ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା। ଇନ୍ଟାକ କେନ୍ଦୁଝର ଶାଖା ଆଜୀବନ ସଦସ୍ୟା ଧରିତ୍ରୀ ରାଉତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.