କର୍ଣ୍ଣାଟକ ନିର୍ବାଚନରେ ମୋଦି ମ୍ୟାଜିକ, ବିଜେପିର ସେଞ୍ଚୁରି
ବେଙ୍ଗାଲୁର: କର୍ଣ୍ଣାଟକ ନିର୍ବାଚନରେ ଶାସକ କଂଗ୍ରେସକୁ ଝଟକା ଲାଗିଛି । ଚଳିତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି । ୨୨୨ଟି ଆସନରେ ମତଗଣନା ଆରମ୍ଭ ହୋଇଛି । ବିଜେପି ୧୧୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬୮ଟି ଓଜେଡିଏସ୍ ୪୦ଟି ଆସନରେ ଆଗୁଆ ରହିଛି । ଅନ୍ୟମାନେ ୦୩ ଟି ଆସନରେ ଆଗୁଆ ରହିଛନ୍ତି ।
କର୍ଣ୍ଣାଟକରେ ବିଜେପି ସରକାର ଗଢିବାର ସମ୍ଭାବନା ବୃଦ୍ଧି ପାଇଛି ।କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନିମନ୍ତେ ମେ’ ୧୨ ତାରିଖରେ ଭୋଟ ଗ୍ରହଣ ହୋଇଥିଲା ୧୫ ମେ’ରେ ମତଗଣନା କରାଯାଇଛି। ମୋଟ ୨୨୪ ଆସନରୁ ୨୨୨ ଆସନରେ ନିର୍ବାଚନ ହୋଇଛି। ବାକି ୨ ଆସନରେ ପରବର୍ତ୍ତୀ ସମୟରେ ନିର୍ବାଚନ ହେବ। ତେବେ ଅଧିକାଂଶ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ପଷ୍ଟ ହୋଇଥିଲା । ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପାଇଁ ଜେଡିଏସ୍ ଚିନ୍ତାର କାରଣ ହୋଇଥିଲା।
ମତଗଣନା ପୂର୍ବରୁ ଓ ଏକ୍ଜିଟ୍ ପୋଲରେ ରାଜନୈତିକ ସମୀକ୍ଷକମାନେ କର୍ଣ୍ଣାଟକରେ ଝୁଲା ସରକାର ହେବ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ଜେଡିଏସ୍ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପୂର୍ବନୁମାନ କରାଯାଇଥିଲା । ନିର୍ବାଚନୀ ପ୍ରଚାର ସମୟରେ ଜେଡିଏସ୍କୁ କଂଗ୍ରେସ ଓ ବିଜେପି କଡ଼ା ସମାଲୋଚନା କରିଥିଲେ। ହେଲେ ଜେଡିଏସ୍ ବିଜେପି ଆଡକୁ ଢଳୁ ଥିବା ପରି ଲାଗିଥିଲା। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ବାଚନ ପ୍ରଚାର ସମୟରେ ବିଜେପି ଅର୍ଥରେ ଜେଡିଏସ୍ ପ୍ରଚାର ଚାଲୁଛି ବୋଲି ଅଭିଯୋଗ କରିଥିଲେ । ଉଲ୍ଲେଖ ଯେ ସିଦ୍ଧରମୈୟା ଜେଡିଏସ୍ରୁ କଂଗ୍ରେସକୁ ଆସିଛନ୍ତି। ଲିଙ୍ଗାୟତକୁ ଅଲଗା ଧର୍ମର ମାନ୍ୟତା ଦେବାକୁ କହି କଂଗ୍ରେସ ବିଜେପି ଗଡ଼ରେ ଘାଇ ସୃଷ୍ଟି କରିଦେଇଥିଲା । ସେପଟେ ତୃତୀୟ ଦଳ ଭାବେ ମହିଶୁର ଅଞ୍ଚଳରେ ଜେଡିଏସ୍ର ଆଧିପତ୍ୟ ଦେଖିବାକୁ ମିଳିଛି । ମହିଶୁରରେ ୬୧ ଆସନରେ ସିଧାସଳଖ କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ଲଢେଇ ହୋଇଛି । ସେଠାକାର ଭୋକାଲିଗା ସମୂଦାୟଙ୍କ ଭୋଟ ଜେଡିଏସ୍ ହାତରେ ରହିଛି। ୨୦୧୩ରେ କଂଗ୍ରେସ ମହିଶୁରର ବହୁ ଆସନରେ ବିଜୟଲାଭ କରିଥିଲା। ମାତ୍ର ଭୋକାଲିଗା ସମୂଦାୟଙ୍କ ଭୋଟ ଜେଡିଏସ୍ ନିକଟରେ ରହିଥିଲା। ବିଜେପି ଆଡକୁ ଢଳୁଥିବାରୁ ମୁସଲମାନଙ୍କ ଭୋଟ ପାଇବାରେ ଜେଡିଏସ୍ ବିଫଳ ହେବାର ଆଶଙ୍କା ଦେଖାଯାଇଛି।